ଅଡୁଆରେ ଶିବପାଲ ଯାଦବ, ମାମଲା ରୁଜୁ

ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅଡୁଆରେ ଶିବପାଲ ଯାଦବ, ମାମଲା ରୁଜୁ

ମହଙ୍ଗା ପଡିଲା ଅଭଦ୍ର ଟିପ୍ପଣୀ କରିବା। ଆଇନ ଜାଲରେ ଛନ୍ଦି ହେଲେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସମ୍ପାଦକ ଶିବପାଲ ଯାଦବ। ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ନିକଟରେ ତହରିଲରେ ଏକ ଜନସଭାକୁ ସମ୍ବୋଧିତ କରି ଶିବପାଲ ଯାଦବ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିଲେ। ଏହାକୁ ନେଇ ବଦାୟୁଁ ବିଏସ୍‌ପି ଜିଲ୍ଲାଧ୍ୟକ୍ଷ ରାମ ପ୍ରକାଶ ତ୍ୟାଗୀ ବିରୋଧ କରି ଶିବପାଲଙ୍କ ବିରୋଧରେ ଥାନାକୁ ଯାଇଛନ୍ତି।

ମେ' ୩ ତାରିଖରେ ଜନସଭାକୁ ସମ୍ବୋଧିତ କରିବା ବେଳେ ଶିବପାଲ ମାୟାବତୀଙ୍କ ବିରୋଧରେ ଅମର୍ଯ୍ୟାଦାପୂର୍ଣ୍ଣ ଓ ଅଶୋଭନୀୟ ଭାଷା ପ୍ରୟୋଗ କରିଥିବା ସେ ଅଭିଯୋଗ କରିଛନ୍ତି। ୪ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ରହି ସାରିଥିବା ମାୟାବତୀଙ୍କ ବିରୋଧରେ ଏଭଳି ଅଶୋଭନୀୟ ଭାଷା ପ୍ରୟୋଗକୁ ନେଇ ବିଏସ୍‌ପି କର୍ମୀ ରାଗି ଯାଇଥିବା ସେ କହିଛନ୍ତି।

ସେ ପୁଲିସରେ ଶିବପାଲଙ୍କ ଏହି ଅଭଦ୍ର ଟିପ୍ପଣୀ ବେଳର ଭିଡିଓକୁ ମଧ୍ୟ ଦାଖଲ କରିଛନ୍ତି। ଭିଡିଓକୁ ଯାଞ୍ଚ କରିବା ପରେ ସିଭିଲ୍ ଲାଇନ୍ସ ପୁଲିସ ଶିବପାଲଙ୍କ ବିରୋଧରେ ଧାରା ୫୦୪(ଜାଣିଶୁଣି ଅପମାନିତ କରିବା) ଓ ୫୦୫(ହିଂସାତ୍ମକ ଭାଷା ପ୍ରୟୋଗ କରିବା) ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ସୂଚନା ଦେଇଛି।

ସମାଜବାଦୀ ପାର୍ଟି ତରଫରୁ ଶିବପାଲ ଯାଦବଙ୍କ ପୁଅ ଏଥର ବଦାୟୁଁ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ଏହି ଆସନରୁ ସମାଜବାଦୀ ପାର୍ଟି ଦୁଇ ଥର ନିଜ ପ୍ରାର୍ଥୀ ବଦଳାଇ ସାରିଛି। ସପା ପକ୍ଷରୁ ପ୍ରଥମେ ଏହି ଆସନରେ ଧର୍ମେନ୍ଦ୍ର ଯାଦବଙ୍କୁ ଟିକେଟ୍‌ ମିଳଥିଲା। ପରେ ତାଙ୍କ ଟିକେଟ୍‌ କାଟି ଦଳ ଶିବପାଲଙ୍କୁ ପାର୍ଥୀ କରିଥିଲା। କିନ୍ତୁ ପରେ ଶିବପାଲଙ୍କ ବଦଳରେ ଦଳ ତାଙ୍କ ପୁଅ ଆଦିତ୍ୟ ଯାଦବଙ୍କୁ ଏଠାରୁ ଟିକେଟ୍‌ ଦେଇଥିଲା।