ହ୍ୟାଟ୍ରିକରୁ ବଞ୍ଚିତ ଅକ୍ଷର ପଟେଲଙ୍କୁ କାହିଁକି ହାତ ଯୋଡ଼ିଲେ ରୋହିତ ଶର୍ମା?

ଟସ୍‌ ଜିତି ବାଂଲାଦେଶ ପ୍ରଥମ ବ୍ୟାଟିଂ କରୁଥିବା ବେଳେ ପ୍ରଥମ ଦୁଇ ଓଭରରେ ମହମ୍ମଦ ଶାମି ଓ ହର୍ଷିତ ରାଣା ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଏହାର କିଛି ସମୟ ପରେ ଦଳୀୟ ସ୍କୋର ୨୬ ଥିବା ବେଳେ ଶାମି ବାଂଲାଦେଶକୁ ଆଉ ଏକ ଝଟକା ଦେଇଥିଲେ।

ହ୍ୟାଟ୍ରିକରୁ ବଞ୍ଚିତ ଅକ୍ଷର ପଟେଲଙ୍କୁ କାହିଁକି ହାତ ଯୋଡ଼ିଲେ ରୋହିତ ଶର୍ମା?

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ହାଇବ୍ରିଡ ମଡେଲରେ ଖେଳାଯାଉଥିବା ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଆଜି ଭାରତୀୟ ଟିମର ମୁକାବିଲା ବାଂଲାଦେଶ ସହ ହେଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଏବେ ରନ ସଂଗ୍ରହ ପାଇଁ ସଂଘର୍ଷ କରୁଛି। କିନ୍ତୁ ଏସବୁ ଭିତରେ ଗୋଟିଏ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

ଯେଉଁଥିରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ପଡ଼ିଆ ମଝିରେ ହାତ ଯୋଡ଼ି କ୍ଷମା ମାଗୁଛନ୍ତି। ଏହା ପଛର କାରଣ ଜାଣିବା ପାଇଁ ଫ୍ୟାନ୍ସ ବେଶ ଆଗ୍ରହ ଦେଖାଇଛନ୍ତି। ଯେଉଁମାନେ ଟିଭିରେ କିମ୍ବା ମୋବାଇଲରେ ମ୍ୟାଚ ଦେଖୁଛନ୍ତି, ସେମାନଙ୍କୁ ଏହା ପଛର କାରଣ ବେଶ ଭଲ ଭାବେ ଜଣା। କିନ୍ତୁ ଯେଉଁମାନେ ଏହାକୁ ମିସ କରି ଯାଇଛନ୍ତି, ସେମାନେ ଏହା ପଛର କାରଣ ଏଠାରେ ଜାଣିପାରିବେ।

ଟସ୍‌ ଜିତି ବାଂଲାଦେଶ ପ୍ରଥମ ବ୍ୟାଟିଂ କରୁଥିବା ବେଳେ ପ୍ରଥମ ଦୁଇ ଓଭରରେ ମହମ୍ମଦ ଶାମି ଓ ହର୍ଷିତ ରାଣା ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଏହାର କିଛି ସମୟ ପରେ ଦଳୀୟ ସ୍କୋର ୨୬ ଥିବା ବେଳେ ଶାମି ବାଂଲାଦେଶକୁ ଆଉ ଏକ ଝଟକା ଦେଇଥିଲେ। ବାଂଲାଦେଶ ବ୍ୟାକଫୁଟରେ ଥିବା ବେଳେ ବିପର୍ଯ୍ୟୟ ଘଟାଇଥିଲେ ଅକ୍ଷର ପଟେଲେ। ବାଂଲାଦେଶର ୯ମ ଓଭର ନେଇ ଆସିଥିଲେ ଅକ୍ଷର। ସେ ନିଜର ଦ୍ୱିତୀୟ ବଲରେ ୨୫ ରନ କରିଥିବା ବାମହାତୀ ବ୍ୟାଟର ତାନଜିଦ ହାସନଙ୍କୁ ୱିକେଟ କିପର ରାହୁଲଙ୍କ ହାତରେ ଆଉଟ କରିଥିଲେ।

ଦ୍ୱିତୀୟ ବଲରେ ଅଭିଜ୍ଞ ମୁସଫିକର ରହିମ ପ୍ୟାଭିଲିୟନ ଫେରିଥିଲେ। ନିଜ ଦିନିକିଆ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ଅକ୍ଷରଙ୍କୁ ସାମ୍ନା କରିବାକୁ ଆସିଥିଲେ ଜାକର ଅଲୀ। ତାଙ୍କ ପାଇଁ ଦୁଇଟି ସ୍ଲିପ ସହ ଲେଗ ସ୍ଲିପ ଅଞ୍ଚଳରେ ଫିଲ୍ଡ ସଜାଇଥିଲେ ରୋହିତ।

ନିଜେ ରୋହିତ ମଧ୍ୟ ପ୍ରଥମ ସ୍ଲିପରେ ରହିଥିଲେ। ଅକ୍ଷରଙ୍କ ଚମତ୍କାର ବଲକୁ ଡିଫେନ୍ସ କରିବାକୁ ଚାହିଁଥିଲେ ଜାକର ଅଲୀ। କିନ୍ତୁ ଏହା ତାଙ୍କ ବ୍ୟାଟର ଏଡଜରେ ବାଜି ସିଧା ପ୍ରଥମ ସ୍ଲିପରେ ଥିବା ରୋହିତଙ୍କ ପାଖକୁ ଯାଇଥିଲେ। ବଲର ବେଗ ଓ ଉଚ୍ଚତା ଏତେ ସହଜ ଥିଲା ଯେ ସମସ୍ତେ ଭାବିଥିଲେ ଯେ ରୋହିତ ଏହାକୁ ବେଶ ସହଜରେ ଧରି ପକାଇବେ। ଅକ୍ଷର ମଧ୍ୟ ହ୍ୟାଟ୍ରିକ ଆଶାରେ ବେଶ ଖୁସି ହୋଇ ଯାଇଥିଲେ। କିନ୍ତୁ ରୋହିତ ଅତି ସହଜ କ୍ୟାଚ୍‌କୁ ଛାଡ଼ି ଦେଇଥିଲେ। ଏହା ସମସ୍ତଙ୍କୁ ନିରାଶ କରିଛି। ରୋହିତ ମଧ୍ୟ ନିଜ ହତାଶା ଭାବ ଦେଖାଇ ତାଙ୍କ ହାତକୁ ବାରମ୍ବାର ତଳେ ପିଟି ଚାଲିଥିଲେ।

ନିଜକୁ ନିଜେ ଗାଳି ମଧ୍ୟ କରିଥିଲେ। ଶେଷରେ ସେ ଓଭର ସରିବା ପରେ ସର୍ବସମ୍ମୁଖରେ ଅକ୍ଷର ପଟେଲଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ। ଏହାର ଫଟୋ ଓ କ୍ୟାଚ୍‌ ଡ୍ରପର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅକ୍ଷର ନିଶ୍ଚିତ ହ୍ୟାଟ୍ରିକରୁ ବଞ୍ଚିତ ହୋଇଥିଲେ ହେଁ ସେ ରୋହିତଙ୍କ ଉପରେ କୌଣସି ପ୍ରକାରର ରାଗ ଦେଖା ନାହାନ୍ତି। ରୋହିତ ମଧ୍ୟ ‍ଫିଲ୍ଡ ଜାରି ରଖିଛନ୍ତି। କ୍ୟାଚ ଡ୍ରପ୍‌ ବେଳେ ଜାକର ଅଲୀ ଖାତା ଖୋଲି ପାରି ନଥିଲେ। କିନ୍ତୁ ଏବେ ରିପୋର୍ଟ ଲେଖା ହେବା ବେଳକୁ ସେ ୩୦ ରନରେ ପହଞ୍ଚି ଯାଇଛନ୍ତି। ତାଙ୍କ ସହ ତୋହିଦ ହ୍ରିଦୟ ୩୧ ରନ କରିଛନ୍ତି। ବାଂଲାଦେଶ ୨୬ ଓଭର ସୁଦ୍ଧା ୫ ୱିକେଟ ହରାଇ ୯୫ ରନ କରିଛି।