୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ତିହିଡ଼ି,୧୫।୫ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୦୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଭିନ୍ନ କାରଣ ନେଇ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇପାରି ନ ଥିବାବେଳେ ଶିକ୍ଷାଦାନରେ ସମସ୍ୟା ଉପୁଜୁଛି। କେଉଁଠି ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ଅଧାପନ୍ତରିଆ ଅବସ୍ଥାରେ ରହିଛି ତ ଆଉ କେଉଁ ବିବାଦ ଯୋଗୁ ସ୍ଥାନ ନିରୂପଣ ହୋଇପାରୁ ନାହିଁ। ପ୍ରକାଶ ଯେ, ବ୍ଲକର ୩୧ ପଞ୍ଚାୟତରେ ମୋଟ ୩୦୪ଟି ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ସେଥିମଧ୍ୟରୁ […] The post ୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ appeared first on Dharitri Odia News.

୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ତିହିଡ଼ି,୧୫।୫ (ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ୧୦୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ବିଭିନ୍ନ କାରଣ ନେଇ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇପାରି ନ ଥିବାବେଳେ ଶିକ୍ଷାଦାନରେ ସମସ୍ୟା ଉପୁଜୁଛି। କେଉଁଠି ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ଅଧାପନ୍ତରିଆ ଅବସ୍ଥାରେ ରହିଛି ତ ଆଉ କେଉଁ ବିବାଦ ଯୋଗୁ ସ୍ଥାନ ନିରୂପଣ ହୋଇପାରୁ ନାହିଁ। ପ୍ରକାଶ ଯେ, ବ୍ଲକର ୩୧ ପଞ୍ଚାୟତରେ ମୋଟ ୩୦୪ଟି ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ସେଥିମଧ୍ୟରୁ ୨୫ଟି ମିନି ଅଙ୍ଗନୱାଡି କେନ୍ଦ୍ର। ଅଦ୍ୟାବଧି ୨ଶହ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ୧୮ଟିର ନିର୍ମାଣ କାର୍ଯ୍ୟ ଚାଲିଛି। କିଛି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ଦୀର୍ଘବର୍ଷ ହେଲା ପଡ଼ିରହିଛି। ୨୩ଟି ସ୍ଥାନରେ କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ଜାଗା ମିଳିପାରୁ ନାହିଁ। ଗୋଚରରେ କେନ୍ଦ୍ର ନିର୍ମାଣ ଲାଗି ପ୍ରଶାସନ ପକ୍ଷରୁ ଅନୁମତି ମିଳିଲେ କେତେକ ସ୍ଥାନରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସିଡିପିଓ ସଙ୍ଗୀତା ସିଂ କହିଛନ୍ତି। ଅପରପକ୍ଷେ ରାଜନୈତିକ ବିବାଦରୁ ୧୭ଟି କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇପାରୁ ନ ଥିବା ଜଣାଯାଇଛି।
ପଞ୍ଚାୟତର ଛତ୍ରପଦା-୨ କେନ୍ଦ୍ର ଗୃହ ଭାଙ୍ଗି ପଡ଼ିଥିବାରୁ ସେଠାରେ ନୂତନ ଗୃହ ନିର୍ମାଣର ଆବଶ୍ୟକତା ଦେଖାଦେଇଛି। ବାରସର ପଞ୍ଚାୟତର ଦାସସାହିରେ କେନ୍ଦ୍ର ନ ଥିବାରୁ ଅଙ୍ଗନୱାଡି କର୍ମୀ ଶିଶୁମାନଙ୍କୁ ନିଜ ଘରେ ଶିକ୍ଷାଦାନ କରୁଛନ୍ତି। ସେହିପରି ବୋଡ଼କ ପଞ୍ଚାୟତର ସାନଓରାଳି-୧ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୫ ବର୍ଷ ହେଲା ଗ୍ରେଟ ବିମ୍‌ରେ ସୀମିତ ରହିଛି। ସାହାପୁର ପଞ୍ଚାୟତର ହାବୁଡାସିଂ, ଫତେପୁର ପଞ୍ଚାୟତର ଫତେପୁର-୨ ଓ ବାରିକବିନ୍ଧା, ବାରୋ ପଞ୍ଚାୟତର ବାରୋ-୨, ତଳଗୋପବିନ୍ଧା ପଞ୍ଚାୟତର ତଳଗୋପ-୧, ଗୋବିନ୍ଦପୁର ପଞ୍ଚାୟତର କୃତିବାସପୁର-୨ ପ୍ରମୁଖ କେନ୍ଦ୍ରଗୁଡ଼ିକରେ ବିବାଦୀୟ ସ୍ଥିତି ଉପୁଜି ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ। ତେବେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ମୋଟ ୭ ଲକ୍ଷ ଟଙ୍କା ଅନୁଦାନ ମିଳୁଥିବା ବେଳେ ତନ୍ମଧ୍ୟରୁ ୫ ଲକ୍ଷ ଟଙ୍କା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ଶ୍ରମିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଥିବାରୁ ଠିକାଦାରଙ୍କ ପାଇଁ ଏହା ସମସ୍ୟାର କାରଣ ପାଲଟିଛି। ଏଣୁ ନିର୍ମାଣ କାର୍ଯ୍ୟ କରିବାକୁ କେହି ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବିଡିଓ ଜ୍ୟୋତିର୍ମୟ କର କହିଛନ୍ତି, ସେ ବିଡିଓ ଦାୟିତ୍ୱ ନେବା ପରେ ପ୍ରାୟ ୧୦୦ଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଇଛନ୍ତି। ଅନ୍ୟସବୁ କେନ୍ଦ୍ରର ଗୃହ କିପରି ନିର୍ମାଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବେ।

The post ୧୦୫ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ appeared first on Dharitri Odia News.