୧୦୦ ହମାସ୍‌ ଆତଙ୍କବାଦୀ ଗିରଫ

ଜେରୁଜେଲମ୍‌,୨୯ା୧୦: ଇସ୍ରାଏଲୀ ସୈନ୍ୟ ଉତ୍ତର ଗାଜାର କମଲ ଅଡଓ୍ବାନ ହସ୍ପିଟାଲରେ ଚଢ଼ାଉ କରି ପ୍ରାୟ ୧୦୦ ଜଣ ସନ୍ଦିଗ୍ଧ ହମାସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଏହାର ସେନା ସୋମବାର ସୂଚନା ଦେଇଛି। ସୈନ୍ୟମାନେ ଶୁକ୍ରବାର ଉକ୍ତ ହସ୍ପିଟାଲରେ ଧସେଇ ପଶିବା ସହ ଶନିବାର ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଥିଲେ। ହସ୍ପିଟାଲ ପରିସରରେ ଆତ୍ମଗୋପନ କରିଥିବା ହମାସ୍‌ ଆତଙ୍କବାଦୀମାନଙ୍କୁ ଧରାଯାଇଛି। ସେଠାରୁ ସାଧାରଣ ନାଗରିକମାନଙ୍କୁ ବାହାର କଲାବେଳେ କେତେଜଣ ଆତଙ୍କବାଦୀ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହସ୍ପିଟାଲ ଭିତରୁ ଅସ୍ତ୍ରଶସ୍ତ୍ର, […] The post ୧୦୦ ହମାସ୍‌ ଆତଙ୍କବାଦୀ ଗିରଫ appeared first on Dharitri Odia News.

୧୦୦ ହମାସ୍‌ ଆତଙ୍କବାଦୀ ଗିରଫ

ଜେରୁଜେଲମ୍‌,୨୯ା୧୦: ଇସ୍ରାଏଲୀ ସୈନ୍ୟ ଉତ୍ତର ଗାଜାର କମଲ ଅଡଓ୍ବାନ ହସ୍ପିଟାଲରେ ଚଢ଼ାଉ କରି ପ୍ରାୟ ୧୦୦ ଜଣ ସନ୍ଦିଗ୍ଧ ହମାସ୍‌ ଆତଙ୍କବାଦୀଙ୍କୁ ଗିରଫ କରିଥିବା ଏହାର ସେନା ସୋମବାର ସୂଚନା ଦେଇଛି। ସୈନ୍ୟମାନେ ଶୁକ୍ରବାର ଉକ୍ତ ହସ୍ପିଟାଲରେ ଧସେଇ ପଶିବା ସହ ଶନିବାର ପର୍ଯ୍ୟନ୍ତ ଚଢ଼ାଉ ଜାରି ରଖିଥିଲେ। ହସ୍ପିଟାଲ ପରିସରରେ ଆତ୍ମଗୋପନ କରିଥିବା ହମାସ୍‌ ଆତଙ୍କବାଦୀମାନଙ୍କୁ ଧରାଯାଇଛି। ସେଠାରୁ ସାଧାରଣ ନାଗରିକମାନଙ୍କୁ ବାହାର କଲାବେଳେ କେତେଜଣ ଆତଙ୍କବାଦୀ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହସ୍ପିଟାଲ ଭିତରୁ ଅସ୍ତ୍ରଶସ୍ତ୍ର, ଆତଙ୍କବାଦୀଙ୍କ ପାଣ୍ଠି ଏବଂ ଗୋଇନ୍ଦା ଦସ୍ତାବିଜ୍‌ ଜବତ ହୋଇଛି। ଅନ୍ୟପକ୍ଷରେ ଇସ୍ରାଏଲୀ ସୈନ୍ୟମାନେ ହସ୍ପିଟାଲର କେତେଜଣ ପୁରୁଷ କର୍ମଚାରୀଙ୍କୁ ଅଟକ ରଖିବା ସହ ହସ୍ପିଟାଲରେ କ୍ଷୟକ୍ଷତି କରିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
କେତେଜଣ ଜଣାଶୁଣା ଆତଙ୍କବାଦୀ ନିଜକୁ ମେଡିକାଲ କର୍ମଚାରୀ ପରିଚୟ ଦେଇ ହସ୍ପିଟାଲରେ ଲୁଚି ରହିଥିଲେ। ତେଣୁ ସବୁ କର୍ମଚାରୀଙ୍କୁ ଯାଞ୍ଚ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନ ଥିଲା ବୋଲି ଇସ୍ରାଏଲ୍‌ର ଜଣେ ସାମରିକ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସେନା ବାହାରିଯିବା ପରେ ହସ୍ପିଟାଲରେ କେତେକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଫୁଟେଜ୍‌ରୁ ଜଣାପଡ଼ିଛି। ତେବେ ସୈନ୍ୟମାନେ ହସ୍ପିଟାଲରେ ପ୍ରବେଶ କଲାବେଳେ କିଛିଟା କ୍ଷୟକ୍ଷତି ହୋଇଥିଲା। ଏହା ବ୍ୟତୀତ ଅକ୍ସିଜେନ ଟ୍ୟାଙ୍କ ଭଳି ଦ୍ୱୈତ ବ୍ୟବହାର୍ଯ୍ୟ ଉପକରଣଗୁଡ଼ିକୁ ଧ୍ୱଂସ କରାଯାଇଥିବା ଇସ୍ରାଏଲ୍‌ ସେନା ସ୍ବୀକାର କରିଛି।
ହସ୍ପିଟାଲ ଖାଲି କରିବାକୁ କିମ୍ବା ରୋଗୀମାନଙ୍କୁ ବିଦା କରିଦେବାକୁ ମେଡିକାଲ ଷ୍ଟାଫ୍‌ ରାଜି ହୋଇ ନ ଥିଲେ। ସେଠାରେ ବହୁସଂଖ୍ୟାରେ ବିସ୍ଥାପିତ ପାଲେଷ୍ଟିନୀୟ ମଧ୍ୟ ଆଶ୍ରୟ ନେଇଥିଲେ। ସୈନ୍ୟମାନେ ପ୍ରଥମେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ସେଠାରୁ ବାହାର କରିବା ପରେ ପୁରୁଷ ଓ ମହିଳାଙ୍କୁ ଅଲଗା କରି ଦୁଇଟି ଧାଡ଼ିରେ ଛିଡ଼ା କରାଇଥିଲେ। ପୁରୁଷମାନଙ୍କ ଦେହରେ ବସ୍ତ୍ର ନ ଥିଲା ବୋଲି ସେଠାର ଜଣେ ନର୍ସ କହିଛନ୍ତି। ସୈନ୍ୟମାନେ ଗୁଳି ଚଳାଇବାରୁ ହସ୍ପିଟାଲ ପରିସରରେ ଥିବା ଜେନେରେଟର ଏବଂ ଅକ୍ସିଜେନ୍‌ ସେଣ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟରେ ଚିକିତ୍ସିତ ହେଉଥିବା ୨ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସନ୍ଦିଗ୍ଧ ହମାସ୍‌ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ର ରହିଛି କି ନାହିଁ, ଯାଞ୍ଚ କରିବା ପାଇଁ ସେମାନଙ୍କୁ ଉଲଗ୍ନ କରାଯାଇଥିଲା। ଯାଞ୍ଚ ପରେ ସେମାନଙ୍କୁ ପୋଷାକ ଯୋଗାଇ ଦିଆଯାଇଥିଲା ବୋଲି ସେନା କହିଛି। ହସ୍ପିଟାଲ ପରିସର ନିକଟରେ ଜୋର୍‌ଦାର ଲଢ଼େଇ ହୋଇଥିଲେ ମଧ୍ୟ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ରଖାଯାଇଥିଲା। ହସ୍ପିଟାଲକୁ ଇନ୍ଧନ, ଡାକ୍ତରୀ ଉପକରଣ, ବ୍ଲଡ୍‌ ୟୁନିଟ ଯୋଗାଇ ଦିଆଯିବା ସହ ବିଦ୍ୟୁତ୍‌ ଏବଂ ଅକ୍ସିଜେନ୍‌ ସୁନିଶ୍ଚିତ କରାଯାଇଥିଲା ବୋଲି ଇସ୍ରାଏଲୀ ସେନା କହିଛି।

The post ୧୦୦ ହମାସ୍‌ ଆତଙ୍କବାଦୀ ଗିରଫ appeared first on Dharitri Odia News.