Uttarakhand Bus Accident: ଦୁର୍ଘଟଣା କରିଦେଲା ବାପ-ମା’ ଛେଉଣ୍ଡ; ହସ୍ପିଟାଲ୍‌ରେ ଆହା ପଦେ କହିବାକୁ କେହି ନାହିଁ

ଜୀବନ ଜୀଇବା ଆରମ୍ଭ ହେବା ବେଳକୁ ଶିବାନୀ ହୋଇଯାଇଛି ଅନାଥ। ବାପା ମା’ ବସ୍ ଦୁର୍ଘଟଣାରେ ଆଖିବୁଜିଦେଲେ। ଆଉ ସିଏ ଏବେ ବାପ-ମା ଛେଉଣ୍ଡ ହୋଇ ହସ୍ପିଟାଲ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛି। ବେଡ୍‌ରେ ମା’-ବାପା ଡାକିଲେ ବି ଆଉ ଶୁଣିବାକୁ କେହି ନାହିଁ।

Uttarakhand Bus Accident: ଦୁର୍ଘଟଣା କରିଦେଲା ବାପ-ମା’ ଛେଉଣ୍ଡ; ହସ୍ପିଟାଲ୍‌ରେ ଆହା ପଦେ କହିବାକୁ କେହି ନାହିଁ

ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାର ମର୍ମନ୍ତୁଦ ଦୁର୍ଘଟଣା ଛାତି ଥରାଇ ଦେବ। ଦେଖୁ ଦେଖୁ ୨୦୦ ଫୁଟ ତଳ ଖାଇକୁ ଖସିଗଲା ଯାତ୍ରୀବାହୀ ବସ୍। ଲିଭିଗଲା ୩୬ ଜଣଙ୍କ ଜୀବନ ଦୀପ। କାହାର ପରିବାର ନିଶିହ୍ନ ହୋଇଗଲା ତ ଆଉ କିଏ ପ୍ରିୟଜନଙ୍କୁ ହରାଇଲା। ସେମିତି ଏକ କାହଣୀ କୁନି ଶିବାନୀର। ଜୀବନ ଜୀଇବା ଆରମ୍ଭ ହେବା ବେଳକୁ ସେ ହୋଇଯାଇଛି ଅନାଥ। ବାପା ମା’ ବସ୍ ଦୁର୍ଘଟଣାରେ ଆଖିବୁଜିଦେଲେ। ଆଉ ବାପ-ମା ଛେଉଣ୍ଡ ହୋଇ ଏବେ ହସ୍ପିଟାଲ୍‌ରେ ଜୀବନ ମରଣ ସହ ସଂଘର୍ଷ କରୁଛି ସିଏ। ବେଡ୍‌ରେ ମା’-ବାପା ଡାକିଲେ ବି ଆଉ ଶୁଣିବାକୁ କେହି ନାହିଁ।

ଗତକାଲିର ବସ୍ ଦୁର୍ଘଟଣା ଅନେକଙ୍କ ଜୀବନର ମୋଡ ବଦଳାଇ ଦେଇଛି। ୩୬ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି। ଯେଉଁଥିରେ ୩ବର୍ଷୀୟା ଶିବାନୀର ବାପା-ମା ବି ରହିଥିଲେ। ହେଲେ ସୌଭାଗ୍ୟ ବଶତଃ ବଞ୍ଚିଯାଇଥିଲେ ଶିବାନୀ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିଜ ବାପା-ମାଙ୍କୁ ଖୋଜି ପାଟି କରି 'ମମି ଏବଂ ପାପା' ଚିତ୍କାର କଲାବେଳେ ଲୋକଙ୍କ ଆଖି ଲୁହରେ ଭରିଗଲା, କିନ୍ତୁ ସେ ଜାଣି ନଥିଲା ଯେ ତା ବାପା -ମା ଆଉ ଏହି ଦୁନିଆରେ ନାହାଁନ୍ତି।

ଡିଗୋଲିଖଲର ବିରଖେଟର ବାସିନ୍ଦା ଶିବାନୀ ରାୱତ । ବୟସ ୩ ବର୍ଷ। ବାପା ମନୋଜ ରାୱତ ଏବଂ ମାତା ଚାରୁ ଦେବୀଙ୍କ ସହ ଦୀପାବଳି ପାଳନ କରିବାକୁ ଗାଁକୁ ଆସିଥିଲେ। ଦୀପାବଳି ପାଳନ କରିବା ପରେ ବସ୍‌ରେ ରାମନଗର ଯାଉଥିଲେ। ହେଲେ କିଏ ଜାଣିଥିଲା ବସ୍‌ ଦୁର୍ଘଟଣା ଘଟିବ। ଏହି ଦୁର୍ଘଟଣାରେ ଶିବାନୀଙ୍କ ବାପା ଏବଂ ମା’ଙ୍କର ମୃତ୍ୟୁ ହୋଇଛି। ନିରୀହ ଶିବାନୀ ରାୱତ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

ଆହତ ଶିବାନୀ ରାୱତଙ୍କୁ ଅନ୍ୟ ଆହତଙ୍କ ସହ ରାମନଗରର ରାମଦତ୍ତ ଯୋଶୀ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତାର ଚିକିତ୍ସା କରାଯାଇଥିଲା। ଏହି ସମୟ ମଧ୍ୟରେ ବାପ-ମା ଛେଉଣ୍ଡ ଶିବାନୀ ମା’ ଏବଂ ବାପାଙ୍କୁ ପାଟି କରି ଡାକି ଚାଲିଥିଲେ। ହେଲେ ସେ ଡାକ ଦେଖଣାହାରୀଙ୍କ ଆଖିରେ ଲୁହ ଆଣିଦେଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ଏୟାରଲିଫ୍ଟ କରାଯାଇ AIIMS ଋଷିକେଶକୁ ପଠାଯାଇଛି।

ଶିବାନୀଙ୍କ ସଂପର୍କୀୟ ମଦନମୋହନ ସିଂ ରାୱତ କହିଛନ୍ତି ଯେ ଶିବାନୀର ବାପା ମନୋଜ ରାୱତ ରାମନଗରର ଉଦ୍ୟାନ କୃଷି ବିଭାଗରେ କାର୍ଯ୍ୟ କରୁଥିଲେ। ମା ଚାରୁ ଦେବୀ ଜଣେ ଗୃହିଣୀ ଥିଲେ । ବର୍ତ୍ତମାନ ଶିବାନୀଙ୍କ ସହ ତାଙ୍କ ଜେଜେବାପା ଦର୍ଶନ ସିଂ ଅଛନ୍ତି। ଉଭୟ ପୁଅ ଏବଂ ବୋହୂଙ୍କୁ ହରାଇବା ପରେ ଏବେ ନାତୁଣୀର ସଂଘର୍ଷ ଦେଖି ସେ ସମ୍ଭାଳି ପାରିନଥିଲେ।

ଡାକ୍ତରମାନେ କହିଛନ୍ତି ଯେ ଶିବାନୀର ଶରୀରରେ ଗଭୀର ଆଘାତ ଲାଗିଛି - ତାଙ୍କ ମୁଣ୍ଡରେ ଆଘାତ ସହ, ପଞ୍ଜରା ହାଡ ଭାଙ୍ଗି ଯାଇଛି ଏବଂ ଫୁସଫୁସରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ AIIMS ଋଷିକେଶକୁ ପଠାଯାଇଛି, ଯେଉଁଠାରେ ବିଶେଷଜ୍ଞମାନେ ତାଙ୍କର ଚିକିତ୍ସା କରୁଛନ୍ତି।