ହିମନ୍ତଙ୍କ ବଡ଼ ବୟାନ; 'ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍'

୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା।

ହିମନ୍ତଙ୍କ ବଡ଼ ବୟାନ; 'ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍'

ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆଜି ସନ୍ଧ୍ୟାରେ ଜଟଣୀ ଛତାବରରେ ବିଜେପି ପରିବର୍ତ୍ତନ ସଭାରେ ଭାଷଣ ଦେଇ ହିମନ୍ତ ସିଧାସଳଖ ନିଶାନା କରି କହିଥିଲେ, ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି। କମିଶନ ତଦନ୍ତ କଲେ, ହେଲେ ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।

୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା। ରାଜନୀତିରେ ଠକାମୀ ପାଇଁ ନୋବେଲ୍ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍ ଅଛି ତ ତାସାଙ୍ଗେ ମିଶାଇ ଅଧ କିଲୋ ଡାଲି ଦିଅ ବୋଲି ଓଡ଼ିଶା ସରକାରଙ୍କୁ କହିଛନ୍ତି ହିମନ୍ତ।

ସେପଟେ ଏହି କାର୍ଯ୍ୟକ୍ରମରେ ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଆମକୁ ଆଉଟସୋର୍ସିଂ ସରକାର ଦରକାର ନାହିଁ। ଏଥିସହ ଜଗନ୍ନାଥ ଜମି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା । ତେବେ ଉଭୟଙ୍କ ମନ୍ତବ୍ୟ ନେଇ ପାଣ୍ଡିଆନ୍ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

ଶ୍ରୀ ବିଶ୍ୱଶର୍ମା ଆହୁରି କହିଛନ୍ତି, ଆଜି ଦେଖନ୍ତୁ ନବୀନବାବୁ ନିଜେ ମାଇକ୍‌ ଉଠାଇ ପାରୁନାହାନ୍ତି। ଏଥିରେ କିଛି ଅସୁବିଧା ନାହିଁ। ମୋର ମଧ୍ୟ ସେମିତି ସମୟ ଆସିବ। ମୁଁ ମାଇକ୍‌ ଉଠାଇପାରିବି ନାହିଁ। କିନ୍ତୁ ସେହି ମାଇକ୍‌ ଧରିବା ପାଇଁ ଏ ଦୁନିଆରେ ଆଉ କେହି କ’ଣ ନାହାନ୍ତି? ନବୀନବାବୁ ଆପଣ ଚାକିରି ଦେଲନି, ସେହି କାମ ଆମକୁ(ଓଡ଼ିଶାର ଯୁବକ)ଙ୍କୁ ଦିଅନ୍ତୁ। ମାତ୍ର ତାହା ମଧ୍ୟ କଲନାହିଁ। ସେହି କାମ ପାଣ୍ଡିଆନ୍‌ ଦେଇଦେଲ। ଏଥିରୁ ଜଣାପଡ଼ୁଛି ଆପଣ ଓଡ଼ିଶାର ଯୁବକଙ୍କୁ ବିଶ୍ୱାସ କରୁନାହାନ୍ତି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

ମାଗଣା ବିଜୁଳି ବିଲ୍‌କୁ ନେଇ ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ଏବେ ନବୀନ ବାବୁ କହୁଛନ୍ତି ବିଜୁଳି ବିଲ୍‌ ମାଗଣା କରିବେ। ହେଲେ ଯେତେବେଳେ ଆପଣଙ୍କ ସରକାର ଥିଲା, ସେତେବେଳେ କାହିଁକି ବିଜୁଳି ବିଲ୍‌ ମାଗଣା କଲେନାହିଁ। ଏବେ ଆପଣଙ୍କର ଯିବା ବେଳ। ସେହି ସମୟରେ ଆପଣଙ୍କ ପାଖରେ ଦେଲାଭଳି କିଛି ନାହିଁ। ଏବେ ଯାହା ଦେବେ ମୋଦିଜୀ ଦେବେ। ଏକଥା ଓଡ଼ିଶାର ଲୋକମାନେ ଜାଣି ସାରିଲେଣି ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।