ୟୁଟ୍ୟୁବର୍‌ ଏଲ୍‌ଭିଶ ଯାଦବଙ୍କୁ ୭ ଘଣ୍ଟା ଘାଣ୍ଟିଲା ଇଡି

ସାପ ବିଷ ମାମଲାରେ ଏଲଭିଶ ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଛି।

ୟୁଟ୍ୟୁବର୍‌ ଏଲ୍‌ଭିଶ ଯାଦବଙ୍କୁ ୭ ଘଣ୍ଟା ଘାଣ୍ଟିଲା ଇଡି

ଥମୁନି ଫେମସ୍‌ ୟୁଟ୍ୟୁବର୍‌ ଏଲ୍‌ଭିଶ ଯାଦବଙ୍କ ଅଡୁଆ। ସାପ ବିଷ ଓ ମନି ଲଣ୍ଡରିଂ ମାମଲାରେ ଲଗାତର ଚର୍ଚ୍ଚାରେ ଅଛନ୍ତି ବିଗ୍‌ ବସ୍‌ ଓଟିଟି-୨ର ବିଜେତା। ଏହି ମାମଲା ରେ ତାଙ୍କୁ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିଛି।

ସାପ ବିଷ ମାମଲାରେ ଏଲଭିଶ ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ସମନ କରିଥିଲା। ସେ ଆଜି ସକାଳୁ ସେ ଲକ୍ଷ୍ନୌ ଇଡିର ଜୋନାଲ ଅଫିସରେ ପହଞ୍ଚିଥିଲେ। ସେଠାରେ ଦୀର୍ଘ ୭ ଘଣ୍ଟା କାଳ ତାଙ୍କୁ ଇଡି ପଚରାଉଚରା କରିଛି। ଇଡି ପ୍ରଶ୍ନର ସମ୍ମୁଖୀନ ହେବା ପରେ ଏଲ୍‌ଭିଶ ବାହାରକୁ ଆସି ମିଡିଆକୁ କିଛି ଉତ୍ତର ଦେଇ ନାହାନ୍ତି। ସେ ସେଠାରୁ ଚାଲି ଯାଇଛନ୍ତି।  

ଏହା ପୂର୍ବରୁ ଏଲଭିଶଙ୍କ ସାଙ୍ଗ ରାହୁଲ ଫାଜିଲପୁରିୟାଙ୍କୁ ମଧ୍ୟ ଏହି ମାମଲାରେ ଇଡି ଚେରା କରିସାରିଛି। ନଏଡାରେ ହୋଇଥିବା ରେଭ୍‌ ପାର୍ଟିରେ କେଉଁଠୁ ଟଙ୍କା ଆସିଥିଲା ତାକୁ ନେଇ ଇଡି ଯାଞ୍ଚ ଜାରି ରଖିଛି।

କହିରଖୁ ଯେ, ଏକ ପାର୍ଟିରେ ସାପ ବିଷ ବ୍ୟବହାର କରିବା ଅଭିଯୋଗରେ ମାର୍ଚ୍ଚ ୧୭ ତାରିଖରେ ଏଲଭିଶ ଯାଦବଙ୍କୁ ନୋଏଡା ପୁଲିସ ଗିରଫ କରିଥିଲା। ଏହି ମାମଲାରେ ଏଲଭିଶଙ୍କ ବ୍ୟତୀତ ୬ ଜଣଙ୍କ ନାଁ ସାମିଲ ଥିଲା। ଅନ୍ୟ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ସମସ୍ତେ ସାପ ଧରାଳି ଥିଲେ। ସେମାନଙ୍କ ପାଖରୁ ୫ଟି କୋବ୍ରା ସମେତ ୯ଟି ସାପ ଉଦ୍ଧାର କରାଯାଇଥିଲା। ଏଥିସହ ୨୦ ମିଲିର ସାପ ବିଷ ମଧ୍ୟ ଜବତ ହୋଇଥିଲା।