୩ ବର୍ଷର ଶିଶୁ ଉପରେ ପଡ଼ିଗଲା କୁକୁର, ଚାଲିଗଲା ଜୀବନ; ସିସିଟିଭିରେ କଏଦ ହୋଇଛି ପୂରା ଦୃଶ୍ୟ

ଝିଅଟିର ମୃତ୍ୟୁ ଘଟିଥିବା ବେଳେ ଉଚ୍ଚରୁ ପଡ଼ିଥିବା କୁକୁରଟି ମଧ୍ୟ ଆଘାତ ପାଇଛି। ତାକୁ ଉଦ୍ଧାର କରାଯାଇ ଏକ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

୩ ବର୍ଷର ଶିଶୁ ଉପରେ ପଡ଼ିଗଲା କୁକୁର, ଚାଲିଗଲା ଜୀବନ; ସିସିଟିଭିରେ କଏଦ ହୋଇଛି ପୂରା ଦୃଶ୍ୟ

ମା’ ସହିତ ବୁଲି ବାହାରିଥିଲେ ଜଣେ ୩ ବର୍ଷର ଝିଅ। ମା’ର ହାତ ଧରି ଚାଲି ଚାଲି ଯାଉଥିବା ବେଳେ ହଠାତ୍ ତାଙ୍କ ଉପରେ ପଡ଼ିଲା ଏକ କୁକୁର (Golden Retriever ପ୍ରଜାତିର କୁକୁର)। ସେ ଚେତାଶୂନ୍ୟ ହୋଇଗଲେ। ତାଙ୍କ ମା’ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଗଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। 

ଗତକାଲି ଏହି ଘଟଣାଟି ଘଟିଛି ମୁମ୍ବାଇଠାରୁ ପ୍ରାୟ ୩୦ କିମି ଦୂର ମୁମ୍ବ୍ରାର ଅମୃତ ନଗରରେ। ଶିଶୁ କନ୍ୟାଟି ଉପରେ କୁକୁର ପଡ଼ିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

ମା’ଝିଅ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପାଖରେ ଥିବା ଏକ କୋଠାର ୫ମ ମହଲାରୁ କୁକୁରଟି ପଡ଼ିଥିଲା। କୁକୁରଟି ସିଧାସଳଖ ଆସି ଛୋଟ ଛୁଆଟି ଉପରେ ପଡ଼ିଥିଲା।

ଝିଅଟିର ମୃତ୍ୟୁ ଘଟିଥିବା ବେଳେ ଏତେ ଉଚ୍ଚରୁ ପଡ଼ିଥିବା କୁକୁରଟି ମଧ୍ୟ ଆଘାତ ପାଇଛି। ତାକୁ ଉଦ୍ଧାର କରାଯାଇ ଏକ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସିସିଟିଭିରେ ରେକର୍ଡ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ୫ ମହଲା ଉପରୁ ପଡ଼ିବାର ଅଳ୍ପ କେଇ ସେକେଣ୍ଡ ମଧ୍ୟରେ କୁକୁରଟି ନିଜେ ଉଠିପଡ଼ିଥିଲା। 

କୁକୁରଟି କୋଠାର ୫ମ ମହଲାରୁ କେମିତି ପଡ଼ିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। ତାକୁ କେହିଁ ଠେଲି ଦେଇଥିଲେ ନା ଫୋପାଡ଼ି ଦେଇଥିଲେ ନା ସେ ଦୁର୍ଘଟଣା ବଶତଃ ପଡ଼ିଗଲା, ତାହା ସ୍ପଷ୍ଟ ହୋଇପାରିନି। ପୁଲିସ ଘଟଣାର ତଦନ୍ତ କରୁଛି।