ଇଓଡବ୍ଲ୍ୟୁ ପଞ୍ଝାରେ ପୂର୍ବତନ କନ୍‌ଷ୍ଟେବଳଙ୍କ ସମେତ ଦୁଇ ଠକ

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ):କ୍ରିପ୍ଟୋ କରେନ୍ସିରେ ନିବେଶ ଆଳରେ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨ ଠକଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ର଼୍ୟାକେଟର ଭାରତ ମୁଖ୍ୟ ତଥା ରାଜସ୍ଥାନ ଅନୁପଗଡ଼ର ପୂର୍ବତନ କନ୍‌ଷ୍ଟେବଳ ବେଦ ପ୍ରକାଶ ଏବଂ ଓଡ଼ିଶା ମୁଖ୍ୟ ସୁନ୍ଦରଗଡ଼ର ସୁଧୀର ପଟେଲ। ଗତ ବୁଧବାର ରାଜସ୍ଥାନରୁ ବେଦ ପ୍ରକାଶଙ୍କୁ ଗିରଫ ପରେ ଅନୁପଗଡ଼ ଏସିଜେଏମ୍‌ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଅଭିଯୁକ୍ତଦ୍ୱୟଙ୍କଠାରୁ […] The post ଇଓଡବ୍ଲ୍ୟୁ ପଞ୍ଝାରେ ପୂର୍ବତନ କନ୍‌ଷ୍ଟେବଳଙ୍କ ସମେତ ଦୁଇ ଠକ appeared first on Dharitri Odia News.

ଇଓଡବ୍ଲ୍ୟୁ ପଞ୍ଝାରେ ପୂର୍ବତନ କନ୍‌ଷ୍ଟେବଳଙ୍କ ସମେତ ଦୁଇ ଠକ

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ):କ୍ରିପ୍ଟୋ କରେନ୍ସିରେ ନିବେଶ ଆଳରେ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨ ଠକଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ର଼୍ୟାକେଟର ଭାରତ ମୁଖ୍ୟ ତଥା ରାଜସ୍ଥାନ ଅନୁପଗଡ଼ର ପୂର୍ବତନ କନ୍‌ଷ୍ଟେବଳ ବେଦ ପ୍ରକାଶ ଏବଂ ଓଡ଼ିଶା ମୁଖ୍ୟ ସୁନ୍ଦରଗଡ଼ର ସୁଧୀର ପଟେଲ। ଗତ ବୁଧବାର ରାଜସ୍ଥାନରୁ ବେଦ ପ୍ରକାଶଙ୍କୁ ଗିରଫ ପରେ ଅନୁପଗଡ଼ ଏସିଜେଏମ୍‌ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି। ଅଭିଯୁକ୍ତଦ୍ୱୟଙ୍କଠାରୁ ଠକେଇ ସମ୍ବନ୍ଧୀୟ ବହୁ କାଗଜପତ୍ର ଜବତ ହୋଇଛି। ସୋମବାର ଉଭୟଙ୍କୁ କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଠକେଇର ଶିକାର ପ୍ରେମ ସାଗର ଖମାରୀଙ୍କ ଏତଲାକ୍ରମେ ୨୦୨୩ ଡିସେମ୍ବର ୭ରେ ଇଓଡବ୍ଲ୍ୟୁ ଏ ସଂକ୍ରାନ୍ତରେ ମାମଲା (ନଂ.୨୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ବେଦ ପ୍ରକାଶ ରାଜସ୍ଥାନ ପୋଲିସ ବିଭାଗରେ କନ୍‌ଷ୍ଟେବଳ ଥିଲେ। ୫ ବର୍ଷର ଚାକିରି ପରେ ଦୁର୍ନୀତି ପାଇଁ ତାଙ୍କୁ ବହିଷ୍କୃତ କରାଯାଇଥିଲା। କ୍ରିପ୍ଟୋ ନିବେଶରେ ବେଦ ପ୍ରକାଶ ନିଜକୁ ଭାରତ ମୁଖ୍ୟ ଓ ସୁଧୀର ଓଡିଶା ମୁଖ୍ୟ ବୋଲି କହୁଥିଲେ। ଅଭିଯୁକ୍ତମାନେ ୨୦୨୨ରେ ଓଡ଼ିଶାର ବିଭିନ୍ନ ହୋଟେଲ ଆଦିରେ ଇଭେଣ୍ଟ କରି ଲୋକଙ୍କୁ ନିବେଶ ଆଳରେ ଭୁଆଁ ବୁଲାଉଥିଲେ। ବିଶେଷକରି କମ୍ପ୍ୟୁଟରରେ ଜ୍ଞାନ ନ ଥିବା ସ୍ବଳ୍ପ ଶିକ୍ଷିତ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲେ। କ୍ରିପ୍ଟୋ କରେନ୍ସିରେ ନିବେଶ କଲେ ବହୁଗୁଣ ଲାଭ ସହ ଟଙ୍କା ଦୁଇଗୁଣା ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଇଏନ୍‌ଜି କ୍ରିପ୍ଟୋ, ୟୁଏସ୍‌ବିଟି କ୍ଲବ୍‌ ଆଦି କ୍ରିପ୍ଟୋ ଏଜେନ୍ସି ଜରିଆରେ ଟଙ୍କା ନିବେଶ କରୁଥିବା ଅଭିଯୁକ୍ତମାନେ କହୁଥିଲେ। ବିଶ୍ୱାସ ଜନ୍ମାଇବାକୁ ଲାଭ ବାବଦକୁ ପ୍ରଥମ କିଛି ମାସ ଅଳ୍ପ ପରିମାଣର ଟଙ୍କା ଦେଇଥିଲେ। ହେଲେ କୌଣସି କ୍ରିପ୍ଟୋ କରେନ୍ସିରେ ସେମାନେ ନିବେଶ ନ କରି ଟଙ୍କା ହଡ଼ପ କରିଥିଲେ। ଅଭିଯୁକ୍ତଙ୍କ ଜରିଆରେ ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ ଆଦି ଜିଲାରେ ୫୦୦ ନିବେଶକାରୀ ୧୫ କୋଟିରୁ ଊର୍ଦ୍ଧ୍ୱ ଠକେଇର ଶିକାର ହୋଇଛନ୍ତି। ଏପରିକି ମହାରାଷ୍ଟ୍ରକୁ ମଧ୍ୟ ଏହି ଠକେଇର ଚେର ଲମ୍ବିଛି। ଠକେଇ ସଂକ୍ରାନ୍ତରେ ମହାରାଷ୍ଟ୍ର ପୋଲିସକୁ ଜଣାଇବ ଇଓଡବ୍ଲ୍ୟୁ। ଏଥିସହ ଠକେଇର ଶିକାର ଅନ୍ୟ ଲୋକମାନେ ଟୋଲ ଫ୍ରି ନଂ. (୧୮୦୦୩୪୫୭୧୦୩) ଜରିଆରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।

The post ଇଓଡବ୍ଲ୍ୟୁ ପଞ୍ଝାରେ ପୂର୍ବତନ କନ୍‌ଷ୍ଟେବଳଙ୍କ ସମେତ ଦୁଇ ଠକ appeared first on Dharitri Odia News.