୯ ଦିନ ହେଲା ନିଖୋଜ ଥିଲେ ପତିପତ୍ନୀ, ପାହାଡ଼ରୁ ମିଳିଲା ମୃତଦେହ

ପାହାଡ଼ ଉପରେ ଉଭୟଙ୍କ ଗଳିତ ଶବ ପଡ଼ିଥିବା ଖବର ପାଇ ପରିବାର ଲୋକଙ୍କ ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଛି।

୯ ଦିନ ହେଲା ନିଖୋଜ ଥିଲେ ପତିପତ୍ନୀ, ପାହାଡ଼ରୁ ମିଳିଲା ମୃତଦେହ

୯ ଦିନ ହେଲା ନିଖୋଜ ଥିଲେ ପତିପତ୍ନୀ। ଖୋଜି ଖୋଜି ନୟାନ୍ତ ହୋଇ ସାରିଥିଲେ ପରିବାରବର୍ଗ। ଶେଷରେ ପାହାଡ଼ ଉପରେ ଉଭୟଙ୍କ ଗଳିତ ଶବ ପଡ଼ିଥିବା ଖବର ପାଇ ପରିବାର ଲୋକଙ୍କ ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଛି।

ଏପରି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଜାତପଦା ଗାଁରେ ଘଟିଛି। ମୃତ ପତିପତ୍ନୀ ହେଲେ ଖୁଣ୍ଟିଆ ମାଝୀ ଓ ପତ୍ନୀ ପାର୍ବତୀ ମୁର୍ମୁ l ଜାତପଦା ନିକଟରେ ଥିବା ଦେବଗିରି ପାହାଡ଼ ଉପରେ ଉଭୟଙ୍କ ମୃତଦେହ ଠାବ କରାଯାଇଛି।

ଖୁଣ୍ଟିଆ ମାଝୀ ପୂର୍ବରୁ ବିବାହିତ ଥିବା ବେଳେ ହସଖୁସିରେ ଚାଲିଥିଲା ସଂସାର। ମାତ୍ର ଅସୁସ୍ଥତା ହେତୁ ଗତ ବର୍ଷ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ପ୍ରାୟ ୨ ମାସ ହେବ ପାର୍ବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

ସବୁ କିଛି ଠିକ୍‌ ଚାଲିଥିବା ବେଳେ ଗତ ମଙ୍ଗଳବାରଠୁ ଉଭୟ ଖୁଣ୍ଟିଆ ଓ ପାର୍ବତୀଙ୍କ ଘରୁ ଗାଏବ ହୋଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୁଲିସ୍‌କୁ ଅବଗତ କରିଥିଲେ। ମାତ୍ର ପୁଲିସ୍‌ ବି ସେମାନଙ୍କ ପତ୍ତା ପାଇ ପାରୁ ନ ଥିଲା ।

ତେବେ ଜାତପଦା ଗାଁର କିଛି ଲୋକେ ପାହାଡ଼ ଉପରକୁ ଛେଳି ଚରାଇବାକୁ ଆସିଥିବା ବେଳେ ଦୁଇ ଜଣକ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ‌ଉଭୟଙ୍କ ମୃତଦେହ ପଚି ଯାଇଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଖବର ପାଇ ଔପଦା ପୁଲିସ୍‌ ଘଟଣାସ୍ଥଳ ଅଭିମୁଖେ ଯାଇଥିବା ଜଣାଯାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି।