ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ

ବରଗଡ଼୍‌,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ରହିଥିଲା। ଚଳିତବର୍ଷ ଗ୍ରୀନ୍‌ ନୋବେଲ ପୁରସ୍କାର ବିଜେତା ତଥା ଛତିଶଗଡ଼ ବଚାଓ ଆନ୍ଦୋଳନର ଆବାହକ ଆଲୋକ ଶୁକ୍ଳା ଏଥିରେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ବର୍ତ୍ତମାନ ଦେଶରେ କ୍ରୋନିକ୍‌ କେପିଟାଲିଜମ୍‌ର ଦୌର ଚାଲିଛି। ସେହି କ୍ରୋନିକ୍‌ କେପିଟାଲିଜମ୍‌ ଛତିଶଗଡ଼, […] The post ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ appeared first on Dharitri Odia News.

ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ

ବରଗଡ଼୍‌,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ରହିଥିଲା। ଚଳିତବର୍ଷ ଗ୍ରୀନ୍‌ ନୋବେଲ ପୁରସ୍କାର ବିଜେତା ତଥା ଛତିଶଗଡ଼ ବଚାଓ ଆନ୍ଦୋଳନର ଆବାହକ ଆଲୋକ ଶୁକ୍ଳା ଏଥିରେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ।

ସେ କହିଥିଲେ, ବର୍ତ୍ତମାନ ଦେଶରେ କ୍ରୋନିକ୍‌ କେପିଟାଲିଜମ୍‌ର ଦୌର ଚାଲିଛି। ସେହି କ୍ରୋନିକ୍‌ କେପିଟାଲିଜମ୍‌ ଛତିଶଗଡ଼, ଓଡ଼ିଶା, ଝାରଖଣ୍ଡ ସମେତ ସମଗ୍ର ଦେଶର ଖଣିଜ ସମ୍ପଦ, ଜଙ୍ଗଲ, ଜମି ଲୁଟ୍‌ ପାଇଁ ସରକାର ସବୁ ପ୍ରକାର ନୀତିନିୟମ ସହିତ ସମ୍ବିଧାନକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ପଛଘୁଞ୍ଚା ଦେଉନାହିଁ। ତାର ଏକ ନଗ୍ନ ଉଦାହରଣ ହେଉଛି ଛତିଶଗଡ଼ର ସହଦେବ ଜଙ୍ଗଲ। ଏହି ଜଙ୍ଗଲ ତଳେ ଥିବା କୋଇଲା ଉପରେ ବଡ଼ ଦେଶୀ, ବିଦେଶୀ କମ୍ପାନୀଙ୍କ ଲୋଲୁପଦୃଷ୍ଟି ପଡିଛି। ଏହି ଜଙ୍ଗଲ ସହିତ ଛତିଶଗଡ଼କୁ ରକ୍ଷା କରିବା ପାଇଁ ଆଦିବାସୀମାନଙ୍କ ଲଢ଼େଇ ଜାରି ରହିଛି। ସହଦେବ ଜଙ୍ଗଲର ଲଢ଼େଇରେ ଓଡ଼ିଶାର ସ୍ବାର୍ଥ ଯୋଡ଼ି ହୋଇ ରହିଛି। ହୀରାକୁଦ ନଦୀବନ୍ଧ ଏବଂ ଜଙ୍ଗଲ ରହିଛି ବୋଲି ପାଣି ଅଛି। ଛତିଶଗଡ଼ର ଛୋଟ ଛୋଟ ନଦୀନାଳ ପାଇଁ ମହାନଦୀର ସ୍ରୋତ ରହିଛି। ମହାନଦୀ ବଞ୍ଚିଲେ ଯାଇ ହୀରାକୁଦ ବଞ୍ଚିବ ଏବଂ ଚାଷ ବଞ୍ଚିବ ବୋଲି ସେ କହିଥିଲେ।

ଶୁକ୍ଳା ଆହୁରି କହିଥିଲେ, ଦେଶରେ ଚାଲିଥିବା ଆଦିବାସୀ, ଚାଷୀ ଦଳିତ ଆନ୍ଦୋଳନ ସବୁ ଏକତ୍ରିତ ହୋଇ ସମାଜ ତଥା ସଭ୍ୟତାକୁ ବଞ୍ଚାଇବାକୁ ପଡ଼ିବ। କିଶନ ପଟ୍ଟନାୟକ ତାହା ହିଁ କରୁଥିଲେ ଏବଂ ସେ ଏ ଦୁନିଆଁ ବିକଳ୍ପହୀନ ନୁହେଁ ବୋଲି ଲେଖି ମଧ୍ୟ ଯାଇଛନ୍ତି। ଫଳରେ ସେହି ବିଚାରଧାରାକୁ ଆଧାର କରି ଆଗକୁ ବଢ଼ିବାକୁ ହେବ ବୋଲି ଶୁକ୍ଳା ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଲୋକ ଶୁକ୍ଳା, ପଦ୍ମପୁର ଲୁ ନାଟ୍ୟ ସଂସଦର କେଶରଞ୍ଜନ ପ୍ରଧାନ ଏବଂ ପରିବେଶ ସୁରକ୍ଷା କର୍ମୀ ମୀନକେତନ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଜିତ ପାଣିଗ୍ରାହୀ ଏବଂ କିଶୋର ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପରେ ନାଟ୍ୟ ସଂସଦର କଳାକାରମାନେ ନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ କିଶନ ପଟ୍ଟନାୟକ ସମତା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ସଭାପତିତ୍ୱ କରିଥିଲେ। ଅରୁଣ କୁମାର ସାହୁ ପ୍ରାରମ୍ଭିକ ସଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଜିଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।

The post ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ appeared first on Dharitri Odia News.