୧୧୨ତମ 'ମନ କି ବାତ': ହସ୍ତ କାରିଗରିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭାରତରେ ହସ୍ତତନ୍ତ ସାମଗ୍ରୀର ବିକ୍ରି ୪୦୦% ବୃଦ୍ଧି ପାଇଛି।

୧୧୨ତମ 'ମନ କି ବାତ': ହସ୍ତ କାରିଗରିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୨ତମ 'ମନ କି ବାତ୍' କାର୍ଯ୍ୟକ୍ରମରେ ପ୍ୟାରିସ ଅଲିମ୍ପିକ୍ସ, ହସ୍ତତନ୍ତ ବ୍ୟବସାୟ ସହ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି। ଇଣ୍ଟରନ୍ୟାସନାଲ୍ ମ୍ୟାଥସ୍ ଅଲିମ୍ପିୟାନ୍‌ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କୁ ପ୍ୟାରିସ ଅଲିମ୍ପିକ୍ସ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।

ଏଥିସହ ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସମେତ ଭାରତର ବିଭିନ୍ନ ହସ୍ତତନ୍ତ ବ୍ୟବସାୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ହସ୍ତତନ୍ତ ବ୍ୟବସାୟ ଦ୍ରୁତ ଗତିରେ ଆଗକୁ ବଢୁଛି। ଲୋକଙ୍କ ମଧ୍ୟରେ ହସ୍ତ କାରିଗରି ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି।

ଖଦି ଗ୍ରାମ ଇଣ୍ଡଷ୍ଟ୍ରିଜ୍ ବ୍ୟବସାୟ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ହସ୍ତତନ୍ତ ସାମଗ୍ରୀର ବିକ୍ରି ୪୦୦% ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ହସ୍ତତନ୍ତ ବ୍ୟବସାୟକୁ ଆଗକୁ ବଢାଉଥିବା ମହିଳାମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। 

ହରିଆଣାର ରୋହତକରେ ହ୍ୟାଣ୍ଡଲୁମ୍ ଇଣ୍ଡଷ୍ଟ୍ରି ସହ ଜଡ଼ିତ ମହିଳାଙ୍କ ଅଗ୍ରଗତି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରୋହତକ ଜିଲ୍ଲାର ୨୫୦ରୁ ଅଧିକ ମହିଳାଙ୍କ ଜୀବନ ସମୃଦ୍ଧ ହୋଇପାରିଛି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀ, ଓଢଣୀ ଏବଂ ବେଡସିଟର ଚାହିଦା ରହିଛି।  

ଏଥିସହ ବ୍ୟାଘ୍ର ଦିବସ ଉପରେ ମଧ୍ୟ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆସନ୍ତାକାଲି ସାରା ବିଶ୍ୱରେ ବ୍ୟାଘ୍ର ଦିବସ ପାଳନ କରାଯିବ। ଭାରତରେ ବାଘ ସଂସ୍କୃତିର ଏକ ଅଂଶ। ବାଘ ସଂରକ୍ଷଣ ପାଇଁ ପ୍ରୟାସ କରାଯାଉଛି। ଦେଶରେ ବାଘ ସଂଖ୍ୟା ସହ ଜଙ୍ଗଲ କ୍ଷେତ୍ର ମଧ୍ୟ ବୃଦ୍ଧି ପାଉଛି। ବାଘ ସଂରକ୍ଷଣରେ ଜନସାଧାରଣଙ୍କ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।