ମୁଁ ମଣିଷ, ଭୁଲ୍ କରିପାରେ; କାହିଁକି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୧୧।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପୋଡ୍କାଷ୍ଟ ଜରିଆରେ ନିଜ ଜୀବନୀ ଓ ରାଜନୀତି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିରୋଧା ସହପ୍ରତିଷ୍ଠାତା ନିଖିଲ କାମାଥ୍ଙ୍କ ପୋଡ୍କାଷ୍ଟ ସିରିଜ୍ ‘ପିପୁଲ୍ ବାଏ ଡବ୍ଲ୍ୟୁଟିଏଫ୍’ରେ ଜଣେ ଅତିଥି ଭାବେ ଉପସ୍ଥିତ ହୋଇ ମୋଦି ତାଙ୍କ ଜୀବନୀ, ଶିକ୍ଷା, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, ମୁଖ୍ୟମନ୍ତ୍ରିତ୍ୱ ସମୟ, ଭାରତର ବୈଷୟିକ ଅଗ୍ରଗତି, ସାମାଜିକ ଗଣମାଧ୍ୟମ, ରାଜନୀତି ଏବଂ ଔଦ୍ୟୋଗୀକରଣ ସହ ସେଗୁଡ଼ିକର ସାଦୃଶ୍ୟ ଆଦି ବିଭିନ୍ନ ପ୍ରସଙ୍ଗରେ ୨ ଘଣ୍ଟା […] The post ମୁଁ ମଣିଷ, ଭୁଲ୍ କରିପାରେ; କାହିଁକି ଏମିତି କହିଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପୋଡ୍କାଷ୍ଟ ଜରିଆରେ ନିଜ ଜୀବନୀ ଓ ରାଜନୀତି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିରୋଧା ସହପ୍ରତିଷ୍ଠାତା ନିଖିଲ କାମାଥ୍ଙ୍କ ପୋଡ୍କାଷ୍ଟ ସିରିଜ୍ ‘ପିପୁଲ୍ ବାଏ ଡବ୍ଲ୍ୟୁଟିଏଫ୍’ରେ ଜଣେ ଅତିଥି ଭାବେ ଉପସ୍ଥିତ ହୋଇ ମୋଦି ତାଙ୍କ ଜୀବନୀ, ଶିକ୍ଷା, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, ମୁଖ୍ୟମନ୍ତ୍ରିତ୍ୱ ସମୟ, ଭାରତର ବୈଷୟିକ ଅଗ୍ରଗତି, ସାମାଜିକ ଗଣମାଧ୍ୟମ, ରାଜନୀତି ଏବଂ ଔଦ୍ୟୋଗୀକରଣ ସହ ସେଗୁଡ଼ିକର ସାଦୃଶ୍ୟ ଆଦି ବିଭିନ୍ନ ପ୍ରସଙ୍ଗରେ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ବ୍ୟକ୍ତିଗତ ଅଭିଳାଷ ନୁହେଁ, ଜନସେବାକୁ ମିଶନ ଭାବେ ଗ୍ରହଣ କରିଥିବା ଲୋକେ ରାଜନୀତିରେ ଯୋଗଦେବା ଗୁରୁତ୍ୱପୂର୍ଣ୍ଣ। ରାଜନୀତିରେ ସଫଳତା ପାଇଁ ଲୋକଙ୍କ ସହ ଯୋଡ଼ିହୋଇ ରହିବା ଓ ତ୍ୟାଗ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ଥିତ୍ବାବେଳେ ନିଜର ଏକ ପୁରୁଣା ବକ୍ତବ୍ୟ ସମ୍ପର୍କରେ ମୋଦି କହିଛନ୍ତି, ମୁଁ ଜଣେ ମଣିଷ, ଭଗବାନ୍ ନୁହେଁ। ତେଣୁ ମୋର ଭୁଲ୍ ହୋଇପାରେ। ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦି ଏକଦା କହିଥିଲେ, ନିଜ ଉଦ୍ୟମରେ କୌଣସି ସୁଯୋଗ ହାତଛଡ଼ା ହେବାକୁ ଦେବେ ନାହିଁ। ସେ ନିଜ ପାଇଁ କିଛି କରିବେ ନାହିଁ ବୋଲି କହିବା ସହ ଜଣେ ମଣିଷ ହୋଇଥିବାରୁ ଭୁଲ୍ ହୋଇଯିବା ସ୍ବାଭାବିକ ବୋଲି କହିଥିଲେ। ତେବେ ଖରାପ ଉଦ୍ଦେଶ୍ୟ ନେଇ ସେ ଭୁଲ୍ କରିବେ ନାହିଁ। ସେ ଏହାକୁ ତାଙ୍କ ଜୀବନର ମନ୍ତ୍ର କରିଥିବା କହିଛନ୍ତି।
ନିଜ ପିଲାଦିନର କଥା ମନେ ପକାଇ ମୋଦି କହିଛନ୍ତି, ସେ ତାଙ୍କ ପରିବାର ସଦସ୍ୟମାନଙ୍କ ଲୁଗାପଟା ଧୋଉଥିଲେ। ଏଥିପାଇଁ ତାଙ୍କୁ ପୁଷ୍କରିଣୀ ଯିବାକୁ ଅନୁମତି ମିଳିଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ସେ ତାଙ୍କ ସରକାରୀ ବାସଭବନକୁ ନିଜ ପୁରୁଣା ଦିନର ସାଙ୍ଗ ଓ ଶିକ୍ଷକମାନଙ୍କୁ ଆମନ୍ତ୍ରଣ କରିଥିଲେ। ତେବେ ସାଙ୍ଗମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖୁଥିବାବେଳେ ମୋଦି ସେମାନଙ୍କଠାରେ ନିଜ ସାଙ୍ଗଙ୍କୁ ଦେଖିବାକୁ ଉଦ୍ୟମ କରୁଥିଲେ ବୋଲି କହିଛନ୍ତି।
୨୦୦୨ ଫେବୃଆରୀ ୨୪ ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାକୁ ମନେପକାଇ ସେ ସମୟର ନବନିର୍ବାଚିତ ବିଧାୟକ ଭାବେ ସେ ନିଜ କଠିନ ପରୀକ୍ଷା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେ ବିଧାୟକ ହେବାର ୩ ଦିନ ପରେ ଗୋଧ୍ରାରେ ଟ୍ରେନ୍ପୋଡ଼ି ଘଟଣା ଘଟିଥିଲା। ମୋଦି ଘଟଣାସ୍ଥଳକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅଫିସରମାନେ ତାଙ୍କ ପାଇଁ ହେଲିକପ୍ଟରର ଆୟୋଜନ କରିଥିଲେ। ତେବେ ସେ ଭିଆଇପି ନୁହନ୍ତି, ଜଣେ ସାଧାରଣ ମଣିଷ ବୋଲି ମୋଦି କହିଥିଲେ। ବିପଦ ଆଶଙ୍କା ସତ୍ତ୍ୱେ ସେ ଓଏନ୍ଜିସି ହେଲିକପ୍ଟର ଯୋଗେ ଗୋଧ୍ରା ଯାଇ ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିଥିଲେ ଓ ମୁଖ୍ୟମନ୍ତ୍ରୀ ଭାବେ ନିଜ ଭାବପ୍ରବଣତାକୁ ନିୟନ୍ତ୍ରଣରେ ରଖିଥିଲେ।
ପ୍ରଧାନମନ୍ତ୍ରୀ ନିଜକୁ କେବେ ଆରାମଦାୟକ ଜୋନ୍ରେ ରଖିନାହାନ୍ତି ଏବଂ ବିପଦକୁ ମୁକାବିଲା କରିବା ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ କରିନାହାନ୍ତି। ସେ ଏଭଳି ଜୀବନ ଯାପନ କରୁଛନ୍ତି, ଯେଉଁଠି ତାଙ୍କୁ ଅତି ଛୋଟ ଜିନିଷ ମଧ୍ୟ ସନ୍ତୁଷ୍ଟି ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୋଡ୍କାଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାକ୍ଷାତ୍କାରକୁ କଂଗ୍ରେସ ତାଚ୍ଛଲ୍ୟ କରିଛି। ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ୍କାର କେବଳ ନିଜ ଭାବମୂର୍ତ୍ତିର ସୁରକ୍ଷା ପାଇଁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।
The post ମୁଁ ମଣିଷ, ଭୁଲ୍ କରିପାରେ; କାହିଁକି ଏମିତି କହିଲେ ମୋଦି appeared first on Dharitri Odia News.