ଟ୍ରମ୍ପ୍ଙ୍କ ବିଜୟ ପରେ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ୍ ଡଲାର ପାର
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରଠାରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଉପରେ ଧନ ବର୍ଷା ହେଉଛି। ତେଣୁ ମସ୍କଙ୍କ ସମ୍ପତ୍ତି ଏବେ ହୁ ହୁ ବଢିବାରେ ଲାଗିଛି। ଫଳରେ ତାଙ୍କର ମୋଟ ସମ୍ପତ୍ତି ୩୦୦ ବିଲିୟନ ଡଲାର ପାର କରିଯାଇଛି। ଗତ ୨୪ ଘଣ୍ଟାରେ ମସ୍କଙ୍କ ସମ୍ପତ୍ତିରେ ୧୭.୪ ବିଲିୟନ ଡଲାର ଅର୍ଥାତ ୧.୪୬ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବୃଦ୍ଧି ହୋଇଛି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ […]

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରଠାରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଉପରେ ଧନ ବର୍ଷା ହେଉଛି। ତେଣୁ ମସ୍କଙ୍କ ସମ୍ପତ୍ତି ଏବେ ହୁ ହୁ ବଢିବାରେ ଲାଗିଛି। ଫଳରେ ତାଙ୍କର ମୋଟ ସମ୍ପତ୍ତି ୩୦୦ ବିଲିୟନ ଡଲାର ପାର କରିଯାଇଛି। ଗତ ୨୪ ଘଣ୍ଟାରେ ମସ୍କଙ୍କ ସମ୍ପତ୍ତିରେ ୧୭.୪ ବିଲିୟନ ଡଲାର ଅର୍ଥାତ ୧.୪୬ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବୃଦ୍ଧି ହୋଇଛି।
ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଟ୍ରମ୍ପଙ୍କ ବିଜୟ ପରେ ମସ୍କଙ୍କ ସମ୍ପତ୍ତି କ୍ରମାଗତ ଭାବେ ବଢି ଚାଲିଛି। ନିର୍ବାଚନ ଫଳାଫଳ ଘୋଷଣା ପରଦିନ ମସ୍କଙ୍କ ସମ୍ପତ୍ତିରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ମସ୍କଙ୍କ ସମ୍ପତ୍ତିରେ ଏପରି ବୃଦ୍ଧି ପଛରେ ତାଙ୍କ ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସ୍ଲାର ବଡ଼ ଯୋଗଦାନ ରହିଛି। ମାତ୍ର ୫ ଦିନରେ ମସ୍କଙ୍କ କମ୍ପାନୀର ଶେୟାର ମୂଲ୍ୟରେ ୩୧.୪୬ ପ୍ରତିଶତ ବୃଦ୍ଧି ହୋଇଛି।
ଟେସ୍ଲାର ଶେୟାର ପିଛା ମୂଲ୍ୟ ୩୨୮.୭୧ ଡଲାର ରହିଛି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗତ ୨୪ ଘଣ୍ଟାରେ ମସ୍କଙ୍କ ସମେତ ଯେଉଁ ବିଲେନିୟରଙ୍କୁ ଫାଇଦା ହୋଇଛି ସେଥିରେ ଲ୍ୟାରି ଏଲିସନ ମଧ୍ୟ ଅଛନ୍ତି। ଲ୍ୟାରୀଙ୍କ ମୋଟ ସମ୍ପତ୍ତି ୩.୮୦ ବିଲିୟନ ଡଲାର ଅର୍ଥାତ ପାଖାପାଖି ୩୨,୦୬୫ କୋଟି ଟଙ୍କା ବଢିଯାଇଛି। ଏହି ଅଭିବୃଦ୍ଧି ସହିତ ଲ୍ୟାରି ଏଲିସନଙ୍କ ମୋଟ ସମ୍ପତ୍ତି ୨୦୨ ବିଲିୟନ ଡଲାର ହୋଇଯାଇଛି ଓ ସେ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି। ଏହାଛଡା ବିଲଗେଟସଙ୍କ ନେଟ୍ ସମ୍ପତ୍ତିରେ ୫୬୧ ନିୟୁତ ଡଲାର ଏବଂ ୱାରେନ ବଫେଙ୍କ ସମ୍ପତ୍ତିରେ ୧.୫୯ ବିଲିୟନ ଡଲାର ବୃଦ୍ଧି ହୋଇଛି।