ଅନାସ୍ଥା ପ୍ରହେଳିକା

ଭାରତୀୟ ବିଧାନପାଳିକା ଓ ନ୍ୟାୟପାଳିକା ଇତିହାସରେ ୨୦୨୪ ଡିସେମ୍ବର ଦ୍ୱିତୀୟ ସପ୍ତାହ ଏକ ଅବାଞ୍ଛିତ ଅଧ୍ୟାୟ ଲେଖିସାରିଛି। ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ଆହ୍ଲାବାଦ୍‌‌ ଉଚ୍ଚ ନ୍ୟାୟାଳୟର ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ମଧ୍ୟ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାରବିମର୍ଶ ଜାରି ରହିଛି। ଉଭୟ ସଦନରେ ବିରୋଧୀ ଦଳର ସ୍ଥିତି, ସାମ୍ବିଧାନିକ ବିଧିବ୍ୟବସ୍ଥା ଦୃଷ୍ଟିରୁ ବିରୋଧୀ ଦଳର ଏହି ଦୁଇଟି ଯାକ […]

ଅନାସ୍ଥା ପ୍ରହେଳିକା
sakala editorial

ଭାରତୀୟ ବିଧାନପାଳିକା ଓ ନ୍ୟାୟପାଳିକା ଇତିହାସରେ ୨୦୨୪ ଡିସେମ୍ବର ଦ୍ୱିତୀୟ ସପ୍ତାହ ଏକ ଅବାଞ୍ଛିତ ଅଧ୍ୟାୟ ଲେଖିସାରିଛି। ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ଆହ୍ଲାବାଦ୍‌‌ ଉଚ୍ଚ ନ୍ୟାୟାଳୟର ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ମଧ୍ୟ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାରବିମର୍ଶ ଜାରି ରହିଛି। ଉଭୟ ସଦନରେ ବିରୋଧୀ ଦଳର ସ୍ଥିତି, ସାମ୍ବିଧାନିକ ବିଧିବ୍ୟବସ୍ଥା ଦୃଷ୍ଟିରୁ ବିରୋଧୀ ଦଳର ଏହି ଦୁଇଟି ଯାକ ଉଦ୍ୟମ କେବଳ ଏକ ପ୍ରହେଳିକା ସୃଷ୍ଟି କରିବାର ସମ୍ଭାବନା ଅଧିକ। ତଥାପି ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର ଓ ସର୍ବବୃହତ୍‌‌ ଜନବହୁଳ ଦେଶ ଭାରତର ମର୍ଯ୍ୟାଦା ଓ ଗରିମା ପ୍ରତି ଏହା ଆଞ୍ଚ ଆଣିଛି ନିଶ୍ଚୟ।

ସଂସଦର ଉଭୟ ଗୃହର ଅଧ୍ୟକ୍ଷ ସବୁବେଳେ ନିରପେକ୍ଷ ରହିବା ବିଧେୟ। କିନ୍ତୁ ଧନଖଡ଼ କ୍ରମାଗତ ଭାବେ ଶାସକ ପକ୍ଷକୁ ସୁହାଇବା ଭଳି ଆଚରଣ ପ୍ରଦର୍ଶନ ବା ପକ୍ଷପାତିତା କରୁଥିବାର ଅଭିଯୋଗ ଇଣ୍ଡିଆ ମେଣ୍ଟ କରି ଆସୁଛି। ଗୃହରେ ଧନଖଡ଼ଙ୍କ ସହିତ ବିରୋଧୀ ଦଳର ସଦସ୍ୟମାନଙ୍କର ଅନେକ ସମୟରେ ବାକ୍‌‌ବିତଣ୍ଡା ହୋଇ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଧନଖଡ଼ଙ୍କ ପକ୍ଷପାତିତା ଯୋଗୁଁଁ ଗୃହରେ ମତାଧିକାର ସାବ୍ୟସ୍ତରୁ ବଞ୍ଚିତ ହେଉଥିବା ଅଭିଯୋଗ ଆଣି ଇଣ୍ଡିଆ ମେଣ୍ଟ ଶେଷରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି। କିନ୍ତୁ ସାମ୍ବିଧାନିକ ଓ ସଂସଦୀୟ ବିଧିବ୍ୟବସ୍ଥା ଆଧାରରେ ଏହି ପ୍ରସ୍ତାବ ଗ୍ରହଣ ହେବାର ସମ୍ଭାବନା ବହୁତ୍‌‌ କମ୍‌‌। ଏ କଥା ଯେ ଇଣ୍ଡିଆ ମେଣ୍ଟର ସୁଧୀସଦସ୍ୟମାନେ ଜାଣି ନଥିବେ ତା’ନୁହେଁ। ଅନାସ୍ଥା ପ୍ରସ୍ତାବ ଜରିଆରେ ସେମାନେ ନିଜର ଅସନ୍ତୋଷକୁ ପ୍ରତୀକାତ୍ମକ ଓ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବାର ସୁଯୋଗକୁ ହାତଛଡ଼ା କରିନାହାନ୍ତି।

ସମ୍ବିଧାନର ଧାରା ୬୪ ଅନୁଯାୟୀ ଭାରତର ଉପରାଷ୍ଟ୍ରପତି ହିଁ ରାଜ୍ୟସଭାର ଅଧ୍ୟକ୍ଷ ରୂପେ ସ୍ୱତଃସ୍ୱୀକୃତ ଓ ବିଧିନିର୍ଦ୍ଦିଷ୍ଟ। ଉପରାଷ୍ଟ୍ରପତି ପଦରେ ଥିବା ପର୍ଯ୍ୟନ୍ତ ସେ ହିଁ ରାଜ୍ୟସଭାର ଅଧ୍ୟକ୍ଷ ରୂପେ କାର୍ଯ୍ୟନିର୍ବାହ ରହିବେ। ତେଣୁ ରାଜ୍ୟସଭାର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସହିତ ସମାନ। ସମ୍ବିଧାନର ଧାରା ୬୭(ଖ) ଅନୁଯାୟୀ ରାଜ୍ୟସଭାର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିବା ବା ତାଙ୍କୁ ସେହି ପଦରୁ ବରଖାସ୍ତ କରିବା ପାଇଁ ରାଜ୍ୟସଭାରେ ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ହିଁ ବହୁମତ ଆବଶ୍ୟକ। ଏଥିସହିତ ଏହି ପ୍ରସ୍ତାବ ଲୋକସଭାରେ ଦୁଇ-ତୃତୀୟାଂଶ ସାଂସଦଙ୍କ ଉପସ୍ଥିତିରେ ବହୁମତରେ ପାରିତ ହେବାକୁ ବାଧ୍ୟ। ସେହିପରି ସମ୍ବିଧାନର ଧାରା ୬୭ ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଉପାଧ୍ୟକ୍ଷ ଗ୍ରହଣ କଲେ ଯାଇ ଏହା ଗୃହରେ ଆଲୋଚନା ହେବ। ଏଥିପାଇଁ ୧୪ ଦିନ ପୂର୍ବରୁ ଲିଖିତ ଭାବେ ଜଣାଇବା ଆବଶ୍ୟକ। ସଂସଦର ଚଳିତ ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରେ ସରିବାକୁ ଯାଉଥିବାରୁ ୧୪ ଦିନିଆ ନୋଟିସ୍‌‌ ଦେବାର ସୁଯୋଗ ଇଣ୍ଡିଆ ମେଣ୍ଟ ପାଖରେ ଆପାତତଃ ନାହିଁ। ସମାନ କାରଣରୁ ୨୦୨୦ରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡ଼ୁ ଅଗ୍ରାହ୍ୟ କରିଦେଇଥିଲେ।

ବିଶ୍ୱ ହିନ୍ଦୁ ପରିଷଦର ଏକ ସଭାରେ ବିବାଦୀୟ ମନ୍ତବ୍ୟ ରଖିଥିବା ଅଭିଯୋଗରେ ଆହ୍ଲାବାଦ୍‌‌ ଉଚ୍ଚ ନ୍ୟାୟାଳୟର ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟସଭାରେ ବିରୋଧୀ ଦଳ ପକ୍ଷରୁ ଆଉ ଏକ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା ହେଉଛି। ଏ ପର୍ଯ୍ୟନ୍ତ ୩୬ଜଣ ସାଂସଦ ଏଥିରେ ସ୍ୱାକ୍ଷର କରିସାରିଥିବା ବେଳେ ଆଉ ଅଧିକ ସମର୍ଥନ ହାସଲ ସହିତ ୧୨ ତାରିଖରେ ଗୃହରେ ଉପସ୍ଥାପନ କରାଯିବା ବୋଲି ସୂଚନା ମିଳିଛି। ବିଚାରପତି(ତଦନ୍ତ) ଆଇନ ୧୯୬୮ ଧାରା ୩(୧)(ଖ) ଏବଂ ସମ୍ବିଧାନର ଧାରା ୧୨୪(୪) ଓ ୧୨୪(୫) ଆଧାରରେ ଏହି ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ବିଚାରପତି(ତଦନ୍ତ) ଆଇନ ୧୯୬୮ ଅନୁଯାୟୀ ଅନ୍ୟୂନ ଲୋକସଭାରେ ୧୦୦ ସାଂସଦ କିମ୍ବା ରାଜ୍ୟସଭାରେ ୫୦ ସାଂସଦଙ୍କ ହସ୍ତାକ୍ଷରରେ ଏଭଳି ପ୍ରସ୍ତାବ ଆଗତ ହୋଇପାରିବ। ଏହି ପ୍ରସ୍ତାବ ଗୃହୀତ ହେବ କି ନାହିଁ ତାହା ରାଜ୍ୟସଭାର ଅଧ୍ୟକ୍ଷ କିମ୍ବା ଲୋକସଭାର ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଯଦି ଏହା ଗୃହୀତ ହୁଏ ତେବେ ମହାଭିଯୋଗର ଯଥାର୍ଥତା ବା ପ୍ରାସଙ୍ଗିକତା ବିଷୟରେ ବିଚାର କରିବା ପାଇଁ ପ୍ରଥମେ ଏକ ତିନିଜଣିଆ କମିଟି ଗଠନ ହେବ, ଯେଉଁଥିରେ ଉଚ୍ଚତମ ନ୍ୟାୟାଳୟର ଜଣେ ବିଚାରପତି, ଉଚ୍ଚ ନ୍ୟାୟାଳୟର ଜଣେ ମୁଖ୍ୟ ବିଚାରପତି ଓ ଜଣେ ଆଇନଜୀବୀ ରହିବେ। ଯଦି ମହାଭିଯୋଗ ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ବିରୋଧରେ ଆସେ ତେବେ କମିଟିରେ ସର୍ବୋଚ୍ଚ ନ୍ୟାୟାଳୟର ଦୁଇଜଣ ବିଚାରପତି ରହିବେ। ସମ୍ବିଧାନର ଧାରା ୧୨୪(୪) ଅନୁଯାୟୀ ଏହି ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବା ପାଇଁ ଯେଉଁ ଗୃହ ଉକ୍ତ ପ୍ରସ୍ତାବ ଆଣିଥିବ ତାହାର ସମ୍ପୂର୍ଣ୍ଣ ସଦସ୍ୟସଂଖ୍ୟାର ଅଧାରୁ ଅଧିକ ଏବଂ ଅନ୍ୟଗୃହର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ବହୁମତ ଆବଶ୍ୟକ। ଏହାପରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ପୃକ୍ତ ବିଚାରପତିଙ୍କୁ ସେବାନିବୃତ ଲିଖିତ ନିର୍ଦ୍ଦେଶନାମା ଜାରି କରାଯିବ। ଉଭୟ ଗୃହରେ ବିରୋଧୀ ଦଳର ସଂଖ୍ୟାଗରିଷ୍ଠତା ନଥିବାରୁ ଏହି ପ୍ରସ୍ତାବ ମଧ୍ୟ ତ୍ୱରାନ୍ୱିତ ହେବାର ସମ୍ଭାବନା ବହୁତ୍‌‌ କମ୍‌‌।

ସ୍ୱାଧୀନ ଭାରତର ଲୋକସଭା ଇତିହାସରେ ୧୯୫୧ରେ ବାଚସ୍ପତି ଜି ଭି ମାଭାଲାଙ୍କର, ୧୯୬୬ରେ ସର୍ଦ୍ଦାର ହୁକାମ ସିଂହ ଓ ୧୯୮୭ରେ ବଳରାମ ଝାକରଙ୍କ ବିରୋଧରେ ଏଭଳି ପ୍ରସ୍ତାବ ଆସିଥିଲେ ମଧ୍ୟ ତାହା ବହୁମତରେ ଖାରଜ ହୋଇଯାଇଥିଲା। କିନ୍ତୁ ଉପରାଷ୍ଟ୍ରପତି ବା ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସ୍ୱାଧୀନୋତ୍ତର ଭାରତର ଗଣତାନ୍ତ୍ରିକ ଇତିହାସରେ ପ୍ରଥମ। ସେହିପରି ୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟର ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସମେତ ଅତୀତରେ ଦୁଇଜଣ ଉଚ୍ଚତମ ନ୍ୟାୟାଳୟର ବିଚାରପତି ଓ ଚାରିଜଣ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ବିରୋଧରେ ଏଭଳି ମହାଭିଯୋଗ ପ୍ରସ୍ତାବ ଆସିଥିଲେ ମଧ୍ୟ ସବୁ କାଟ୍‌‌ ଖାଇଯାଇଥିଲା। ଚଳିତ ଥର ମଧ୍ୟ ପ୍ରାୟତଃ ସେହି ଫଳଶ୍ରୁତିର ପୁନରାବୃତ୍ତି ଘଟିବ ବୋଲି ପୂର୍ବାନୁମାନ କରାଯାଉଛି। ବିରୋଧ ଓ ମତାଧିକାର ସାବ୍ୟସ୍ତ କରିବା ପାଇଁ ଅନାସ୍ଥା ପ୍ରସ୍ତାବ ସ୍ୱାଗତଯୋଗ୍ୟ, କିନ୍ତୁ ଏହା ମୂଳାଧାର ବିହୀନ ଓ ଅଯାଥାର୍ଥ ଘଟଣା ବାରମ୍ବାର ଘଟିଲେ ଭାରତୀୟ ଗଣତନ୍ତ୍ରର ଗରିମାକୁ କ୍ଷୁଣ୍ଣ କରିବାର ଆଶଙ୍କା ସୃଷ୍ଟି କରିବ।