ୟୁସିସି: ବହୁ ବିବାହ ପ୍ରଥା ବ୍ୟାନ, ଲିଭ ଇନ ପାଇଁ କରିବାକୁ ପଡ଼ିବ ଘୋଷଣା

ବହୁ ବିବାହ ପ୍ରଥାକୁ ବ୍ୟାନ ପାଇଁ ବ୍ୟବସ୍ଥା ଥିବା ବେଳେ ସମାନ ଉତ୍ତରାଧିକାର ଓ ଲିଭ ଇନ ସମ୍ପର୍କରେ ରହିବା ପୂର୍ବରୁ ଘୋଷଣାପତ୍ର ବାଧ୍ୟତାମୂଳକ କରାଯିବା ବୋଲି ନିୟମ ରହିଛି।

ୟୁସିସି: ବହୁ ବିବାହ ପ୍ରଥା ବ୍ୟାନ, ଲିଭ ଇନ ପାଇଁ କରିବାକୁ ପଡ଼ିବ ଘୋଷଣା

ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ(ୟୁସିସି)। ଏଥିରେ କ’ଣ ସବୁ ପ୍ରାବଧାନ ରହିବ ସେଥିପାଇଁ ରାଜ୍ୟ ସରକାର ଗୋଟିଏ କମିଟି ଗଠନ କରିଥିଲେ। ଉକ୍ତ କମିଟି ଆଜି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନିକଟରେ ଡ୍ରାଫ୍ଟ ରିପୋର୍ଟ ଦାଖଲ କରିଛି।

ଏଥିରେ ବହୁ ବିବାହ ପ୍ରଥାକୁ ବ୍ୟାନ ପାଇଁ ବ୍ୟବସ୍ଥା ଥିବା ବେଳେ ସମାନ ଉତ୍ତରାଧିକାର ଓ ଲିଭ ଇନ ସମ୍ପର୍କରେ ରହିବା ପୂର୍ବରୁ ଘୋଷଣାପତ୍ର ବାଧ୍ୟତାମୂଳକ କରାଯିବା ବୋଲି ନିୟମ ରହିଛି।

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗଠିତ କମିଟି ଆଜି ମୁଖ୍ୟ ସେବକ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ଡ୍ରାଫ୍ଟ ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ହସ୍ତାନ୍ତର କରିଛି। ରିପୋର୍ଟ ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ୟୁସିସି ଡ୍ରାଫ୍ଟରେ କ’ଣ ସବୁ ରହିଛି ବ୍ୟବସ୍ଥା

୧- ଝିଅମାନଙ୍କ ବିବାହ ବୟସ ୧୮ ଓ ପୁଅଙ୍କ ବୟସ ୨୧ ବର୍ଷ ରହିବ। 

୨- ବାହାଘରର ପଞ୍ଜୀକରଣ ବାଧ୍ୟତାମୂଳକ।

୩- ଛାଡ଼ପତ୍ର ପାଇଁ ପତି ଓ ପତ୍ନୀଙ୍କର ସମାନ କାରଣ ଏବଂ ଆଧାର ରହିବା ଦରକାର। ଛାଡ଼ପତ୍ର ପାଇଁ ଯେଉଁ କାରଣ ସ୍ୱାମୀଙ୍କ ପାଇଁ ଲାଗୁ ହେବ, ସେହି କାରଣ ପତ୍ନୀଙ୍କ ପାଇଁ ମଧ୍ୟ ଲାଗୁ ହେବ।

୪- ପତ୍ନୀ ବଞ୍ଚିଥିବା ଯାଏ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିପାରିବେ ନାହିଁ। ଏହାର ଅର୍ଥ ବହୁ ବିବାହ ପ୍ରଥା ବ୍ୟାନ ହେବ।

୫- ପୁଅ ଭଳି ଝିଅର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିବ।

୬- ଲିଭ ଇନ ସମ୍ପର୍କ ପାଇଁ ଘୋଷଣାପତ୍ର ବାଧ୍ୟତାମୂଳକ ହେବ। 

୭- ପ୍ରସ୍ତାବିତ ୟୁସିସିରୁ ଅନୁସୂଚିତ ଜନଜାତି ବାହାରେ ରହିବେ।

ଆଜି ଆସିଥିବା ଡ୍ରାଫ୍ଟ ୟୁସିସିକୁ ପାସ୍‌ କରାଇବା ପାଇଁ ଫେବୃଆରୀ ୫ରୁ ୮ ଯାଏ ଉତ୍ତରାଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଶନିବାର ଏହି ଡ୍ରାଫ୍ଟକୁ କ୍ୟାବିନେଟରେ ଉପସ୍ଥାପନ କରାଯିବ। କ୍ୟାବିନେଟ ଅନୁମୋଦନ ପରେ ଆସନ୍ତା ୬ ତାରିଖରେ ଏହାକୁ ବିଧାନସଭାରେ ଉପସ୍ଥାପନ କରାଯିବ।