୬ରୁ ଦ୍ୱିତୀୟ ଟେଷ୍ଟ : ଚୂଡ଼ାନ୍ତ ଏକାଦଶ ଚୟନ ନେଇ ଭାରତର ମୁଣ୍ଡବ୍ୟଥା
ଆଡିଲେଡ୍ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମୁକାବିଲା ଆଡିଲେଡ୍ରେ ଡିସେମ୍ବର ୬ ତାରିଖରୁ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ଟି ଦିବାରାତ୍ର ହୋଇଥିବାରୁ ଓ ଏଠାରେ ଗତଥର ଭାରତ ପ୍ରଥମ ଇନିଂସରେ ମାତ୍ର ୩୬ ରନ୍ରେ ଅଲଆଉଟ ହୋଇଥିବାରୁ ଭାରତୀୟ ଦଳ ଅତ୍ୟନ୍ତ ସତର୍କତାର ସହ ଖେଳାଳି ଚୟନ କରିବ ବୋଲି ଆଶା କରାଯାଉଛି। ଏହି ସିରିଜ୍ରେ ୫ଟି ଟେଷ୍ଟ ଖେଳାଯିବ। ଏହା ମଧ୍ୟରେ ପର୍ଥର ଅପ୍ଟସ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମେ […]

ଆଡିଲେଡ୍ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମୁକାବିଲା ଆଡିଲେଡ୍ରେ ଡିସେମ୍ବର ୬ ତାରିଖରୁ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ଟି ଦିବାରାତ୍ର ହୋଇଥିବାରୁ ଓ ଏଠାରେ ଗତଥର ଭାରତ ପ୍ରଥମ ଇନିଂସରେ ମାତ୍ର ୩୬ ରନ୍ରେ ଅଲଆଉଟ ହୋଇଥିବାରୁ ଭାରତୀୟ ଦଳ ଅତ୍ୟନ୍ତ ସତର୍କତାର ସହ ଖେଳାଳି ଚୟନ କରିବ ବୋଲି ଆଶା କରାଯାଉଛି। ଏହି ସିରିଜ୍ରେ ୫ଟି ଟେଷ୍ଟ ଖେଳାଯିବ। ଏହା ମଧ୍ୟରେ ପର୍ଥର ଅପ୍ଟସ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମେ ଟେଷ୍ଟକୁ ଭାରତ ୨୯୫ ରନ୍ର ବିରାଟ ବ୍ୟବଧାନରେ ବିଜୟୀ ହୋଇ ୧-୦ରେ ଆଗୁଆ ରହିଛି। ଏହି ବିଜୟ ପରେ ଭାରତୀୟ ଖେଳାଳିଙ୍କ ମନୋବଳ ବୃଦ୍ଧି ଘଟିଛି। ଭିନ୍ନ ଭିନ୍ନ କାରଣରୁ ପର୍ଥରେ ଖେଳି ପାରି ନ ଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଶୁବମାନ ଗିଲ୍ ଏବେ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଗିଲ ଅର୍ଦ୍ଧଶତକ ହାସଲ କରି ଫର୍ମରେ ଥିବା ସୂଚନା ଦେଇଛନ୍ତି। ସେହିପରି ରୋହିତ ମଧ୍ୟ ଦଳର ନେତୃତ୍ୱ ନେଇଥିଲେ। ଏହାର ଅର୍ଥ ଦ୍ୱିତୀୟ ଟେଷ୍ଟରେ ରୋହିତ ଖେଳିବେ ଓ ଦଳର ନେତୃତ୍ୱ ନେବେ। ଭାରତ ଯଦି ଉଭୟ ରୋହିତ ଓ ଗିଲ୍ଙ୍କୁ ସାମିଲ କରେ, ତେବେ ପର୍ଥରେ ଖେଳିଥିବା ଦେବଦତ୍ତ ପଡ଼ିକାଲ ଓ ଧ୍ରୁବ ଜୁରେଲଙ୍କୁ ବାହାରେ ରହିବାକୁ ପଡ଼ିବ। ଉଭୟ ଖେଳାଳି ଭଲ ଖେଳି ନ ଥିଲେ। ଏଣୁ ସେମାନଙ୍କୁ ବାଦ୍ ଦେଲେ କିଛି ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଏହିଠାରେ ଟିମ୍ ମ୍ୟାନେଜମେଣ୍ଟର ଅସଲ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି।
ଏହା ହେଉଛି ବ୍ୟାଟିଂ ଅର୍ଡରକୁ ନେଇ। ଗିଲ ସାମିଲ ହେଲେ ସେ ତାଙ୍କ ପୂର୍ବ ପୋଜିସନ ନଂ-୩ରେ ବ୍ୟାଟିଂ କରିବେ। କିନ୍ତୁ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଚିନ୍ତା ବଢ଼଼ିଛି। ପର୍ଥରେ ନିୟମିତ ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ସହ ଓପନର କରି ରାହୁଲ ଦ୍ୱିତୀୟ ଇନିଂସରେ ୨୦୦ରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରିଥିଲେ। ଏଣୁ ଏମାନଙ୍କୁ ଆଡିଲେଡ୍ରେ ପରିବର୍ତ୍ତନ ନ କରିବାକୁ ଦାବି ହେଉଛି। ଏହା ଯଦି ହୁଏ, ତେବେ ନଂ-୪ରେ ବ୍ୟାଟିଂ କରୁଥିବା ବିରାଟ କୋହଲିଙ୍କ ପରେ ନଂ-୫ରେ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସିବେ। ଭାରତର ଟପ୍ ଅର୍ଡର ଯଦି କ୍ଲିକ୍ କରେ ତେବେ ରୋହିତ ଯେ କୌଣସି ଦଳ ଲାଗି ଘାତକ ସାବ୍ୟସ୍ତ ହେବେ। ଅଭ୍ୟାସ ମ୍ୟାଚ୍ରେ ଏହି ଧାରା ଦେଖିବାକୁ ମିଳିଛି। ଜୟସ୍ୱାଲ ଓ ରାହୁଲ ଇନିଂସ ଓପନ କରିଥିଲାବେଳେ ରୋହିତ ନଂ-୪ରେ ବ୍ୟାଟିଂ କରିଥିଲେ। କିନ୍ତୁ ରୋହିତ ଯଦି ଇନିଂସ ଓପନ କରନ୍ତି ତେବେ ରାହୁଲଙ୍କୁ ନଂ-୬ରେ ବ୍ୟାଟିଂ କରିବାକୁ ପଡ଼ିପାରେ। ଏହା ତାଙ୍କ ଲାଗି କିମ୍ବା ଦଳ ଲାଗି ଭଲ ହେବ ନାହିଁ ବୋଲି କୁହାଯାଉଛି। ଏହି ଦ୍ୱନ୍ଦ୍ୱ ଭିତରେ ଭାରତୀୟ ଦଳ ଅଭ୍ୟାସ ଜାରି ରଖିଛି। ମଙ୍ଗଳବାର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ୱଦେଶରୁ ଫେରିବା ପରେ ଏ ସମ୍ପର୍କରେ ଆଲୋଚନା ହୋଇ ଚୂଡାନ୍ତ ଏକାଦଶ ଚୟନ କରାଯିବ।
ଭାରତକୁ ବୋଲାଣ୍ଡ ଭୟ
ମାଂସପେଶୀରେ ଆଘାତ ହେବାରୁ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ଜୋଶ ହାଜ୍ଲେଉଡ୍ଙ୍କୁ ଏହି ମ୍ୟାଚ୍ରୁ ବାଦ୍ ଦିଆଯାଇଛି। ଯାହା ଫଳରେ ସେ ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ। ଏହା ଯୋଗୁଁ ଭାରତ ସହ ଗତ ୯ଟି ଟେଷ୍ଟ ଖେଳିଥିବା ୪ଜଣ ପ୍ରମୁଖ ବୋଲର ଯଥା କମିନ୍ସ, ଷ୍ଟାର୍କ ଓ ଲାୟନଙ୍କ ସହ ହାଜ୍ଲେଉଡ୍ ଖେଳିବେ ନାହିଁ। ହାଜ୍ଲେଉଡ୍ଙ୍କ ଲାଗି ଦୁଇ ନୂଆ ବୋଲର ସିନ୍ ଆବଟ ଓ ବ୍ରେଣ୍ଡାନ ଡଗେଟଙ୍କୁ ଦଳରେ ସାମିଲ କରାଯାଇଛି। କିନ୍ତୁ ପୂର୍ବରୁ ଦଳରେ ଥିବା ଏବଂ ନିକଟରେ ଭାରତୀୟ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିଥିବା ସ୍କଟ ବୋଲାଣ୍ଡଙ୍କୁ ଖେଳିବା ସୁଯୋଗ ମିଳିବ। ବୋଲାଣ୍ଡ ଏହି ୩ ଫାଷ୍ଟ ବୋଲରଙ୍କ ଲାଗି ଟେଷ୍ଟ ଦଳରେ ସ୍ଥାନ ପାଉ ନାହାନ୍ତି। ସେ ଖେଳିଥିବା ୧୦ଟି ଟେଷ୍ଟ ମ୍ୟାଚ୍ରେ ୨୦.୩୪ ହାରରେ ୱିକେଟ ନେଇଛନ୍ତି। କିନ୍ତୁ ଦିବାରାତ୍ର ଟେଷ୍ଟରେ ସେ ଅଷ୍ଟ୍ରେଲିଆର ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ଏଥିରେ ୱିକେଟ ପ୍ରତି ବୋଲାଣ୍ଡ ମାତ୍ର ୧୩.୭୧ ହାରରେ ରନ୍ ବ୍ୟୟ କରିଛନ୍ତି। ଏଣୁ ସେ ଆଡିଲେଡ୍ ଟେଷ୍ଟ ଖେଳିଲେ ଭାରତ ଲାଗି ଘାତକ ସାବ୍ୟସ୍ତ ହୋଇପାରନ୍ତି।