୧୬ହଜାର ୯ଜଣ ସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ
‘କଂଚାମାଟିକୁ ନିଜ ହାତର ସ୍ପର୍ଶରେ କୁମ୍ଭାର ଯେମିତି ସୁନ୍ଦର କୃତ୍ତି ନିର୍ମାଣ କରିଥାଏ, ଠିକ୍ ସେହିପରି ଏକ ନିଷ୍ପାପ ଶିଶୁକୁ ଦାୟିତ୍ୱସମ୍ପନ୍ନ ତଥା ଜ୍ଞାନୀଗୁଣୀ ଭାବେ ଗଢ଼ିବାର ଗୁରୁଦାୟିତ୍ୱ ଆପଣମାନଙ୍କ କାନ୍ଧରେ ରହିଛି ।’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୧୯ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ନିଯୁକ୍ତି ପତ୍ର ଏକକାଳୀନ ପ୍ରଦାନ କରାଯାଇଛି ।
ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏହି ନିଯୁକ୍ତି ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଶିକ୍ଷକତା ହେଉଛି ଏ ଦୁନିଆରେ ସବୁଠୁ ମହତ କାର୍ଯ୍ୟ । ସବୁଠୁ ସମ୍ମାନସ୍ପଦ ବୃତ୍ତି । ନୂଆ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସେ ୫ଟି ପରାମର୍ଶ ଦେଇଛନ୍ତି । କଂଚାମାଟିକୁ ନିଜ ହାତର ସ୍ପର୍ଶରେ କୁମ୍ଭାର ଯେମିତି ସୁନ୍ଦର କୃତ୍ତି ନିର୍ମାଣ କରିଥାଏ, ଠିକ୍ ସେହିପରି ଏକ ନିଷ୍ପାପ ଶିଶୁକୁ ଦାୟିତ୍ୱସମ୍ପନ୍ନ ତଥା ଜ୍ଞାନୀଗୁଣୀ ଭାବେ ଗଢ଼ିବାର ଗୁରୁଦାୟିତ୍ୱ ଆପଣମାନଙ୍କ କାନ୍ଧରେ ରହିଛି । ଆମ ସରକାର ସର୍ବଦା କାମରେ ବିଶ୍ୱାସ କରେ । ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି । ତେଣୁ ସରକାରର ୧୦୦ଦିନର ପୂର୍ତ୍ତି ଅବସରରେ ଶିକ୍ଷା ବିଭାଗ ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଆଣିଛନ୍ତି ।
ପୂର୍ବ ସରକାର ଫାଇଭ-ଟି ସ୍କୁଲ ରୂପାନ୍ତରଣ ନାଁରେ ହାଇସ୍କୁଲଗୁଡ଼ିକରେ ଅଯଥା ଖର୍ଚ୍ଚ କରିଚାଲିଲେ । କିନ୍ତୁ ପ୍ରାଥମିକ ଶିକ୍ଷା ଉପରେ ଧ୍ୟାନ ଦେଲେ ନାହିଁ। ମୂଳରୁ ପିଲା ଦୁର୍ବଳ ହେଲେ ଉଚ୍ଚଶ୍ରେଣୀରେ ପାଠ ପଢ଼ିବାକୁ କ’ଣ ଯୋଗ୍ୟ ହୋଇପାରିବ କି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ ପ୍ରାଥମିକସ୍ତରରୁ ପିଲାଙ୍କୁ ଶିକ୍ଷାକ୍ଷେତ୍ରରେ ମଜଭୂତ କରିବା ପାଇଁ ଆମ ସରକାର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ଡ୍ରପଆଉଟ ହାର କମାଇବା ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ୫ହଜାର ଟଙ୍କାର ସହାୟତା ଓ ନିପୁଣ ଓଡ଼ିଶା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ସେ କହିଥିଲେ ।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡ଼ିଶାରେ ପ୍ରାୟ ୭୬.୪୯ଲକ୍ଷ ପିଲା ସ୍କୁଲରେ ପଢ଼ୁଛନ୍ତି । ସେମାନଙ୍କୁ ଶିକ୍ଷିତ ଓ ନିର୍ଭୀକ କରି ଗଢ଼ିତୋଳିବାର ଦାୟିତ୍ୱ ହେଉଛି ଶିକ୍ଷକମାନଙ୍କର । ଓଡ଼ିଶାରେ ଧନୀ ଲୋକ ନାହାନ୍ତି କିନ୍ତୁ ଜ୍ଞାନୀ ଲୋକଙ୍କ ଅଭାବ ନାହିଁ । ଆଗାମୀ ଦିନରେ ଜ୍ଞାନ ଆଧାରିତ ବିକଶିତ ଭାରତର ମୂଳକେନ୍ଦ୍ର ହେବେ ଶିକ୍ଷକସମାଜ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେଇଥିଲେ ।