ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ

ମୃତ ଯୁବକଙ୍କୁ ୨୬ ବର୍ଷ ହୋଇଥିଲା। ସେ ଦିଲ୍ଲୀରେ ରହି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।

ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ

ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ନୀଲେଶ ରାୟ। 

ସୋମବାର ଅପରାହ୍ନରେ ଦିଲ୍ଲୀର ପଟେଲ ନଗର ମେଟ୍ରୋ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଗତକାଲି ଅପରାହ୍ନ ପାଖାପାଖି ଅଢ଼େଇଟା ବେଳେ ରଞ୍ଜିତ ନଗର ଥାନାକୁ ଏକ ଫୋନ୍ କଲ୍ ଆସିଥିଲା। ବିଦ୍ୟୁତ୍ ଆଘାତ ଯୋଗୁ ଏକ ଲୁହା ଗେଟ୍‌ରେ ଜଣେ ଯୁବକ ଫସି ଯାଇଛନ୍ତି ବୋଲି ପୁଲିସ୍‌କୁ ସୂଚନା ମିଳିଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳେ ମଧ୍ୟ ଉକ୍ତ ଲୁହା ଗେଟ୍‌ରେ ବିଦ୍ୟୁତ୍ ପ୍ରବାହିତ ହେଉଥିଲା। ତା’ ସାଙ୍ଗକୁ ଉକ୍ତ ଅଞ୍ଚଳରେ ଥିବା ରାସ୍ତାଟି ସେତେବେଳେ ଜଳବନ୍ଦୀ ହୋଇଥିଲା। 

ପୁଲିସ୍ ନୀଲେଶଙ୍କୁ ଉଦ୍ଧାର କରି ତୁରନ୍ତ ଆରଏମ୍‌ଏଲ୍ ହସ୍‌ପିଟାଲକୁ ନେଇ ଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ନୀଲେଶ ଦିଲ୍ଲୀରେ ପେଇଂ ଗେଷ୍ଟ ଭାବେ ରହୁଥିଲେ। 

ଏହି ଘଟଣାରେ ରଞ୍ଜିତ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ୍‌କୁ ସହାୟତା କରୁଛି ଫରେନସିକ୍ ଟିମ୍।ଗେଟ୍‌ରେ କେମିତି ବିଦ୍ୟୁତ୍ ପ୍ରବାହିତ ହେଲା, ତାହା ଜାଣିବା ପାଇଁ ଘଟଣାସ୍ଥଳ ଯାଞ୍ଚ କରିଥିଲା ଫରେନସିକ୍ ଟିମ୍। ତେବେ ତଦନ୍ତ ଜାରି ରହିଥିବାରୁ ପୁଲିସ୍ ପକ୍ଷରୁ ସବିଶେଷ ସୂଚନା ଦିଆଯାଇନାହିଁ।