୨୯୭ ରନର ଇନିଂସ ଖେଳି ଚର୍ଚ୍ଚାରେ ସେହୱାଗଙ୍କ ପୁଅ

ମେଘାଳୟ ବିପକ୍ଷ ମ୍ୟାଚରେ ଗୁରୁବାର ଖେଳ ଶେଷ ବେଳକୁ ଆର୍ଯ୍ୟବୀର ୨୦୦ ରନ କରି ଅପରାଜିତ ରହିଥିଲେ। ଆଜି ସେ ଆଉ ୯୭ ରନ କରି ଆଉଟ ହୋଇଛନ୍ତି।

୨୯୭ ରନର ଇନିଂସ ଖେଳି ଚର୍ଚ୍ଚାରେ ସେହୱାଗଙ୍କ ପୁଅ

ଚର୍ଚ୍ଚାରେ ଟିମ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଙ୍କ ପୁଅ ଆର୍ଯ୍ୟବୀର। ସେ ଦିଲ୍ଲୀ ପାଇଁ ମେଘାଳୟ ବିପକ୍ଷ ଅଣ୍ଡର ୧୯ କୁଚ ବେହାର ଟ୍ରଫିରେ କମାଲ କରିଛନ୍ତି। ସେ ଏକାକୀ ୨୯୭ ରନର ଇନିଂସ ଖେଳି ନିଜ ଜଲୱାର ପରିଚୟ ଦେଇଛନ୍ତି।

ବିସିସିଆଇର ଅନ୍ୟତମ ବଡ଼ ଟୁର୍ଣ୍ଣାମେଣ୍ଟରେ ଆର୍ଯ୍ୟବୀର ଦମଦାର ଇନିଂସ ଖେଳିଥିବାରୁ ନିଜ ପୁଅଙ୍କୁ ସେହୱାଗ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ଆଗକୁ ଏପରି ବ୍ୟାଟିଂ ଜାରି ରଖିବାକୁ କହିଛନ୍ତି।

ମେଘାଳୟ ବିପକ୍ଷ ମ୍ୟାଚରେ ଗୁରୁବାର ଖେଳ ଶେଷ ବେଳକୁ ଆର୍ଯ୍ୟବୀର ୨୦୦ ରନ କରି ଅପରାଜିତ ରହିଥିଲେ। ଆଜି ସେ ଆଉ ୯୭ ରନ କରି ଆଉଟ ହୋଇଛନ୍ତି। ସେ ୩୦୯ ବଲରେ ୨୯୭ ରନର ଇନିଂସ ଖେଳିଥିବା ବେଳେ ଏଥିରେ ୫୧ଟି ଚୌକା ଓ ୩ଟି ବିଶାଳ ଛକା ରହିଛି। ତାଙ୍କର ଏହି ଇନିଂସ ଯୋଗୁ ଦିଲ୍ଲୀ ପ୍ରଥମ ଇନିଂସରେ ୫ ୱିକେଟ ହରାଇ ୬୨୩ ରନ କରିବା ପରେ ପାଳି ଘୋଷଣା କରିଛି।

ଏହି ମ୍ୟାଚରେ ମେଘାଳୟ ପ୍ରଥମ ବ୍ୟାଟିଂ ପ୍ରଥମ ଇନିଂସରେ ୨୬୦ ରନ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ଦିଲ୍ଲୀ ପାଇଁ ଆର୍ଯ୍ୟବୀର ଓ ଅର୍ଣ୍ଣବ ବୁଗା ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୮୦ ରନ ଯୋଡ଼ିଥିଲେ। ଏହି ସମୟରେ ଅର୍ଣ୍ଣବ ୧୦୮ ବଲରେ ୧୧୪ ରନ କରି ଆଉଟ ହୋଇଥିଲେ। ତେବେ ଆର୍ଯ୍ୟବୀର ଦମଦାର ବ୍ୟାଟିଂ କରି ପ୍ରଥମେ ଦୁଇ ଶତକ ଓ ଆଜି ଆଉ ୯୭ ରନ କରି ଆଉଟ ହୋଇଛନ୍ତି।

ଆର୍ଯ୍ୟବୀର ଚଳିତ ବର୍ଷ ଅକ୍ଟୋବରରେ ଭିନୁମଙ୍କଡ ଟ୍ରଫିରେ ଦିଲ୍ଲୀ ପାଇଁ ଡେବ୍ୟୁ କରିଥିଲେ। ସେ ମଣିପୁର ବିପକ୍ଷରେ ମ୍ୟାଚ ବିଜୟୀ ୪୯ ରନ କରିଥିଲେ। ୧୫ ବର୍ଷ ବୟସରେ ଆର୍ଯ୍ୟବୀର ଦମଦାର ପ୍ରଦର୍ଶନ କରୁଥିବାରୁ ସେହୱାଗ ତାଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଆଇପିଏଲ ଖେଳିବା ପାଇଁ ପୁଅ କଠିନ ପରିଶ୍ରମ କରୁଥିବା ମଧ୍ୟ ସେହୱାଗ କହିଛନ୍ତି।