ୟୁକ୍ରେନ ଡ୍ରୋନ ଆଟାକ୍‌ର ଟାର୍ଗେଟ ଥିଲା ପୁଟିନଙ୍କ ହେଲିକପ୍ଟର୍‌

ରୁଷର ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନର ୧୧୭୦ଟି ଡ୍ରୋନକୁ ଧ୍ୱଂସ କରିଥିଲା।

ୟୁକ୍ରେନ ଡ୍ରୋନ ଆଟାକ୍‌ର ଟାର୍ଗେଟ ଥିଲା ପୁଟିନଙ୍କ ହେଲିକପ୍ଟର୍‌

ଅଳ୍ପକେ ବର୍ତ୍ତିଛନ୍ତି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନ କରିଥିଲା ସାଂଘାତିକ ଉଦ୍ୟମ। ମେ’ ୨୦ରେ ୟୁକ୍ରେନ ପକ୍ଷରୁ ରୁଷର କୁରସ୍କ ଅଞ୍ଚଳରେ ଘନଘନ ଡ୍ରୋନ ମାଡ଼ କରାଯାଇଥିଲା। ଏହି ଡ୍ରୋନ ଆକ୍ରମଣର ପ୍ରମୁଖ ଟାର୍ଗେଟରେ ଥିଲା ରାଷ୍ଟ୍ରପତି ପୁଟିନଙ୍କ ହେଲିକପ୍ଟର। କିନ୍ତୁ ସୌଭାଗ୍ୟବଶତଃ ପୁଟିନ ଅଳ୍ପକେ ୟୁକ୍ରେନର ଡ୍ରୋନ ଆଟାକ୍‌ରୁ ବର୍ତ୍ତି ଯାଇଛନ୍ତି।

ରୁଷର ଏୟାର ଡିଫେନ୍ସ ୟୁନିଟ କମାଣ୍ଡର ୟୁରିୟ ଡାସ୍କିନ ଦାବି କରିଛନ୍ତି ଯେ ମେ’ ୨୦ରେ ୟୁକ୍ରେନ ଡ୍ରୋନ ଆଟାକ କରି ପୁଟିନଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା। କିନ୍ତୁ ରୁଷର ଏୟାର ଡିଫେନ୍ସ ସିଷ୍ଟମ ପୁଟିନଙ୍କ ହେଲିକପ୍ଟରକୁ ଟାର୍ଗେଟ କରି ହୋଇଥିବା ଡ୍ରୋନକୁ ଚିହ୍ନଟ କରିଥିଲା। ଏହା ରାଷ୍ଟ୍ରପତିଙ୍କ ହେଲିକପ୍ଟର ରାସ୍ତାରେ ଆସିବା ପୂର୍ବରୁ ଏହାକୁ ଧ୍ୱଂସ କରି ଦେଇଥିଲା।

କମାଣ୍ଡର ଜଣଙ୍କ କହିଛନ୍ତି ଯେ ମେ’ ୨୦ରୁ ୨୨ ମଧ୍ୟରେ ୟୁକ୍ରେନ ପକ୍ଷରୁ ଘନଘନ ଡ୍ରୋନ ମାଡ଼ କରାଯାଇଥିଲା। କିନ୍ତୁ ରୁଷର ଏୟାର ଡିଫେନ୍ସ ସିଷ୍ଟମ ୟୁକ୍ରେନର ୧୧୭୦ଟି ଡ୍ରୋନକୁ ଧ୍ୱଂସ କରିଥିଲା। ମେ’ ୨୦ରେ ପୁଟିନଙ୍କ କୁରସ୍କ ରିଜନକୁ ଗସ୍ତ ସମୟରେ ୟୁକ୍ରେନ ଏୟାର ଷ୍ଟ୍ରାଇକ କରିଥିଲା। ହେଲେ ଏହି ରିଜନରେ ମାଡ଼ ହୋଇଥିବା ୪୬ଟି ଡ୍ରୋନକୁ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିଲା।

ଡାସ୍କିନ କହିଛନ୍ତି, “ସୁପ୍ରିମ କମାଣ୍ଡର ଇନ ଚିଫ୍‌(ରାଷ୍ଟ୍ରପତି ପୁଟିନ)ଙ୍କ ହେଲିକପ୍ଟର କୁରସ୍କ ରିଜନରେ ଥିବା ବେଳେ ଆକ୍ରମଣ ପରିମାଣର ତୀବ୍ର ହୋଇଥିଲା। ତେଣୁ ଆମେ ସମାନ୍ତରଳ ଭାବେ ଆକାଶ ପଥ ଯୁଦ୍ଧରେ ସାମିଲ ହୋଇଥିଲୁ ଓ ଆକାଶ ପଥରେ ରାଷ୍ଟ୍ରପତିଙ୍କ ହେଲିକପ୍ଟରର ସୁରକ୍ଷାକୁ ନିଶ୍ଚିତ କରିଥିଲୁ। ଡ୍ରୋନ ଆଟାକ୍‌ର ପ୍ରମୁଖ କେନ୍ଦ୍ର ପୁଟିନଙ୍କ ହେଲିକପ୍ଟର ହିଁ ଥିଲା। ପୁଟିନଙ୍କ ହେଲିକପ୍ଟର ଯାଉଥିବା ରାସ୍ତାକୁ ଡ୍ରୋନ ଆସୁଥିବା ବେଳେ ଏହାକୁ ଚିହ୍ନଟ କରାଯାଇଥିଲା। ତୁରନ୍ତ ରୁଷର ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ଏହାକୁ ନଷ୍ଟ କରି ଦିଆଯାଇଥିଲା।”

ମାର୍ଚ୍ଚ ପର ଠାରୁ ପ୍ରଥମଥର ପାଇଁ ପୁଟିନ୍‌ କୁରସ୍କ ଗସ୍ତ କରିଥିଲେ। ୟୁକ୍ରେନ ଆକ୍ରମଣ କରିଥଲେ ହେଁ ବିନା କୌଣସି ବାଧାରେ ପୁଟିନ ସେଠାକୁ ଯାଇଥିଲେ ଓ ସୁରକ୍ଷିତ ମସ୍କୋ ଫେରିଥିଲେ।