ହେଡଫୋନ୍‌ ଲଗାଇ ଟ୍ରାକ୍‌ରେ ବସିଥିଲେ ଯୁବକ, ଚଢ଼ିଗଲା ଟ୍ରେନ୍‌

ହେଡଫୋନ୍‌ ଦେଇ ଯୁବକଜଣକ ରେଲୱେ ଟ୍ରାକ୍‌ରେ ମୋବାଇଲ ଦେଖୁଥିବା ବେଳେ ମାଡ଼ିଗଲା ଟ୍ରେନ୍‌ ।

ହେଡଫୋନ୍‌ ଲଗାଇ ଟ୍ରାକ୍‌ରେ ବସିଥିଲେ ଯୁବକ, ଚଢ଼ିଗଲା ଟ୍ରେନ୍‌

ମୋବାଇଲ ମାନିଆ ହେଲା କାଳ। ଅକାଳରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ହେଡଫୋନ୍‌ ଦେଇ ଯୁବକଜଣକ ରେଲୱେ ଟ୍ରାକ୍‌ରେ ମୋବାଇଲ ଦେଖୁଥିବା ବେଳେ ମାଡ଼ିଗଲା ଟ୍ରେନ୍‌ । ଏପରି ଏକ ଅଘଟଣ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି।

ମୃତକ ୨୦ ବର୍ଷୀୟ ମାନରାଜ ତୋମାର ବୋଲି ଜଣାଯାଇଛି। ସେ ଜଣେ ବିବିଏ ଛାତ୍ର ଥିଲେ। ପୁଲିସ୍‌ ସୂଚନା ଅନୁଯାୟୀ, ମାନରାଜ ନିଜ ସାଙ୍ଗ ସହ ଦାନାପାନି ଅଞ୍ଚଳରେ ଥିବା ରେଲୱେ ଟ୍ରାକ୍‌କୁ ଯାଇଥିଲେ। ସେଠାରେ ଦୁଇ ସାଙ୍ଗ ହେଡଫୋନ୍‌ ଲଗାଇ ମୋବାଇଲ ଧରି ଦୁଇଟି ଟ୍ରାକ୍‌ରେ ବସିଥିଲେ।

ମାନରାଜ ବସିଥିବା ଟ୍ରାକ୍‌ରେ ଟ୍ରେନ୍‌ଟି ଆସିଥିବା ବେଳେ ତା’ ଶବ୍ଦ କିନ୍ତୁ ମାନରାଜ ଶୁଣି ପାରି ନ ଥିଲେ। ଫଳରେ ଟ୍ରେନ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହାପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମାନରାଜ ଭୋପାଳରେ ଏକ ଘରୋଇ କଲେଜରେ ବିବିଏ ପଢ଼ୁଥିଲେ। ବଡି ବିଲଡିଂ ତଥା ରିଲ୍ସ କରିବା ନିମନ୍ତେ ତାଙ୍କର ସଉକ ଥିଲା। ମାତ୍ର ଏହି ନିଶା ତାଙ୍କ ପାଇଁ କାଳ ହେଲା ଓ ତାଙ୍କ ଜୀବନ ଚାଲିଗଲା ବୋଲି ପରିବାରବର୍ଗ କହିଛନ୍ତି।