୩ ବାଇକ୍‌କୁ ଧକ୍କା ଦେଲା ଡମ୍ଫର; ଜଣେ ମୃତ, ୨ ମୃତ୍ୟୁ ମୁଖରୁ ବର୍ତ୍ତିଲେ

ଦୁର୍ଘଟଣାର ପରେ ଡମ୍ଫର ଛାଡ଼ି ଚମ୍ପଟ ମାରିଛନ୍ତି ଡ୍ରାଇଭର। ସ୍ଥାନୀୟ ଲୋକେ ବାଇକ୍‌ ଚାଳକ ମାନଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

୩ ବାଇକ୍‌କୁ ଧକ୍କା ଦେଲା ଡମ୍ଫର; ଜଣେ ମୃତ, ୨ ମୃତ୍ୟୁ ମୁଖରୁ ବର୍ତ୍ତିଲେ

୩ ବାଇକ୍‌କୁ ଧକ୍କା ଦେଲା ଡମ୍ଫର। ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଅପରାହ୍ନରେ ଏପରି ସିରିଜ୍‌ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଟାଉନ୍‌ରେ ଘଟିଛି।

ଶେରଗଡ଼ରୁ ଏକ ଡମ୍ଫର ଦ୍ରୁତ ଗତିରେ ଯାଉଥିବା ବେଳେ ନୀଳଗିରି ମହିଳା ମହାବିଦ୍ୟାଳୟ ନିକଟରେ ମାନଗୋବିନ୍ଦ ମୁଦୁଲିଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଡମ୍ଫରଟି ତାଙ୍କ ବାଇକ୍‌ ଉପରେ ଚଢ଼ି ଯାଇଥିଲା। ମାନଗୋବିନ୍ଦଙ୍କ ପଛରେ ଆସୁଥିବା ଆଉ ଦୁଇଟି ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା ଡମ୍ଫର। ହେଲେ ସେମାନେ ବାଇକ୍‌ ଛାଡ଼ି ଡେଇଁ ପଡ଼ିଥିବାରୁ ଜୀବନ ବଞ୍ଚି ଯାଇଛି।

ଦୁର୍ଘଟଣାର ପରେ ଡମ୍ଫର ଛାଡ଼ି ଚମ୍ପଟ ମାରିଛନ୍ତି ଡ୍ରାଇଭର। ସ୍ଥାନୀୟ ଲୋକେ ବାଇକ୍‌ ଚାଳକ ମାନଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ତେଣୁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ନିଆଯାଉଥିବା ବେଳେ ଭଦ୍ରକଠାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମାନଗୋବିନ୍ଦଙ୍କ ଘର କେଉଁଠି ଜଣାପଡ଼ି ନାହିଁ। ସେ ନୀଳଗିରିରେ ରହି କାମ କରୁଥିଲେ।

ଦୁର୍ଘଟଣା ପରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ନୀଳିଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ପ୍ରସମିତ ହୋଇଛି। ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ପୁଲିସ୍‌ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ନୀଳଗିରିରୁ ବିଶ୍ୱମ୍ଭର ଦାସ