Auto Driver Returned 1 Lakh: ଅଟୋ ଚାଳକଙ୍କ ମହାନତା, ରାସ୍ତାରୁ ଲକ୍ଷେ ଟଙ୍କା ପାଇ ଫେରାଇ ଦେଲେ

ସମାଜରେ ଅପରାଧ ବୃଦ୍ଧି ପାଉଛି ସତ ହେଲେ ଅନେକ ଲୋକ ଅଛନ୍ତି ଯେଉଁମାନେ ମାନବିକତା ଓ ମାନବିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଭୁବନେଶ୍ୱରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

Auto Driver Returned 1 Lakh: ଅଟୋ ଚାଳକଙ୍କ ମହାନତା, ରାସ୍ତାରୁ ଲକ୍ଷେ ଟଙ୍କା ପାଇ ଫେରାଇ ଦେଲେ

ସମାଜରେ ଏବେ ବି ମାନବିକତା ବଞ୍ଚିରହିଛି। ଭୁବନେଶ୍ୱରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ରାସ୍ତାରୁ ଅଟୋ ଚାଳକ ପାଇଲେ ଲକ୍ଷେ ଟଙ୍କା । ଲୋଭର ବଶବର୍ତ୍ତୀ ନହୋଇ ଥାନାରେ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ପହଞ୍ଚିଥିଲେ। ପୋଲିସ ଉପସ୍ଥିତିରେ ଟଙ୍କା ନେଲେ ହଜାଇଥିବା ବ୍ୟକ୍ତି । ଟଙ୍କା ଫେରାଇ ମହାନତା ଦେଖାଇଲେ ଅଟୋ ଚାଳକ ବାବୁଲା ମାଝୀ । ଟଙ୍କା ବ୍ୟାଗ୍ ଫେରିପାଇବା ପରେ ବ୍ୟକ୍ତି ଜଣକ ଅଟୋଚାଳକଙ୍କୁ ଭଗବାନଙ୍କ ଆଖ୍ୟା ଦେଇଛନ୍ତି।

ସୂଚନା ଅନୁସାରେ ଅଟୋ ଚାଳକ ଜଣକ ହେଉଛନ୍ତି ବାବୁଲା ମାଝୀ। ସେ ଭୁବନେଶ୍ୱରରେ ଅଟୋରିକ୍ସା ଚଳାନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନୂଆପଲ୍ଲୀ ଅଞ୍ଚଳର ସୁବୋଧ ବରାଳ ଭୁବନେଶ୍ବରରେ ରହୁଥିବା ତାଙ୍କ ଭଉଣୀଙ୍କଠାରୁ ଲକ୍ଷେ ଟଙ୍କା ନେଇ ଗାଁକୁ ଫେରୁଥିଲେ। ଏହି ଟଙ୍କାରେ ସେ ଗାଁ ଘର ଛାତ ପକାଇଥାଆନ୍ତେ। କିନ୍ତୁ ଅସାବଧାନତାବଶତଃ ଟଙ୍କା ବ୍ୟାଗ୍‌ଟି ବାଟରେ ହଜିଯାଇଥିଲା। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।

ସେହି ରାସ୍ତାରେ ଅଟୋ ଚଳାଇ ଯାଉଥିବା ବାବୁଲା ମାଝୀଙ୍କ ନଜର ପଡିଥିଲା ବ୍ୟାଗ୍ ଉପରେ। ବ୍ୟାଗ୍ ଖୋଲି ସେଥିରେ ୨ଟି ୫୦୦ ଟଙ୍କିଆ ବଣ୍ଡଲ ଥିବା ଦେଖିଥିଲେ। ଚାରିଆଡ଼େ ଖୋଜାଖୋଜି କରିବା ସହ ଆଖପାଖ ଲୋକଙ୍କୁ ପଚାରି ଥିଲେ ବାବୁଲି। ଯାହାର ଟଙ୍କା ହଜିଛି, ତା’ ମନ କ’ଣ ହେଉଥିବା ଭାବି ସେ ତୁରନ୍ତ ଚନ୍ଦ୍ରଶେଖରପୁର ଥାନାକୁ ଯାଇଥିଲେ। ସେତେବେଳକୁ ଟଙ୍କା ହଜାଇଥିବା ସୁବୋଧ ଅଭିଯୋଗ କରି ଥାନାରୁ ଫେରିଯାଇଥିଲେ।

ଏହା ସହ ପଢ଼ନ୍ତୁ: Jhansi Hospital Fire: ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲେ ୭ ଶିଶୁର ଜୀବନ, କିନ୍ତୁ ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ

ପୋଲିସ ଅଟୋଚାଳକ ବାବୁଲାଙ୍କଠାରୁ ଟଙ୍କା ବ୍ୟାଗ୍‌ ପାଇବା ମାତ୍ରେ ସୁବୋଧଙ୍କୁ ଫୋନ୍‌ କରି ଥାନାକୁ ଡକାଇଥିଲେ। ଥାନାକୁ ଆସିବା ପରେ ସୁବୋଧ ଟଙ୍କା ବ୍ୟାଗ୍‌କୁ ଚିହ୍ନିଥିଲେ। ପୋଲିସ ଉପସ୍ଥିତିରେ ସୁବୋଧଙ୍କୁ ଟଙ୍କା ହସ୍ତାନ୍ତର କରିଥିଲେ ବାବୁଲା । ବର୍ତ୍ତମାନ ପରିସ୍ଥିତିରେ ଚାରିଆଡ଼େ ଚୋରି ଲୁଟ୍ ବଢ଼ୁଥିବା ବେଳେ ପଡ଼ିଥିବା ଟଙ୍କା ପାଇ ଥାନାରେ ଫେରାଇବା ମାନବିକତା ଓ ସଚ୍ଚୋଟ ପଣିଆର ଏକ ନିଆରା ଉଦାହରଣ ସୃଷ୍ଟି କରିଛି।ଚନ୍ଦ୍ରଶେଖରପୁର ଥାନା ପୁଲିସ ମଧ୍ୟ ବାବୁଲାଙ୍କୁ ବହୁ ପ୍ରଶଂସା କରିଛି।