୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ କାରିଗର ହସ୍ତତନ୍ତ ମାଧ୍ୟମରେ ଉତ୍ପାଦନ କରିବା ଛାଡ଼ିଦେଇଛନ୍ତି। କେନ୍ଦ୍ରାପଡ଼ା ଧୋତି, ଗାମୁଛା ଓ ଲୁଗାର ସାମଗ୍ରିକ ମୂଲ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିଲେ ମଧ୍ୟ କାରିଗର ଏହି ବୃତ୍ତି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ତନ୍ତ ବ୍ୟବସାୟ ସେବା ସମିତି ଏବେ ଇତିହାସ ହେବାକୁ ବସିଛି। ଠାକୁରହାଟ […] The post ୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ appeared first on Dharitri Odia News.

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ କାରିଗର ହସ୍ତତନ୍ତ ମାଧ୍ୟମରେ ଉତ୍ପାଦନ କରିବା ଛାଡ଼ିଦେଇଛନ୍ତି। କେନ୍ଦ୍ରାପଡ଼ା ଧୋତି, ଗାମୁଛା ଓ ଲୁଗାର ସାମଗ୍ରିକ ମୂଲ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିଲେ ମଧ୍ୟ କାରିଗର ଏହି ବୃତ୍ତି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ତନ୍ତ ବ୍ୟବସାୟ ସେବା ସମିତି ଏବେ ଇତିହାସ ହେବାକୁ ବସିଛି। ଠାକୁରହାଟ ଗ୍ରାମର କାରିଗର କିଶୋର କହିଛନ୍ତି ଯେ, କୁଶିଆପାଳ, ଡିହସାହି, ହରିପୁର, କୋରୁଆ, କୁତରଙ୍ଗ, କେଉଟଗଡ଼ା ଆଦି ଗ୍ରାମରେ ଜିଲାର ୧୦ ହଜାରରୁ ଅଧିକ କାରିଗର ତନ୍ତ ଉପରେ ନିର୍ଭରକରି ଚଳୁଥିଲେ। କସ୍ତା, ଗାମୁଛା, ଧୋତି, ଚାଦର ଆଦିର ଚାହିଦା ଦେଶ ବିଦେଶରେ ଥିଲା। ସ୍ବାଧୀନତା ସଂଗ୍ରାମ କାଳରେ ସ୍ଥାନୀୟ ସଂଗ୍ରାମୀଙ୍କ ଉଦ୍ୟମରେ କୁଶିଆପାଳ ଗ୍ରାମର ଏକ ଶିକ୍ଷାନୁଷ୍ଠାନରେ କୌଳିକ ବୃତ୍ତିକୁ ସାମିଲ କରି ଏଠାରେ ମୌଳିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ସାମ୍ପ୍ରତିକ ସମୟରେ ହସ୍ତତନ୍ତ ସାମଗ୍ରୀର ଚାହିଦା ସତ୍ତ୍ୱେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କୁଟିରଶିଳ୍ପ ବନ୍ଦ ହୋଇଥିବା ପ୍ରକାଶ କରିଛନ୍ତି। କୋରୁଆ ଗ୍ରାମର ନାରାୟଣ ଭଦ୍ର କହିଛନ୍ତି, ଏହି ସାମଗ୍ରୀର ଚାହିଦା ରାଜ୍ୟ ସମେତ ଦେଶ ବିଦେଶରେ ଅଛି। କୃଷି ପରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କେନ୍ଦ୍ରାପଡ଼ା ଜିଲାର ପ୍ରାୟ ୩ ହଜାର କାରିଗର ଏବେ ବି ହସ୍ତତନ୍ତ ସାମଗ୍ରୀ ନିର୍ମାଣରେ ପ୍ରତ୍ୟହ ବ୍ୟସ୍ତ ଥା’ନ୍ତି। ମାତ୍ର ଏଥିରୁ ହେଉଥିବା ଆୟ ପରିବାର ଭରଣପୋଷଣଯୋଗ୍ୟ ହୋଇ ରହିନାହିଁ। ଯୁବବର୍ଗ ଏବେ କର୍ମନିଯୁକ୍ତି ପାଇଁ ତନ୍ତ ଛାଡ଼ି ବିଦେଶକୁ ଯାଉଛନ୍ତି। କୁଶିଆପାଳ ହସ୍ତତନ୍ତ ସମବାୟ ସମିତି ସଭାପତି ହରେକୃଷ୍ଣ ଦାସ କହିଛନ୍ତି, ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଲୁଗା ବହୁ ବିକ୍ରି ହେଉଥିବା ବେଳେ ହସ୍ତତନ୍ତରେ ନିର୍ମିତ ଶାଢ଼ିର ଚାହିଦା ଆଗପରି ଅଛି। ବିଶେଷକରି ବିବାହ, ବ୍ରତ, ପୂଜା ପାର୍ବଣରେ ହସ୍ତତନ୍ତ ସାମଗ୍ରୀର ବିକ୍ରି ଅଧିକ ହୋଇଥାଏ। ଏଥିପାଇଁ ଜିଲାର ବିଭିନ୍ନ ସ୍ଥାନରୁ ବରାଦ କରି ତନ୍ତ ସାମଗ୍ରୀ କ୍ରୟ କରାଯାଉଛି। କୋରୁଆ ଗ୍ରାମର ଅଜୟ କୁମାର ବେହେରା କହିଛନ୍ତି, କାରିଗର ଆବଶ୍ୟକ କଞ୍ଚାମାଲ ପାଇପାରୁନାହାନ୍ତି। ସେହିପରି କେତେକ ରାସାୟନିକ ଦ୍ରବ୍ୟର କଟକଣା ପାଇଁ ଉନ୍ନତମାନର ସାମଗ୍ରୀ ନିର୍ମାଣରେ ବାଧା ସୃଷ୍ଟି ହୋଇଛି। ସାମଗ୍ରୀ ଉତ୍ପାଦନରେ ବ୍ୟୟ ହେଉଥିବା ଅର୍ଥ ବିକ୍ରି ପରେ ଆଶାନୁରୂପକ ଲାଭ ହେଉନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜର ଝେଲ ଶାଢ଼ି ଅଥବା ମମ୍ବଲପୁରୀ ଶାଢ଼ି ପିନ୍ଧିବା ଦ୍ୱାରା ସେହି ବସ୍ତ୍ରର ପ୍ରଚାର ପ୍ରସାର ହୋଇପାରୁଛି। ତେବେ କେନ୍ଦ୍ରାପଡ଼ା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଜିଲା ପ୍ରଶାସନ, ରାଜ୍ୟ ସରକାରଙ୍କର କୌଣସି ଉଦ୍ୟମ ନାହିଁ। ଏହାର ଚାହିଦା କମୁଥିବାରୁ ଏହି ପୁରାତନ କୁଟିରଶିଳ୍ପ ନଷ୍ଟ ହେବାକୁ ବସିଛି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରାଜ୍ୟ ସରକାର ହସ୍ତତନ୍ତକୁ ଗୁରୁତ୍ୱ ଦେଇଛନ୍ତି। ଖଦି ବୋର୍ଡ ଓ ବୟନିକା ମଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ବୟନିକାକୁ ୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ା ଏହି ଅର୍ଥରେ କାରିଗରଙ୍କଠାରୁ ହସ୍ତତନ୍ତ ସାମଗ୍ରୀ କିଣାଯାଉଛି। ଏହାଦ୍ୱାରା ଜିଲାର କାରିଗରମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

The post ୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ appeared first on Dharitri Odia News.