୫୦ ହେକ୍ଟର ଜମିରେ ହେବ ନୂତନ ଜଙ୍ଗଲ: ବୁଦୁଲିରେ ଓଭର ବ୍ରିଜ ଯୋଜନା
ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଖଣି ଖୋଳିବା ଏବଂ ରାସ୍ତା ସମ୍ପ୍ରସାରଣ ସମୟରେ ଯେତିକି ଜଙ୍ଗଲ କ୍ଷୟ ହେଉଛି ତାର ଦୁଇଗୁଣା ନୂତନ ଜଙ୍ଗଲ ରାଜ୍ୟର ଯେକୌଣସି ସ୍ଥାନରେ ସୃଷ୍ଟି କରିବା ନିୟମ ଅଛି। ତେଣୁ ଆଦାନୀ ଗ୍ରୁପ ମହାନଦୀ କୋଲ ବ୍ଲକ ଜଙ୍ଗଲ କ୍ଷତିକୁ ଭରଣ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରେ ୫୦ ହେକ୍ଟର ଜମିରେ ନୂତନ ଜଙ୍ଗଲ କରିବ। ଏଥିପାଇଁ ଆଦାନୀ ଗ୍ରୁପ ବୁଗୁଡ଼ା ଏବଂ ସୋରଡ଼ା ରେଞ୍ଜରେ ୫୦ ହେକ୍ଟର ବେସରକାରୀ […] The post ୫୦ ହେକ୍ଟର ଜମିରେ ହେବ ନୂତନ ଜଙ୍ଗଲ: ବୁଦୁଲିରେ ଓଭର ବ୍ରିଜ ଯୋଜନା appeared first on Dharitri Odia News.
ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଖଣି ଖୋଳିବା ଏବଂ ରାସ୍ତା ସମ୍ପ୍ରସାରଣ ସମୟରେ ଯେତିକି ଜଙ୍ଗଲ କ୍ଷୟ ହେଉଛି ତାର ଦୁଇଗୁଣା ନୂତନ ଜଙ୍ଗଲ ରାଜ୍ୟର ଯେକୌଣସି ସ୍ଥାନରେ ସୃଷ୍ଟି କରିବା ନିୟମ ଅଛି। ତେଣୁ ଆଦାନୀ ଗ୍ରୁପ ମହାନଦୀ କୋଲ ବ୍ଲକ ଜଙ୍ଗଲ କ୍ଷତିକୁ ଭରଣ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରେ ୫୦ ହେକ୍ଟର ଜମିରେ ନୂତନ ଜଙ୍ଗଲ କରିବ। ଏଥିପାଇଁ ଆଦାନୀ ଗ୍ରୁପ ବୁଗୁଡ଼ା ଏବଂ ସୋରଡ଼ା ରେଞ୍ଜରେ
୫୦ ହେକ୍ଟର ବେସରକାରୀ ଜମି କିଣିଛି ଚାରା ରୋପଣ ପାଇଁ ଉକ୍ତ ଜମି ଆଦାନୀ ଗ୍ରୁପ ବନ ବିଭାଗକୁ ହସ୍ତାନ୍ତର କରିବ। ଏଥିସହ ସେଠାରେ ଚାରା ଲଗାଇବା ଏବଂ ତାହାର ୧୦ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟ ଟଙ୍କା ଦେବ। ଏହାପରେ ବନ ବିଭାଗ ଚାରା ଲଗାଇବ। ଉକ୍ତ ଜମିରେ ହେକ୍ଟର ପିଛା ୫ ଶହ ଚାରା ରୋପଣ କରାଯିବ।
ଉକ୍ତ ୫୦ ହେକ୍ଟର ସହ ଆହୁରି ୯୦ ହଜାର ଚାରା ରୋପଣ (କ୍ଷତିପୂରଣ ବନୀକରଣ ଯୋଜନାରେ) ଆଦାନୀ ଗ୍ରୁପ ପକ୍ଷରୁ କରାଯିବ। ଏଥିପାଇଁ ଘୁମୁସର ଦକ୍ଷିଣ ବନଖଣ୍ଡ, ଉତ୍ତର ବନଖଣ୍ଡ, ଫୁଲବାଣୀ ଏବଂ ସାତକୋଶିଆ କେନ୍ଦୁପତ୍ର ବନଖଣ୍ଡ, ବଲାଙ୍ଗିର ଓ ବରଗଡ ବନଖଣ୍ଡରେ ଜମି ଖୋଜା ଚାଲିଛି। ତେଣୁ ଆଦାନୀ ଗ୍ରୁପର ଏକ ଟିମ ମଙ୍ଗଳବାର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲ ପରିଦର୍ଶନ କରିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡରେ ୨୦ ହେକ୍ଟର ଜମିରେ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିସହ ରାଞ୍ଚି ବିଜୟୱାଡା କରିଡ଼ର ୨୦୧୭ ମସିହାରେ ସମ୍ପ୍ରସାରଣ ସମୟରେ ଅନେକ ମୂଲ୍ୟବାନ ଗଛ ରାସ୍ତାକଡ଼ରୁ କଟା ଯାଇଥିଲା।
ଫଳରେ ଉତ୍ତର ଘୁମୁସର ବନଖଣ୍ଡ ର ୧୯ ହେକ୍ଟର ଏବଂ ଫୁଲବାଣୀ ବନଖଣ୍ଡର ୭ ରୁ ଉଦ୍ଧର୍ବ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା । ତେଣୁ କ୍ଷତିପୂରଣ ବନୀକରଣ ଯୋଜନା (ସିଏ) ରେ ୬୦ ହେକ୍ଟର ଖୋଲା ଜଙ୍ଗଲରେ ଚାରା ରୋପଣ ହେବ। ଏନେଇ ଜାତୀୟ ରାଜପଥ କତୃପକ୍ଷ ୨୦୨୧ରେ ଟଙ୍କା ବାନ୍ଧିଥିଲେ। ୪ ବର୍ଷ ପରେ ଉକ୍ତ ଟଙ୍କାର ବିନିଯୋଗରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରୁ ଉତ୍ତର ଘୁମୁସର ବନଖଣ୍ଡ ରେ ୨୦ ହେକ୍ଟର ଏବଂ ବଉଦ ବନଖଣ୍ଡରେ ଆଉ ୪୦ ହେକ୍ଟର ଚାରା ରୋପଣ ହେବ। ଅନ୍ୟପକ୍ଷରେ ଉତ୍ତର ଘୁମୁସର ବନଖଣ୍ଡ ର ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥର ଅନେକ ସ୍ଥାନରେ ବିଗତ ଦିନରେ ଗାଡ଼ି ଧକ୍କାରେ ବାଘ, ଭାଲୁ ସମେତ ଅନ୍ୟାନ୍ୟ ପ୍ରାଣୀ ମୃତ୍ୟୁବରଣ କରିଛନ୍ତି। ତେଣୁ ବନ ବିଭାଗ ପକ୍ଷରୁ ଜାତୀୟ ରାଜପଥର ବୁଦୁଲି ନିକଟରେ ଓଭର ବ୍ରିଜ ର୍ନିମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି। ଏନେଇ ୧୦ କୋଟିରୁ ଉଦ୍ଧର୍ବ ଟଙ୍କା ବ୍ୟୟ ହେବ। ଯେଉଁଠି ବ୍ରିଜ ଯୋଜନା ହୋଇଛି ସେଠି ପୂର୍ବରୁ ଗୋଟିଏ କଲରା ପତାରିଆ ବାଘ, ଭାଲୁ, ହରିଣ ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିଲେ। ଓଭର ବ୍ରିଜ ହେଲେ ବନ୍ୟପ୍ରାଣୀ ଅବାଧରେ ତଳେ ସମ୍ପୃକ୍ତ ଅଞ୍ଚଳରେ ଚଳପ୍ରଚଳ କରିପାରିବେ। ଯାନବାହାନ ବ୍ରିଜ ଉପରେ ଚଳପ୍ରଚଳ କରିବ। ଆଗକୁ ଗୋପାଳପୁର ରେଢ଼ାଖୋଲ ରେଳ ଲାଇନ ଉକ୍ତ ଅଞ୍ଚଳ ଦେଇ ଯିବ। ତେଣୁ ଜଙ୍ଗଲ ଅଞ୍ଚଳରେ ଓଭର ବ୍ରିଜ କରି ରେଳ ଲାଇନ ଗଲେ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ଉଭୟ ସୁରକ୍ଷିତ ରହିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି, ସରକାରଙ୍କ ଯୋଜନା ଭଲ। ଯୋଜନାକୁ କିଭଳି ଶତ ପ୍ରତିଶତ କାର୍ଯ୍ୟକାରି କରାଯିବ ସେନେଇ ଯୋଜନା ପ୍ରସ୍ତୁତି ଚାଲିଛି।
The post ୫୦ ହେକ୍ଟର ଜମିରେ ହେବ ନୂତନ ଜଙ୍ଗଲ: ବୁଦୁଲିରେ ଓଭର ବ୍ରିଜ ଯୋଜନା appeared first on Dharitri Odia News.