ହୃତଘାତରେ ଆଇଟି କର୍ମଚାରୀଙ୍କ ମୃତ୍ୟୁ, ଅଫିସରେ ଚାଲିଗଲା ଜୀବନ 

ଅଫିସ୍ ଶୌଚାଳୟ ଯାଇଥିବା ସମୟରେ ଆସିଥିଲା ହୃଦଘାତ।

ହୃତଘାତରେ ଆଇଟି କର୍ମଚାରୀଙ୍କ ମୃତ୍ୟୁ, ଅଫିସରେ ଚାଲିଗଲା ଜୀବନ 

ଆଜି ବିଶ୍ୱବ୍ୟାପୀ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନେଇ ସଚେତନତା କରାଯାଉ ଥିବାବେଳେ ମହାରାଷ୍ଟ୍ର ନାଗପୁରରୁ ଏକ ଦୁଃଖଦ ଖବର ଆସିଛି। ଆଇଟି କମ୍ପାନୀରେ ଜଣେ କର୍ମଚାରୀ ହୃଦଘାତରେ ଟଳି ପଡିଛନ୍ତି। ସେ ଶୌଚାଳୟ ଯାଇଥିବା ସମୟରେ ତାଙ୍କୁ ହୃଦଘାତ ଆସିଥିଲା।

ସୂଚନା ଅନୁସାରେ, ମୃତକ ହେଉଛନ୍ତି ୪୦ ବର୍ଷୀୟ ନିତିନ ଏଡୱିନ୍ ମାଇକେଲ। ସେ HCL ଟେକ୍ନୋଲୋଜିର ସିନିୟର ଆନାଲିଷ୍ଟ ଭାବେ କାର୍ଯ୍ୟ କରୁଥିଲେ।

ସେ ଅଫିସର ଶୌଚାଳୟକୁ ଯାଇଥିଲେ। ସେଠାରୁ ବାହାରିବା ପରେ ଅସହଜ ଅନୁଭବ କରିଥିଲେ। ଅନ୍ୟ କର୍ମଚାରୀମାନେ ତୁରନ୍ତ ତାଙ୍କୁ ନାଗପୁରର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଏମ୍ସ ଡାକ୍ତର କହିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ପୁଲିସର ସୂଚନାନୁସାରେ, ମାଇକେଲ ତାଙ୍କ ପତ୍ନୀ ଏବଂ ଏକ-ବର୍ଷର ପୁଅ ସହ ରହୁଥିଲେ।