୬ ମାସ ଛୁଟିରେ ଗଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା
ମିଶନ ଶକ୍ତିରୁ ଅପସାରଣ ପରେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଥିଲେ ସୁଜାତା।
ରାଜ୍ୟରେ ବିଜେପି ସରକାର ଗଠନ ପୂର୍ବରୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଆଇଏଏସ୍ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଛୁଟିରେ ପଳାଇଛନ୍ତି । ପିଲାର ଯତ୍ନ ନେବା ଆଳ ଦେଖାଇ ସେ ୬ମାସ ଛୁଟିରେ ଯାଇଛନ୍ତି । ଦୀର୍ଘ ୨୪ବର୍ଷର କ୍ଷମତାସୀନ ବିଜେଡିକୁ ଝଟକା ଦେଇ ବିଜେପି ଚଳିତ ନିର୍ବାଚନରେ ରାଜ୍ୟରେ ବିପୁଳ ବିଜୟ ହାସଲ କରିବା ଏବେ ପାଣ୍ଡିଆନଙ୍କୁ ମହଙ୍ଗା ପଡ଼ିଛି ।
ସାଧାରଣ ପ୍ରଶାସନ ବିଭାଗର ଅଫିସ୍ ଅର୍ଡର ଅନୁସାରେ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତ କାର୍ତ୍ତିକେୟନ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି । ତାଙ୍କ ଝିଅ ଦଶମ ପରୀକ୍ଷା ଦେବାକୁ ଥିବାରୁ ତା’ର ଯତ୍ନ ନେବା ପାଇଁ ସୁଜାତା ଛୁଟି ନେଇଥିବା ଦର୍ଶାଇଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା ରୁଲସ୍-୧୯୫୫ର ରୁଲ (୧୮-ଘ)ରେ ଥିବା ପ୍ରାବଧାନ ଅନୁସାରେ ସୁଜାତାଙ୍କୁ ଏହି ଛୁଟି ମଞ୍ଜୁର ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଦର୍ଶାଇଛି । ସୁଜାତାଙ୍କର ପିଲାର ଯତ୍ନ ପାଇଁ ନେଇଥିବା ଅବଧିର ଛୁଟିକୁ ସାଧାରଣ ଛୁଟିରୁ ବାଦ୍ ଦିଆଯିବ ନାହିଁ । ପିଲାର ଯତ୍ନ ପାଇଁ ନେଇଥିବା ଛୁଟିକୁ ସବୈତନିକ ଛୁଟି ଭାବେ ବିବେଚନା କରାଯିବ ଓ ଛୁଟି ସରିବା ପରେ ଉକ୍ତ ଦରମା ପାଇବାକୁ ସେ ହକଦାର ହେବେ ବୋଲି ଅଫିସ୍ ଅର୍ଡରରେ ଉଲ୍ଲେଖ ରହିଛି ।
ସାଧାରଣ ବିଭାଗର ଏହି ନିର୍ଦ୍ଦେଶାବଳୀରେ ସୁଜାତା ମେ’ ୧୦ତାରିଖରୁ ଛୁଟିରେ ରହିଛନ୍ତି । ପିଲା ଯତ୍ନ ପାଇଁ ୬ମାସ ଛୁଟି(ମେ’ ୩୧ରୁ ନଭେମ୍ବର ୨୬) ଅବଧିକୁ ପିଛିଲା ଭାବେ ଜୁନ୍ ୫ତାରିଖରେ ମଞ୍ଜୁର ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସୁଜାତା ହେଉଛନ୍ତି ବିଜେଡି ନେତା ପାଣ୍ଡିଆନଙ୍କ ପତ୍ନୀ । ରାଜ୍ୟର ପ୍ରଭାବଶାଳୀ ଆଇଏଏସ୍ ଭାବେ ପରିଚିତ ସୁଜାତାଙ୍କୁ ନିର୍ବାଚନ କମିଶନଙ୍କ ଛାଟ ପଡ଼ିଥିଲା ଓ ତାଙ୍କୁ ମିଶନ ଶକ୍ତି ବିଭାଗରୁ ବଦଳି କରାଯାଇଥିଲା । ରାଜ୍ୟରେ ୧୦ତାରିଖରେ ବିଜେପି ସରକାର ଗଠନ ହେଉଥିବାରୁ ସୁଜାତା ନିଜ ଝିଅର ପାଠପଢ଼ାର ବାହାନା ଦେଖାଇ ଛୁଟିରେ ପଳାଇଥିବା ଚର୍ଚ୍ଚା ହେଉଛି ।