୯୨ ବର୍ଷର ପ୍ରତୀକ୍ଷାର ଅନ୍ତ, ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ

ଚେନ୍ନାଇରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନ୍‌ରେ ହରାଇଛି ଭାରତ।

୯୨ ବର୍ଷର ପ୍ରତୀକ୍ଷାର ଅନ୍ତ, ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ

ଭାରତୀୟ କ୍ରିକେଟ ଦଳର ୯୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଲା। ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଦଳର ‘ବିଜୟୀ ମ୍ୟାଚ୍‌’ ସଂଖ୍ୟା ‘ପରାଜିତ ମ୍ୟାଚ୍‌’ ସଂଖ୍ୟାଠାରୁ ଅଧିକ ରହିଛି। ଆଜି ଚେନ୍ନାଇରେ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନ୍‌ରେ ହରାଇବା ପରେ ଟିମ୍ ଇଣ୍ଡିଆକୁ ମିଳିଛି ଏହି ସଫଳତା।

ସି.କେ ନାଇଡୁଙ୍କ ନେତୃତ୍ୱରେ ୧୯୩୨ରେ ଭାରତ ଖେଳିଥିଲା ପ୍ରଥମ ଟେଷ୍ଟ ମ୍ୟାଚ୍। ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଖେଳିଥିବା ଭାରତ ୧୫୮ ରନ୍‌ରେ ପରାସ୍ତ ହୋଇଥିଲା। ତା’ପରଠାରୁ ଟେଷ୍ଟ କ୍ରିକେଟରେ କେବେ ବି ଭାରତୀୟ ଦଳର ‘ବିଜୟୀ ମ୍ୟାଚ୍’ ସଂଖ୍ୟା ‘ପରାଜିତ ମ୍ୟାଚ୍‌’ ସଂଖ୍ୟାଠାରୁ ଅଧିକ ରହି ନଥିଲା।

ଆଜି ବାଂଲାଦେଶକୁ ପରାସ୍ତ କରି ଭାରତ ତା’ର ୧୭୯ତମ ଟେଷ୍ଟ ମ୍ୟାଚ୍ ଜିତିଛି। ଦଳ ଏଯାବତ୍ ୫୮୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୧୭୯ଟିରେ ବିଜୟ ହାସଲ କରିଛି ଓ ୧୭୮ଟିରେ ପରାଜିତ ହୋଇଛି। ସେହିପରି ୨୨୨ଟି ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଗୋଟିଏ ଟାଏ ହୋଇଛି।

ଭାରତ ଏକମାତ୍ର ଦେଶ ନୁହେଁ, ଯାହାର ଟେଷ୍ଟରେ ‘ବିଜୟୀ ମ୍ୟାଚ୍‌’ ସଂଖ୍ୟା ‘ପରାଜିତ ମ୍ୟାଚ୍‌’ ସଂଖ୍ୟାଠାରୁ ଅଧିକ। ଏହି ତାଲିକାରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟ ଅଛନ୍ତି। ଅଷ୍ଟ୍ରେଲିଆ ୪୧୪ଟି ମ୍ୟାଚ୍ ଜିତିଥିବା ବେଳେ ୨୩୨ଟି ହାରିଛି। ଇଂଲଣ୍ଡ ୩୯୭ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୩୨୫ଟିରେ ହାରିଛି। ଦକ୍ଷିଣ ଆଫ୍ରିକା ୧୭୯ଟି ଜିତିଥିବା ବେଳେ ୧୬୧ଟି ହାରିଛି। ପାକିସ୍ତାନ ୧୪୮ଟିରେ ବିଜୟୀ ହୋଇଥିବା ବେଳେ ୧୪୪ଟିରେ ପରାସ୍ତ ହୋଇଛି।

ଚେନ୍ନାଇରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ପାଇଁ ଭାରତ ୫୧୫ ରନ୍‌ର ବିଜୟ ଟାର୍ଗେଟ ଦେଇଥିଲା। ତେବେ ବାଂଲାଦେଶ ୨୮୦ ରନ୍‌ ପଛରେ ରହି ମ୍ୟାଚ୍ ହାରିଯାଇଥିଲା। ଭାରତ ପ୍ରଥମ ଇନିଂସରେ ୩୭୬ ରନ୍ କରିଥିବା ବେଳେ ବାଂଲାଦେଶ ମାତ୍ର ୧୪୯ ରନ୍ କରି ଅଲ୍‌ଆଉଟ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ୱିକେଟ ହରାଇ ୨୮୭ ରନ୍ କରିଥିବା ବେଳେ ପାଳି ଘୋଷଣା କରିଥିଲା। ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଏହା ସହିତ ଭାରତ ଦୁଇଟି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗରେ ରହିଛି। ଭାରତର ପ୍ରଥମ ଇନିଂସରେ ୧୧୩ ରନ୍ କରିଥିବା ତଥା ବାଂଲାଦେଶର ଦ୍ୱିତୀୟ ଇନିଂସରେ ୬ଟି ୱିକେଟ୍ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ’ ପ୍ରଦାନ କରାଯାଇଥିଲା।