ଓଡ଼ିଶା ପାଇଁ ସତର୍କ ଘଣ୍ଟି, ରାଜଧାନୀରେ ଭୂତଳ ଜଳସ୍ତର ଖସିଗଲାଣି ୨୩ ମିଟର
ଭୁବନେଶ୍ୱର ୧୮/୦୩ ରାଜଧାନୀ ୟୁନିଟ୍-୬ ରାଧାକୃଷ୍ଣ ବସ୍ତିରେ ରବିବାର ଡହ ଡହ ଖରାରେ ଜଣେ ଲୋକ ଆମ୍ବୁଲାନ୍ସ ଧୋଉଥିଲେ । ଟ୍ୟାପ୍ ଖୋଲି ମନଇଚ୍ଛା ପାଣି ଢାଳୁଥିଲେ । ୱାଟ୍କୋ ଯୋଗାଉଥିବା ପିଇବା ପାଣିରେ ଆମ୍ବୁଲାନ୍ସ ଧୋଇ ଚାଲିଥିଲେ । ଘଣ୍ଟାଏ ପରେ ଧୁଆ ସରିଲା, ହେଲେ ରାସ୍ତା କଡ଼ କାଦୁଅ ପଚପଚ ସହ ପାଣିର ଧାର ଚାଲିଥିଲା । ରାଜ୍ୟର ପ୍ରାୟ ସବୁ ଜାଗା, ଘର ଓ ଅଫିସ୍ରେ ପାଣି ବ୍ୟବହାରକୁ ନେଇ ଏମିତି ବେପରୁଆ ଭାବ ଭରି ରହିଛି । ଯାହାର ପରିଣତି ଚିତ୍ର ‘ଜଳସଙ୍କଟ’ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି । ଜଳସଙ୍କଟର ଭୟଙ୍କର ସ୍ଥିତି ଏବେ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇଛି । ପାଣି ପାଇଁ ଲୋକେ ଲମ୍ବା ଲାଇନ୍ ଲଗାଉଛନ୍ତି । କିଛି ଲୋକେ ସହର ଛାଡ଼ୁଥିବା ବେଳେ ଅନେକ କମ୍ପାନୀ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଦିନ ଥିଲା ବେଙ୍ଗାଲୁରୁ ସହରରେ ଶହେ ଫୁଟ ଖୋଳିଲେ ପାଣି ମିଳୁଥିବା ବେଳେ ଏବେ ଏହି ସ୍ତର ଅନେକ ସ୍ଥାନରେ ଏକ ହଜାରରୁ ୧୮୦୦ ମିଟରକୁ ତଳକୁ ଖସିଯାଇଛି । ଏହାର କାରଣ ଖୋଜିବାକୁ ଯାଇ ସେମାନଙ୍କ ତଥ୍ୟ କହୁଛି ୧୯୭୦ରେ ବେଙ୍ଗାଲୁରୁ ସହରରେ ୬୮% ଅଞ୍ଚଳରେ ସବୁଜ ବଳୟ ଥିଲା । ଏବେ ୮୬% ଅଞ୍ଚଳରେ କଂକ୍ରିଟ ଜଙ୍ଗଲ । ବିଗତ କେଇ ବର୍ଷ ମଧ୍ୟରେ କଂକ୍ରିଟ ଅଞ୍ଚ
ଭୁବନେଶ୍ୱର ୧୮/୦୩ ରାଜଧାନୀ ୟୁନିଟ୍-୬ ରାଧାକୃଷ୍ଣ ବସ୍ତିରେ ରବିବାର ଡହ ଡହ ଖରାରେ ଜଣେ ଲୋକ ଆମ୍ବୁଲାନ୍ସ ଧୋଉଥିଲେ । ଟ୍ୟାପ୍ ଖୋଲି ମନଇଚ୍ଛା ପାଣି ଢାଳୁଥିଲେ । ୱାଟ୍କୋ ଯୋଗାଉଥିବା ପିଇବା ପାଣିରେ ଆମ୍ବୁଲାନ୍ସ ଧୋଇ ଚାଲିଥିଲେ । ଘଣ୍ଟାଏ ପରେ ଧୁଆ ସରିଲା, ହେଲେ ରାସ୍ତା କଡ଼ କାଦୁଅ ପଚପଚ ସହ ପାଣିର ଧାର ଚାଲିଥିଲା ।
ରାଜ୍ୟର ପ୍ରାୟ ସବୁ ଜାଗା, ଘର ଓ ଅଫିସ୍ରେ ପାଣି ବ୍ୟବହାରକୁ ନେଇ ଏମିତି ବେପରୁଆ ଭାବ ଭରି ରହିଛି । ଯାହାର ପରିଣତି ଚିତ୍ର ‘ଜଳସଙ୍କଟ’ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି । ଜଳସଙ୍କଟର ଭୟଙ୍କର ସ୍ଥିତି ଏବେ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇଛି । ପାଣି ପାଇଁ ଲୋକେ ଲମ୍ବା ଲାଇନ୍ ଲଗାଉଛନ୍ତି ।
କିଛି ଲୋକେ ସହର ଛାଡ଼ୁଥିବା ବେଳେ ଅନେକ କମ୍ପାନୀ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଦିନ ଥିଲା ବେଙ୍ଗାଲୁରୁ ସହରରେ ଶହେ ଫୁଟ ଖୋଳିଲେ ପାଣି ମିଳୁଥିବା ବେଳେ ଏବେ ଏହି ସ୍ତର ଅନେକ ସ୍ଥାନରେ ଏକ ହଜାରରୁ ୧୮୦୦ ମିଟରକୁ ତଳକୁ ଖସିଯାଇଛି । ଏହାର କାରଣ ଖୋଜିବାକୁ ଯାଇ ସେମାନଙ୍କ ତଥ୍ୟ କହୁଛି ୧୯୭୦ରେ ବେଙ୍ଗାଲୁରୁ ସହରରେ ୬୮% ଅଞ୍ଚଳରେ ସବୁଜ ବଳୟ ଥିଲା । ଏବେ ୮୬% ଅଞ୍ଚଳରେ କଂକ୍ରିଟ ଜଙ୍ଗଲ ।
ବିଗତ କେଇ ବର୍ଷ ମଧ୍ୟରେ କଂକ୍ରିଟ ଅଞ୍ଚଳର କଳେବର ୧୦୫୫% ବୃଦ୍ଧି ପାଇଛି । ଗତ ଏକ ମାସ ମଧ୍ୟରେ ସହରରେ ୭ ହଜାର ନଳକୂପ ଶୁଖିଯାଇଥିବା ଖୋଦ୍ ରାଜ୍ୟ ସରକାର କହିଛନ୍ତି । କେବଳ ବେଙ୍ଗାଲୁରୁ ନୁହେଁ ସମଗ୍ର କର୍ଣ୍ଣାଟକରେ ସ୍ଥିତି ବିଗୁଡ଼ୁଛି । ଗତ ଶୀତ ଦିନର ରିପୋର୍ଟ ଅନୁସାରେ ରାଜ୍ୟର ୨୧୦ଟି ସହରରେ ଜଳ ସ୍ତର ୪ ମିଟର ଖସିଯାଇଥିଲା ।
ଜଳ କଷ୍ଟରେ ଘାଣ୍ଟିହେଉଥିବା ବେଙ୍ଗାଲୁରୁର ଯନ୍ତ୍ରଣା, 'ଓ୍ୱାର୍କ ଫ୍ରମ୍ ହୋମ୍ ନୁହେଁ ସମ୍ପୂର୍ଣ୍ଣ ଘରକୁ ପଳାଅ' ଅବସ୍ଥା ଦେଖି ଅନେକ ବିଶେଷଜ୍ଞ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସହର ଆଗକୁ ଏଭଳି ସ୍ଥିତିର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟରେ ଭୂତଳ ଜଳସ୍ତର ଦିନକୁ ଦିନ ତଳକୁ ଖସୁଛି । ଗତ ୬ମାସ ତଳେ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଯେଉଁ ତଥ୍ୟ ଦେଇଥିଲା ସେଥିରେ ଉଦ୍ବେଗଜନକ ଚିତ୍ର ସାମ୍ନାକୁ ଆସିଥିଲା ।
ଭୁବନେଶ୍ୱରର ୟୁନିଟ୍-୧ରେ ଭୂତଳ ଜଳସ୍ତର ୨୩ମିଟର ତଳକୁ ଖସିଗଲାଣି । ମଞ୍ଚେଶ୍ୱରରେ ଏହା ୧୮ମିଟର ଓ ଅନ୍ଧାରୁଆରେ ୧୫ମିଟର ତଳକୁ ଖସିଲାଣି । ପୂର୍ବରୁ ଅଧିକାଂଶ ସ୍ଥାନରେ ୪ରୁ ୮ମିଟରଖୋଳିଲେ ପାଣି ବାହାରୁଥିଲା । ଏହାତ ଭୁବନେଶ୍ୱରର ଚିତ୍ର । ଯଦି ଆମେ ରାଜ୍ୟର ଭୂତଳ ଜଳସ୍ଥିତି ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ (ସିଜିଡବ୍ଲ୍ୟୁବି)ର ୨୦୨୨ ମସିହାର ରିପୋର୍ଟ ଦେଖିବା, ତାହା ଗଭୀର ଉଦ୍ବେଗଜନକ ।
ରାଜ୍ୟର ୧୫ ଜିଲ୍ଲାରେ ପ୍ରତି ବର୍ଷ ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଭୂତଳ ଜଳ ୪ରୁ ୬ ମିଟର ହ୍ରାସ ପାଉଛି । ରାଜ୍ୟର ୫୨ଟି ବ୍ଲକ ଏବଂ ଭୁବନେଶ୍ୱର ସମେତ ୨୭ଟି ସହରାଞ୍ଚଳରେ ସ୍ଥିତି ଚିନ୍ତାଜନକ । ଡିରେକ୍ଟୋରେଟ ଅଫ ଗ୍ରାଉଣ୍ଡ ୱାଟର ସର୍ଭେ ଆଣ୍ଡ ଇନଭେଷ୍ଟିଗେସନ (ଡିଜିଡବ୍ଲୁଏସ୍ଆଇ)ର ତଥ୍ୟ ଅନୁସାରେ ୨୦୦୭ରୁ ୨୦୧୧ ମଧ୍ୟରେ ରାଜଧାନୀର ଅନେକ ସ୍ଥାନରେ ଭୂତଳ ଜଳସ୍ତର ପ୍ରାୟ ଦଶ ମିଟର ହ୍ରାସ ପାଇଥିଲା, ଯାହାକି ପରେ ଆଉ ରିଚାର୍ଜ ହୋଇନଥିଲା ।
ପରବର୍ତ୍ତୀ ବର୍ଷ ମାନଙ୍କରେ ଏହି ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଜଳସ୍ତର ଗ୍ରୀଷ୍ମ ଋତୁରେ ଯେତିକି ହ୍ରାସ ପାଉଛି, ପରବର୍ତ୍ତୀ ସମୟରେ ତାହା ରିଚାର୍ଜ ହୋଇଗଲେ ସ୍ଥିତି ସଙ୍କଟ ଆଡ଼କୁ ଗତି କରନ୍ତା ନାହିଁ । କିନ୍ତୁ କଂକ୍ରିଟ ଜଙ୍ଗଲ ଏଥିରେ ବାଧକ ହେଉଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।
ସବୁଠୁ ଚିନ୍ତାଜନକ କଥା ହେଉଛି, ଭୂତଳ ଜଳସ୍ତର ଶୁଖୁଥିଲେ ବି ଶିଳ୍ପ ସଂସ୍ଥା ଓ ଆପାର୍ଟମେଣ୍ଟଗୁଡ଼ିକ ମନଇଚ୍ଛା ଭୂତଳ ଜଳ ଶୋଷୁଛନ୍ତି । ବିନା ଅନୁମତିରେ ବେଆଇନ ଭାବେ ଅଧିକ କ୍ଷମତାସମ୍ପନ୍ନ ଡିପ୍ ବୋରୱେଲ ଖୋଳୁଛନ୍ତି । ଏମାନେ କେନ୍ଦ୍ରୀୟ ଭୂତଳ ଜଳବୋର୍ଡର ଅନୁମତି ନେବା ପରେ ହିଁ ଡିପ୍ ବୋରୱେଲ ଖୋଳିପାରିବେ ।
କିନ୍ତୁ ମନଇଚ୍ଛା ବୋରୱେଲ ଖୋଳି ଏହାକୁ ବେପରୁଆ ଭାବେ ବ୍ୟବହାର କରୁଛନ୍ତି । କେଉଁଠି ଆପାର୍ଟମେଣ୍ଟର ସୁଇମିଂପୁଲ୍ରେ ପାଣି ବଦଳାଇବା ପାଇଁ ଏହାକୁ ବ୍ୟବହାର କରାଯାଉଛି ତ’ ଆଉ କେଉଁଠି ବଗିଚାରେ ପାଣି ଦେବା, କାର୍ ଓ ଘର ଧୂଆରେ ବେହିସାବ ଭାବେ ପିଇବା ପାଣି ବ୍ୟବହାର କରାଯାଉଛି । ଶିଳ୍ପ ସଂସ୍ଥାଗୁଡ଼ିକ ବି ଆବଶ୍ୟକତାଠାରୁ ଅଧିକ ପାଣି ବ୍ୟବହାର କରୁଛନ୍ତି ।
ବିନା କୌଣସି ଅନୁମତିରେ କଳିଙ୍ଗନଗର, ପାରାଦୀପ, ମଞ୍ଚେଶ୍ୱର, ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଡିପ୍ ବୋରୱେଲ ଖୋଳା ଚାଲିଛି । ରାଜଧାନୀରେ ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ ୱାଟ୍କୋ ଏବେ ମେଗା ପାଣି ଟାଙ୍କି ତିଆରି କରୁଛି । କିନ୍ତୁ ସହରରେ ପାଣି ଯୋଗାଣ ପାଇଁ ମହାନଦୀ, କୁଆଖାଇ ଓ ଦୟା ନଦୀରୁ ଯେତିକି ପାଣି ଟ୍ରିଟ୍ମେଣ୍ଟ କରି ଅଣାଯାଉଛି ତାହା ପର୍ଯ୍ୟାପ୍ତ ହେଉନି । ଏଥିପାଇଁ ବୋରୱେଲ ଖୋଳାରେ ମାତିଛି ୱାଟ୍କୋ ।
୨୦୨୧ ମସିହାର ତଥ୍ୟ ଅନୁସାରେ କେବଳ ରାଜଧାନୀରେ ୱାଟ୍କୋର ୨୯୪୮ଟି ନଳକୂପ ରହିଛି । ବାସ୍ତବ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ନିଶ୍ଚିତ । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ବି ସମାନ ଢାଞ୍ଚାରେ ପାଣି ଯୋଗାଣ ଚାଲିଛି । ଏବେ କିଛି ଘଣ୍ଟା ପାଣି ଯୋଗାଣ ବେଳେ ପାଣି ଉଠାଇବାରେ ସମସ୍ୟା ହେଉଛି । ପ୍ରାକୃତିକ ଜଳାଶୟକୁ ବେଧଡ଼କ ଭାବେ ପୋତାଚାଲିଛି । କେଉଁଠି ଜବରଦଖଲ ତ’ ଆଉ କେଉଁଠି ବିକାଶ ନାଁରେ ଜଳାଶୟ ପୋତି ଦେଉଛନ୍ତି । ଏଠାରେ ସପିଂ ମଲ୍ ଓ ଆପାର୍ଟମେଣ୍ଟ ଛିଡ଼ା ହେଉଛି ।
ପ୍ରାକୃତିକ ଜଳ ଉତ୍ସର ବାଟକୁ ବନ୍ଦ କରି କଂକ୍ରିଟ୍ ନିର୍ମାଣ ଚାଲିଛି । ସହରର ରାସ୍ତା କଡ଼ରେ ଥିବା ଖାଲି ସ୍ଥାନରେ ପେଭର ବ୍ଲକ୍ ପକାଚାଲିଛି । କଂକ୍ରିଟ୍ର ସ୍ତର ଉପରେ ପେଭର ବ୍ଲକ ପକାଉଛନ୍ତି । ସରକାରୀ କ୍ୱାର୍ଟର୍ସ ପଛ ପାଖରେ ଥିବା କନଜରଭେନ୍ସି ଲେନ୍ରେ ଆବଶ୍ୟକତା ନ ଥାଇ କଂକ୍ରିଟ୍ ଓ ପେଭର ବ୍ଲକ୍ ପକାହେଉଛି । ସୌନ୍ଦର୍ଯ୍ୟକରଣ ନାଁରେ କଂକ୍ରିଟ୍ ବିକାଶ ଯୋଗୁ ଭୂତଳ ଜଳ ଭରଣା ହୋଇପାରୁନି ।
ଏହା ହିଁ ଜଳ ସଙ୍କଟ ପାଇଁ ସତର୍କଘଣ୍ଟି । ଦୈନିକ ୧୦ ହଜାର ଲିଟରରୁ ଅଧିକ ଜଳ ଖର୍ଚ୍ଚ କରୁଥିବା ଆପାର୍ଟମେଣ୍ଟ ଗୁଡ଼ିକ ପାଇଁ ରୁଫ୍ଟପ୍ ରେନ୍ ୱାଟର ହାର୍ଭେଷ୍ଟିଙ୍ଗ ବା ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ବାଧ୍ୟତାମୂଳକ ଥିଲେ ମଧ୍ୟ ଏହାର ଅବମାନନା କରାଯାଉଛି । ଭୁବନେଶ୍ୱର ଭଳି ନୟାଗଡ଼ରେ ବି ଭୂତଳ ଜଳସ୍ତର ବହୁତ ତଳକୁ ଖସିଗଲାଣି ।
ପାର୍କ ଓ ମେଡିଆନ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଗଛରେ ପିଇବା ପାଣି ଢଳାଯାଉଛି । ସରକାରୀ ଓ ବେସରକାରୀ ଦପ୍ତରରେ ବି ମାତ୍ରାଧିକ ପାଣି ବ୍ୟବହାର ସହିତ ଅପଚୟ ହେଉଛି । ସହର ପରିଚାଳନା ବିଶେଷଜ୍ଞ ଡ. ପିୟୁଷ ରାଉତ କହିଛନ୍ତି, ଯେଉଁଭଳି ହାରରେ ଭୁବନେଶ୍ୱର ଭଳି ସହରରେ ବୋରୱେଲ ଖୋଳା ଚାଲିଛି, ତାହା ଭବିଷ୍ୟତ ପାଇଁ ବିପଦ ଡାକି ଆଣିବ ।
ଯେତେ କୋଠା ନିର୍ମାଣ ହେଉଛି, ସେତେ ବୋରୱେଲ ଖୋଲା ହେଉଛି । ଭୂତଳ ଜଳ ବୋର୍ଡରୁ ଅନୁମତି ଆଣିବା ନିୟମକୁ କେହି ମାନୁନାହାନ୍ତି । ଏ ନେଇ ଲଗାମ ନଥିବାରୁ ଅନେକ ଅଞ୍ଚଳରେ ଭୂତଳ ଜଳସ୍ତର ଖସିଲାଣି । ପାଇପ ଜଳ ଯୋଗାଣ ହିଁ ଏକମାତ୍ର ବାଟ, ଯାହା ଶତ ପ୍ରତିଶତ କାର୍ଯ୍ୟକାରୀ ହେବା ଆବଶ୍ୟକ ।
You can also read...
୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା, ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ