ଅଂଶୁଘାତକୁ ସାବଧାନ!
ଜ୍ୱର ଭଳି ପରିସ୍ଥିତି ନ ଉପୁଜିଲେ ଆମ ଦେହର ତାପମାତ୍ରା ରହିଥାଏ ୯୮.୪ ଡିଗ୍ରୀ ଫାରେନ୍ହିଟ୍ର ୧ କିମ୍ବା ୨ ଡିଗ୍ରୀ କମ୍ ବା ବେଶୀ। ଶରୀର ଭିତରର ଓ ବାହାରର ନାନା ଉଦ୍ଦୀପକର କ୍ରିୟା ସତ୍ତ୍ବେ ଆମ ମସ୍ତିଷ୍କର ହାଇପୋଥାଲାମସ ଅଂଶଟି ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଯେପରିକି ଗ୍ରୀଷ୍ମର ସମୟରେ ଶରୀରର ତାପମାତ୍ରା ବଢ଼଼ିଗଲେ ଆମ ଦେହରୁ ଜାଳ ବୋହି ଶରୀର ଥଣ୍ଡା ହୋଇଯାଏ। କିନ୍ତୁ ପରିବେଶର ତାପମାତ୍ରା ଯଦି ଖୁବ୍ ବଢ଼଼ିଯାଏ ଏବଂ […]

ଜ୍ୱର ଭଳି ପରିସ୍ଥିତି ନ ଉପୁଜିଲେ ଆମ ଦେହର ତାପମାତ୍ରା ରହିଥାଏ ୯୮.୪ ଡିଗ୍ରୀ ଫାରେନ୍ହିଟ୍ର ୧ କିମ୍ବା ୨ ଡିଗ୍ରୀ କମ୍ ବା ବେଶୀ। ଶରୀର ଭିତରର ଓ ବାହାରର ନାନା ଉଦ୍ଦୀପକର କ୍ରିୟା ସତ୍ତ୍ବେ ଆମ ମସ୍ତିଷ୍କର ହାଇପୋଥାଲାମସ ଅଂଶଟି ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଯେପରିକି ଗ୍ରୀଷ୍ମର ସମୟରେ ଶରୀରର ତାପମାତ୍ରା ବଢ଼଼ିଗଲେ ଆମ ଦେହରୁ ଜାଳ ବୋହି ଶରୀର ଥଣ୍ଡା ହୋଇଯାଏ। କିନ୍ତୁ ପରିବେଶର ତାପମାତ୍ରା ଯଦି ଖୁବ୍ ବଢ଼଼ିଯାଏ ଏବଂ ଶରୀରରେ ଜଳ ଅଭାବ ଥାଏ, ତା’ହେଲେ ହାଇପୋଥାଲାମସ୍ଟି ପକ୍ଷେ ଏହି ତାପମାତ୍ରାର ନିୟନ୍ତ୍ରଣ ସମ୍ଭବ ହୋଇପାରେନି। ଫଳରେ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ବଢ଼଼ିବା ଆରମ୍ଭ କରେ। ପରିବେଶର ତାପମାତ୍ରା ୪୨-୪୩ ଡିଗ୍ରୀ ସେଲସିୟସ ହୋଇଯିବାର ଅର୍ଥ ହେଲା ତାହା ପ୍ରାୟ ୧୧୦ ଡିଗ୍ରୀ ଫାରେନ୍ହିଟ୍ର ପାଖାପାଖି ପହଞ୍ଚିଯିବ। ଏପରି ତୀବ୍ର ତାପର ପ୍ରଭାବରେ ଦେହର ତାପମାତ୍ରା ବଢ଼଼ି ୪୦ ଡିଗ୍ରୀ ସେଲସିୟସ ପାର ହୋଇଗଲେ ହିଁ ଜାତ ହୋଇପଡ଼େ ବିପଦ। ଶରୀରରେ ପ୍ରକାଶ ପାଏ ତୀବ୍ର ପ୍ରତିକ୍ରିୟା। ତାପ ପ୍ରଭାବରେ କ୍ଷିତିଗ୍ରସ୍ତ କୋଷଗୁଡ଼ିକରୁ ବାହାରିପଡ଼େ ସାଇଟୋକାଇନ୍ ଏବଂ ହିଟ୍ସକ୍ ପ୍ରୋଟିନ୍, ଯାହା ସ୍ନାୟୁକୁ ଆକ୍ରମଣ କରେ। ଏହା ଫଳରେ କେତେକ ବ୍ୟକ୍ତି ହଠାତ ଅଚେତ ହୋଇପଡ଼ନ୍ତି। ଏହିପରି ଘଟଣା ଘଟିଲେ ତା’କୁ କୁହାଯାଏ ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ। କେହି କେହି କୋମା ବା ଦୀର୍ଘ ଅଚେତନ ଅବସ୍ଥାକୁ ଚାଲିଯା’ନ୍ତି। ହିଟ୍ ଷ୍ଟ୍ରୋକ୍ ହେବାର ପରିସ୍ଥିତି ଉପୁଜିବାର ପ୍ରସ୍ତୁତି ଯେ ଆରମ୍ଭ ହୋଇଗଲାଣି, ତାହା ବୁଝାଯାଏ ଆହୁରି ତିନିଟି ଅବସ୍ଥାର ଲକ୍ଷଣକୁ ଦେଖି। ଏଗୁଡ଼ିକ ହେଲା ଯଥାକ୍ରମେ ହିଟ୍କ୍ରାମ୍ପ୍ ବା ତାପ ବୃଦ୍ଧିଜନିତ ପେଶୀଯନ୍ତ୍ରଣା, ହିଟ୍ ଏଗ୍ଜିଶ୍ଚନ ବା ତାପବୃଦ୍ଧିଜନିତ କ୍ଲାନ୍ତି ଓ ଏହାପରେ ଆସେ ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ।
ତୀବ୍ର ଗରମରେ ଅନେକଙ୍କ ପେଶୀରେ ଯନ୍ତ୍ରଣା ହୋଇଥାଏ। ଏପରି ହେବାର ପଶ୍ଚାତରେ ମୂଳ କାରଣ ହେଲା ଝାଳ। ଝାଳସହ ଶରୀରରୁ ବାହାରିଯାଏ ସୋଡିୟମ ଏବଂ ପୋଟାସିୟମ ବା ଇଲେକ୍ଟ୍ରୋଲାଇଟ୍ସ। ପୁନଶ୍ଚ ଶରୀରରେ ଜଳର ଅଭାବ ହେଲେ ମଧ୍ୟ ଜାତ ହୋଇପାରେ ମସଲ କ୍ରାମ୍ପ ବା ପେଶୀ ଯନ୍ତ୍ରଣା। ଏହି ଧରଣର ଜଟିଳତା ବେଶୀ ପ୍ରକାଶ ପାଏ ପାଦ, ଗୋଡ଼ ଓ ଜଙ୍ଘର ପେଶୀରେ। ଏହିପରି ଭାବରେ ପେଶୀରେ ଯନ୍ତ୍ରଣା ହେଲେ ଗୋଟିଏ ଜାଗାରେ ବସିପଡ଼ି ବିଶ୍ରାମ ହେବା ହିଁ ବାଞ୍ଛନୀୟ। ଏହାଛଡ଼ା ଦୁଇ ହାତର ପାପୁଲି ଦ୍ୱାରା ଯନ୍ତ୍ରଣା ହେଉଥିବା ପେଶୀଗୁଡ଼ିକୁ ମର୍ଦନ କରନ୍ତୁ। ଏକାସାଙ୍ଗରେ ପର୍ଯ୍ୟାପ୍ତ ପରିମାଣର ଜଳ ପିଇବା ଜରୁରୀ। ଲେମ୍ବୁ, ଲୁଣ, ଚିନିର ସରବତ ପିଇଲେ ଆହୁରି ଭଲ। ବେଶୀ ଫାଇଦା ମିଳିବ ୧ ଲିଟର ଜଳରେ ୧ ପ୍ୟାକେଟ୍ ଓଆର୍ଏସ୍ ପାଉଡର ମିଶେଇ ଅଳ୍ପ ଅଳ୍ପ କରି ପିଇବା। ଏହାଦ୍ୱାରା ଶରୀରରେ ଜଳ ସହିତ ଇଲେକ୍ଟ୍ରୋଲାଇଟ୍ସର ଅଭାବ ମଧ୍ୟ ସହଜରେ ଭରଣା ହୋଇଯିବ।
ଦୀର୍ଘ ସମୟ ଉଷ୍ଣ ପରିବେଶରେ କଟେଇଲେ ମୁଣ୍ଡବଥା, ନାଡ଼ିର ହାର ବୃଦ୍ଧି ମଥା ଘୂରେଇବା, ମାନସିକ ବିଭ୍ରାନ୍ତି ଏବଂ ଅଚେତ ହୋଇପଡ଼ିବା ଭଳି ଉପସର୍ଗମାନ କାହା କାହାଠାରେ ପ୍ରକାଶ ପାଏ। ଉଚ୍ଚ ତାପମାତ୍ରା ଯୋଗୁଁଁ ଧମନୀ ପ୍ରସାରିତ ହୋଇଯାଏ ଏବଂ ହ୍ରାସ ପାଇଯାଏ ରକ୍ତଚାପ। ବିଶେଷକରି ଉଷ୍ଣ ପରିବେଶରେ ପ୍ରାନ୍ତୀୟ ବା ହାତ-ପାଦର ରକ୍ତବାହୀ ନଳୀଗୁଡ଼ିକ ପ୍ରସାରିତ ହୋଇଯିବାରୁ ସେଠାରୁ ରକ୍ତକୁ ଠେଲି ମସ୍ତିଷ୍କକୁ ପଠେଇବାରେ ବାଧା ଉପୁଜେ। ମସ୍ତିଷ୍କରେ ଅକ୍ସିଜେନ୍, ଗ୍ଲୁକୋଜ ଓ ଅନ୍ୟାନ୍ୟ ପ୍ରୟୋଜନୀୟ ଉପାଦାନ ପହଞ୍ଚି ନ ପାରିବା କାରଣରୁ ଜାତ ହୋଇପଡ଼େ ନାନାବିଧ ସମସ୍ୟା। ଏହି ଧରଣର ସମସ୍ୟାକୁ କୁହାଯାଏ ହିଟ୍ ସିନ୍କୋପ ବା ଚାପଜନିତ ସଞ୍ଜ୍ଞାଲୋପ। ବୟସ୍କ ବ୍ୟକ୍ତି, ଯେଉଁମାନଙ୍କ ରକ୍ତବାହୀ ନଳୀଗୁଡ଼ିକର ସଂକୋଚନ-ପ୍ରସାରଣ କ୍ଷମତା ହ୍ରାସ ପାଇଯାଇଥାଏ, ସେମାନଙ୍କ ଠାରେ ଏଭଳି ସମସ୍ୟା ବେଶୀ ହେବାର ପରିଲକ୍ଷିତ ହୁଏ। ତେବେ ଅଳ୍ପ ବୟସୀମାନଙ୍କଠାରେ ମଧ୍ୟ ଜାତ ହୋଇପାରେ ହିଟ୍ ସିନ୍କୋପ। ରାସ୍ତାଘାଟରେ ହିଟ୍ ସିନ୍କୋପ୍ ହେଲେ କାଳବିଳମ୍ବ ନ କରି ଆକ୍ରାନ୍ତ ବ୍ୟକ୍ତିକୁ ଛାଇଥିବା ଜାଗା ବା ଶୀତଳ ସ୍ଥାନକୁ ନେଇ ଶୁଆଇ ରଖନ୍ତୁ। ଅଚେତ ହୋଇପଡ଼ି ନଥିଲେ ଅଳ୍ପ ଅଳ୍ପ କରି ଜଳ ପିଆନ୍ତୁ। ଗୋଡ଼ ଦୁଇଟିକୁ ଭୂଇଁଠାରୁ ଉଚ୍ଚରେ ରଖିଲେ ପାଦ ଅଞ୍ଚଳରୁ ମସ୍ତିଷ୍କକୁ ରକ୍ତପ୍ରବାହ ସୁଗମ ହୋଇ ଚଞ୍ଚଳ ଉପଶମ ମିଳିବ।
ବାୟୁରେ ଜଳୀୟବାଷ୍ପର ମାତ୍ରା ବେଶୀ ହୋଇ ପ୍ରଚଣ୍ଡ ଗୁଳୁଗୁଳି ହେଲେ ଶରୀରର ତାପମାତ୍ରା ସ୍ୱାଭାବିକ ତୁଳନାରେ ବଢ଼଼ି ପ୍ରକାଶ ପାଇପାରେ ହିଟ୍ ଏଗ୍ଜଶନ। ଉପସର୍ଗ ହିସାବରେ ନାଡ଼ିର ଗତି ବଢ଼଼ି ଯାଇପାରେ, ଦେହରୁ ବେଶୀ ଝାଳ ବହେ, ମୁଣ୍ଡ ବୁଲାଏ, ପ୍ରବଳ ହାଲିଆ ଲାଗେ ଏବଂ କମିଯାଏ ରକ୍ତଚାପ। ଅନେକଙ୍କଠାରେ ଦେଖାଦେଇପାରେ ବାନ୍ତି ଓ ତରଳଝାଡ଼ା ଭଳି ସମସ୍ୟା। ଠିକ୍ ସମୟରେ ପ୍ରତିକାର ବ୍ୟବସ୍ଥା ନ କଲେ ହିଟ୍ ଏଗ୍ଜଶନରୁ ହିଟ୍ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼଼ିଯାଏ। ବୟସ୍କଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ। ଏହି ଉପସର୍ଗ ଦେଖାଦେଲେ ତୁରନ୍ତ ଗାମୁଛା କି ତଉଲିଆକୁ ଥଣ୍ଡାପାଣିରେ ଭିଜେଇ ସାରା ଦେହକୁ ପୋଛି ପକେଇଲେ ଉପଶମ ମିଳେ। ୧୦ ବର୍ଷ ବୟସରୁ କମ୍ ବୟସ୍କ ପିଲାଙ୍କର ମଧ୍ୟ ଏପରି ସମସ୍ୟା ହୋଇପାରେ। ତେଣୁ ସତର୍କ ରହିବା ଉଚିତ।
ଅଂଶୁଘାତର ଉପସର୍ଗ ବା ଲକ୍ଷଣଗୁଡ଼ିକ ସମ୍ପର୍କରେ ଜାଣିବା ଜରୁରୀ। ଆକ୍ରାନ୍ତ ବ୍ୟକ୍ତି ବାଉଳିଚାଉଳି ହୋଇ ଅସଂଲଗ୍ନ କଥା କହେ। ବଢ଼଼ିଯାଏ ଶ୍ୱାସ ପ୍ରଶ୍ୱାସର ଗତି। ହଠାତ୍ ଚେତା ବୁଡ଼ିଯାଏ। ଚର୍ମ ହୋଇପଡ଼େ ଶୁଷ୍କ। ଶରୀର ଜଳଶୂନ୍ୟ ହୋଇଯିବା ହେତୁ ଦେହରୁ ଝାଳ ବାହାରେନି। କାହାକୁ କାହାକୁ ବାତ ମାରିପାରେ ମଧ୍ୟ। ଏପରି ଅବସ୍ଥା ଦେଖିଲେ କାଳବିଳମ୍ବ ନ କରି ରୋଗୀକୁ କୌଣସି ଶୀତଳ ସ୍ଥାନରେ ଶୁଆଇ ଦିଅନ୍ତୁ। କୋଠରିର ପଙ୍ଖା ଚଳେଇ ଦିଅନ୍ତୁ ଜୋରରେ। ପଙ୍ଖା ନ ଥିଲେ ବିଞ୍ଚଣାରେ ବିଞ୍ଚିଚାଲନ୍ତୁ। ଶୀତତାପ ନିୟନ୍ତ୍ରିତ କୋଠରୀରେ ରଖିଲେ ବେଶୀ ଭଲ। ଖୋଲି ପକାନ୍ତୁ; ରୋଗୀର ପୋଷାକପତ୍ର। ତାର ଶରୀରକୁ ଥଣ୍ଡା ଜଳରେ ଗାଧୋଇ ଦିଅନ୍ତୁ। ନୋହିଲେ ତଉଲିଆ ଭିତରେ ବରଫ ରଖି ରୋଗୀକୁ ପୋଛି ଦିଅନ୍ତୁ। କାଖ, ବେକ ଓ କପାଳରେ ପାଣିପଟି ପକାନ୍ତୁ।
ଏହାପରେ ଯେତେ ଚଞ୍ଚଳ ସମ୍ଭବ ରୋଗୀକୁ ନେଇ ଯାଆନ୍ତୁ ହସ୍ପିଟାଲକୁ। ସାଧାରଣତଃ ବୟସ ବୃଦ୍ଧି ସହ ହିଟ୍ ଷ୍ଟ୍ରୋକ୍ର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଟ୍ରାଫିକ୍ ପୁଲିସ, ଖରାତରାରେ କାମ କରୁଥିବା କୃଷକ, ଶ୍ରମିକ, ରିକ୍ସା ଚାଳକ, ବୁଲା ବିକାଳି ଇତ୍ୟାଦି ହିଟ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହୋଇପଡ଼ିବାର ସମ୍ଭାବନା ବେଶୀ। ବାୟୁ ଚଳାଚଳ ହେଉ ନଥିବା ଏବଂ ଝରକା ନଥିବା ଆବଦ୍ଧ କୋଠରିରେ ରହିଲେ ହିଟ୍ଷ୍ଟ୍ରୋକ୍ ଆଶଙ୍କା ବଢ଼଼ିଯାଏ।
ଏପରି କେତେକ ଔଷଧ ଅଛି, ଯାହା ଦେହରେ ଜଳ ଯୋଗାଣକୁ ବଜାୟ ରଖିବା ଏବଂ ପରିବେଶର ତାପମାତ୍ରା ବୃଦ୍ଧିର ସହିତ ଶରୀରର ଆଭ୍ୟନ୍ତରୀଣ ତାପମ।।ତ୍ରା ନିୟନ୍ତ୍ରଣ କରିବା କ୍ଷମତାକୁ ପ୍ରଭାବିତ କରିଥାଏ। ଉଦାହରଣ ସ୍ୱରୂପ ରକ୍ତବାହୀ ନଳୀକୁ ସଂକୁଚିତ କରିଦେଉଥିବା ଔଷଧ, ରକ୍ତଚାପ ନିୟନ୍ତ୍ରଣକାରୀ ବିଟା ବ୍ଲକର ଔଷଧ, ଶରୀରରୁ ସୋଡିୟମ-ପୋଟାସିୟମ ନିଷ୍କାସନ କରିଦେଉଥିବା ଡାଇୟୁରେଟିକ୍ସ, ମାନସିକ ରୋଗ ଚିକିତ୍ସାରେ ବ୍ୟବହୃତ ଔଷଧ ଇତ୍ୟାଦିର ଉଲ୍ଲେଖ କରାଯାଇପାରେ। ଏହି ଧରଣର ଔଷଧ ଚିକିତ୍ସାରେ ଥିବା ରୋଗୀ ହିଟ୍ ଷ୍ଟ୍ରୋକ୍କୁ ନେଇ ବେଶୀ ସତର୍କ ରହିବା ଦରକାର। ଅତିରିକ୍ତ ମଦ୍ୟପାନ ଶରୀରର ତାପମାତ୍ରା ନିୟନ୍ତ୍ରଣ ସାମର୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକେଇଥାଏ। ଏହାଛଡ଼ା ସ୍ଥୂଳକାୟ ବ୍ୟକ୍ତି, ଅଳସ ଜୀବନ ଯାପନରେ ଅଭ୍ୟସ୍ତ ବ୍ୟକ୍ତି ହଠାତ କରି ଶାରୀରିକ ଶ୍ରମର କାର୍ଯ୍ୟ କଲେ ହିଟ୍ଷ୍ଟ୍ରୋକ୍ ହେବାର ଆଶଙ୍କା ବେଶୀ ଥାଏ। କୌଣସି ବ୍ୟକ୍ତି ପୂର୍ବରୁ ହିଟ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହୋଇଥିଲେ ପୁନର୍ବାର ଆକ୍ରାନ୍ତ ହୋଇପଡ଼ିବାର ଭୟ ବେଶୀ।
ହସ୍ପିଟାଲଗୁଡ଼ିକରେ ଗ୍ରୀଷ୍ମ ଋତୁରେ ହିଟ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଥାଏ। ସେଠାରେ ରୋଗୀର ଶରୀରକୁ ଥଣ୍ଡା କରିବାର ବ୍ୟବସ୍ଥା ଥାଏ ଏବଂ ସାଲାଇନ୍ ଦେଇ ରୋଗୀକୁ ସୁସ୍ଥ କରାଯାଏ। ତେବେ ସଠିକ୍ ସମୟରେ ଏବଂ ଦ୍ରୁତ ସଠିକ ଚିକିତ୍ସା କରିପାରିଲେ ଏହାର ଅନୁକୂଳ ପ୍ରଭାବ ସୁଦୂରପ୍ରସାରୀ। ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ହିଟ୍ ଷ୍ଟ୍ରୋକ୍ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। କିନ୍ତୁ ଏହାକୁ ଅୟତ୍ତରେ ଆଣିବାରେ ବିଶେଷ ସମସ୍ୟା ନାହିଁ। ତେବେ ଏଥିପାଇଁ ତୁରନ୍ତ ଚିକିତ୍ସା ଲୋଡ଼ା। ତେଣୁ ରାସ୍ତାଘାଟରେ କୌଣସି ବ୍ୟକ୍ତି ହିଟ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହୋଇପଡ଼ିଲେ ପ୍ରାଥମିକ ଉପଚାର କରିବା ସଂଗେ ସଂଗେ କାଳବିଳମ୍ବ ନ କରି ତା’କୁ ହସ୍ପିଟାଲକୁ ନେଇଯିବା ନିରାପଦ।
ପ୍ରଥମ କଥା ହେଲା ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଯାଆନ୍ତୁ ନାହିଁ। ଖରାରେ ଯିବାକୁ ପଡ଼ିଲେ ଛତା ବ୍ୟବହାର କରନ୍ତୁ। ମୁଣ୍ଡରେ ଟୋପି ଓ ଆଖିରେ କଳା ଚଷମା ପିନ୍ଧନ୍ତୁ। ହାଲୁକା ସୂତାଜାମା ପିନ୍ଧନ୍ତୁ, ଯାହାଫଳରେ ଦେହରୁ ଝାଳ ବାହାରିଲେ ତାହା ସହଜରେ ଶୁଖି ଯାଇପାରିବ। ଏହାଛଡ଼ା ଦେହରେ ବି ଯଥେଷ୍ଟ ପବନ ବାଜିବ। ପ୍ରଚୁର ପରିମାଣରେ ଜଳ ପିଅନ୍ତୁ। ଜଳରେ ଓଆର୍ଏସ୍ ମିଶେଇ ଅଳ୍ପ ଅଳ୍ପ କରି ପିଇପାରନ୍ତି। ପଇଡ଼ ପାଣି ଅଧିକ ଭଲ। ଯଥା ସମ୍ଭବ ଶୀତଳ ଛାଇ ଜାଗାରେ ରହିବା ପାଇଁ ଚେଷ୍ଟା କରନ୍ତୁ। ଗାଡ଼ି ଭିତରେ ତାପମାତ୍ରା ବାହାରର ତାପମାତ୍ରା ତୁଳନାରେ ଅନେକ ବେଶୀ ହୋଇଥିବାରୁ ଗାଡ଼ି ଭିତରେ ଥିବା ବ୍ୟକ୍ତି ହିଟ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହୋଇପାରେ। ଜୋର୍ କରି ଅଧିକ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ମଝିରେ ମଝିରେ ବିଶ୍ରାମ ନିଅନ୍ତୁ। ଘର ଭିତରେ ଉପଯୁକ୍ତ ବାୟୁ ପ୍ରବାହର ବ୍ୟବସ୍ଥା କରନ୍ତୁ। ଏୟାରକୁଲର ନଥିଲେ କବାଟ ଝରକାରେ ବେଣାଚେର ବା ଖସଖସର ମଶିଣା ଝୁଲେଇ ତାକୁ ଥଣ୍ଡା ଜଳରେ ଭିଜେଇ ରଖନ୍ତୁ। ଦିନରେ ଦୁଇଥର ଥଣ୍ଡା ପାଣିରେ ଗାଧୋଇବାକୁ ଚେଷ୍ଟା କରନ୍ତୁ।
ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ
କଟକ, ମୋ: ୯୪୩୭୭୬୬୧୧୭