ଅବହେଳା ଓ ଭ୍ରାନ୍ତି
ଏବେ ଏଇ ମାର୍ଚ୍ଚ ମାସର କ୍ୟାଲେଣ୍ଡରଟି ଓଲଟି ଏପ୍ରିଲ ହେବା ଭିତରେ ଆମେ ଦୁଇ ଦୁଇଟି ବଡ଼ ଐତିହାସିକ ଦିବସ ପାଳନ କରିବା। ସେଇ ସ୍ମୃତିରେ କେତେଥର ଶଙ୍ଖ ଫୁଙ୍କା ହୋଇଯିବ ଓ ତା'ପରେ ଆଉ ବର୍ଷଟିଏ ବିତିଯିବ ଗଭୀର ସୁସୁପ୍ତି ଭିତରେ, ପୁଣି ଆସନ୍ତା ବର୍ଷ କେଇ ଘଡ଼ି ଚେଇଁ ଆଉଥରେ ଶଙ୍ଖ ଫୁଙ୍କିବା ପର୍ଯ୍ୟନ୍ତ।
ଶ୍ରୀନିବାସ ମାନସିଂହ
ଊନ୍ନବିଂଶ ଶତାବ୍ଦୀରେ ପ୍ରକାଶିତ ଜେନ୍ ଅଷ୍ଟିନଙ୍କ ଉପନ୍ୟାସ ‘ଅହମିକା ଓ ଭ୍ରାନ୍ତି’ ସହିତ ଏହାର କିଛି ସମ୍ବନ୍ଧ ନାହିଁ। ତେବେ ଏତିକି କହିବି, ଅହମିକାଠାରୁ ଅବହେଳା ଅନେକ ସମୟରେ ଅଧିକ ଘାତକ ସିଦ୍ଧ ହୋଇଥାଏ। ଉପେକ୍ଷା ଓ ଅବହେଳାର ଶିକାର ହେଲେ ଯେମିତି ନିଷ୍ପାପ ଦେବଶିଶୁଟିଏ ବି ଅନ୍ଧଗଳିରେ ବାଟବଣା ହୋଇଯାଏ; ଆଉ ଯେଉଁଭଳି କାମ୍ବୋଡ଼ିଆର ସହସ୍ର ବର୍ଷର ଐତିହ୍ୟ, ଐଶ୍ୱର୍ଯ୍ୟ ଅରଣ୍ୟ ତଳେ ହଜିଯାଇ ଆଜିର ଆଙ୍କୋର ୱଟ୍ ପାଲଟିଯାଏ, ଠିକ୍ ସେଇଭଳି ବର୍ତ୍ତମାନର ଗୋଟାଏ ଅଧେ ବିଷୟକୁ ନେଇ ଏ ଚର୍ଚ୍ଚା।
ଏବେ ଏଇ ମାର୍ଚ୍ଚ ମାସର କ୍ୟାଲେଣ୍ଡରଟି ଓଲଟି ଏପ୍ରିଲ ହେବା ଭିତରେ ଆମେ ଦୁଇ ଦୁଇଟି ବଡ଼ ଐତିହାସିକ ଦିବସ ପାଳନ କରିବା। ସେଇ ସ୍ମୃତିରେ କେତେଥର ଶଙ୍ଖ ଫୁଙ୍କା ହୋଇଯିବ ଓ ତା'ପରେ ଆଉ ବର୍ଷଟିଏ ବିତିଯିବ ଗଭୀର ସୁସୁପ୍ତି ଭିତରେ, ପୁଣି ଆସନ୍ତା ବର୍ଷ କେଇ ଘଡ଼ି ଚେଇଁ ଆଉଥରେ ଶଙ୍ଖ ଫୁଙ୍କିବା ପର୍ଯ୍ୟନ୍ତ।
୧. ପ୍ରଥମଟି ହେଲା ଚୈତ୍ର ଶୁକ୍ଳ ପ୍ରତିପଦା, ‘ବର୍ଷ ପ୍ରତିପଦା’ ବା ‘ହିନ୍ଦୁ ନବବର୍ଷ’, ଯାହା ଏ ବର୍ଷ ମାର୍ଚ୍ଚ ୩୦ ତାରିଖରେ ପଡୁଛି।
ଆମ ତିଥିମାନଙ୍କର ବୈଶିଷ୍ଟ୍ୟ ଯଦି ଆମେ ବିଚାରକୁ ନେଉଥାଉ ତାହେଲେ, ଏଇ ତିଥିଟି ସମସ୍ତ ତିଥି ମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଶାସ୍ତ୍ର ଅନୁସାରେ, ବ୍ରହ୍ମାଙ୍କ ସୃଷ୍ଟି ରଚନାର ଏହା ହିଁ ହେଉଛି ପ୍ରାରମ୍ଭ ଦିବସ। କାଳ ଗଣନା ଏହି ଦିନରୁ ଆରମ୍ଭ ହୋଇଛି। ଏହି ତିଥିର ମହତ୍ୱ କାଳେ କାଳେ ଜାଜ୍ଜ୍ୱଲ୍ୟମାନ ରହିଆସିଛି। ସେଇଥିପାଇଁ ତ୍ରେତୟା ଯୁଗରେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଦ୍ୱାପର ଯୁଗରେ ଧର୍ମରାଜ ଯୁଧିଷ୍ଠିର ନିଜ ନିଜର ସିଂହାସନ ଆରୋହଣ ପାଇଁ ଏହି ତିଥିକୁ ହିଁ ବାଛିଥିଲେ। କେବଳ ସେତିକି ନୁହେଁ, ସମ୍ରାଟ ବିକ୍ରମାଦିତ୍ୟ ମଧ୍ୟ ନିଜର ରାଜ୍ୟାଭିଷେକ ଏହି ତିଥିରେ ସଂପନ୍ନ କରି ବିକ୍ରମାବ୍ଦର ପ୍ରଚଳନ କରିଥିଲେ। ନିକଟ ଅତୀତରେ ବେଦ ଉଦ୍ଧାରକ ମହର୍ଷି ଦୟାନନ୍ଦ ସରସ୍ୱତୀ ‘ଆର୍ଯ୍ୟ ସମାଜ’ର ପ୍ରତିଷ୍ଠା ପାଇଁ ମଧ୍ୟ ଏହି ତିଥିଟିକୁ ବରଣ କରିଥିଲେ।
ସେଇଥି ପାଇଁ ଏବର୍ଷ ମାର୍ଚ୍ଚ ୩୦ ଡେଇଁ ୩୧ ହେବା ମାତ୍ରେ କ୍ୟାଲେଣ୍ଡରରେ କଲ୍ୟାତୀତାବ୍ଦ ବା ଯୁଗାବ୍ଦ ୫୧୨୫ରୁ ୫୧୨୬ ହୋଇଯିବ ଓ ସମ୍ବତ୍ ବା ବିକ୍ରମ ସମ୍ବତ ହେବ ୨୦୮୧ରୁ ୨୦୮୨। ହଜାର ହଜାର ବର୍ଷ ଧରି ଏହି କାଳ ଗଣନା ଆମ ଦେଶରେ ଚଳି ଆସିଛି ଓ ଏହା ଆମର ନିଜସ୍ୱ। ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନତାକୁ ଅପଣେଇବାରେ ଆପତ୍ତି ନାହିଁ, କିନ୍ତୁ ଆତ୍ମପରିଚୟକୁ ଜଳାଞ୍ଜଳି ଦେଇକରି କେବେ ନୁହେଁ। ପଡ଼ୋଶୀଘର ମାଉସୀଙ୍କୁ ସମ୍ମାନ କରିବା ବହୁତ ଭଲ, ସେଥିପାଇଁ ସାଧୁବାଦ। ହେଲେ, ଭ୍ରାନ୍ତିର ବଶବର୍ତ୍ତୀ ହୋଇ ପ୍ରତିବଦଳରେ ନିଜର ମାଆଙ୍କୁ ଚିରାକନା ପିନ୍ଧେଇ ଦାଣ୍ଡରେ ବସେଇଦେଲେ, କେବଳ ଧିକ୍କାର ହିଁ ପ୍ରାପ୍ୟ ହେବ।
୨. ଠିକ୍ ସେମିତି ଏପ୍ରିଲ ୧ ତାରିଖ ଦିନ ପାଳନ ହେବ ଉତ୍କଳ ଦିବସ (୦୧.୦୪.୧୯୩୬)। ଓଡ଼ିଶା ପାଇଁ ୧୫୬୦ରୁ ୧୯୩୬ ମସିହାର କାଳଖଣ୍ଡଟି ଇତିହାସର ଏକ ଅଭିଶପ୍ତ ଅଧ୍ୟାୟ। ଷୋଡ଼ଶ ଶତାବ୍ଦୀର ପୂର୍ବବର୍ତ୍ତୀ ହଜାର ହଜାର ବର୍ଷର ଇତିହାସରେ କିନ୍ତୁ ଏ ଭୂଖଣ୍ଡ ନିରବଛିନ୍ନ ଭାବରେ ନିଜର ଗୌରବ ଅକ୍ଷୁର୍ଣ୍ଣ ରଖିଥିଲା। ଏପରିକି କଳିଙ୍ଗ ଯୁଦ୍ଧରେ ମଧ୍ୟ ସମ୍ରାଟ ଅଶୋକ ଏହାର ଶକ୍ତିକୁ ସମ୍ପୂର୍ଣ୍ଣଭାବେ ପଦାନତ କରିପାରି ନଥିଲେ।
ଆଜି ବିନମ୍ରତାର ସହିତ ଏକ ଛୋଟିଆ ପ୍ରଶ୍ନ : ଉତ୍କଳ ଦିବସ ତ ଆମେ ପାଳନ କରୁଛେ ଓ କରିବା, କିନ୍ତୁ ଜଣେ ଓଡ଼ିଆ ଭାବରେ ଆମେ କେତେ ଗର୍ବିତ ଓ କେତେ ଦାୟିତ୍ୱଶୀଳ?
ବେଶି ନୁହେଁ, ଆଉ ମାତ୍ର ତିରିଶ ବର୍ଷ ପରେ ଓଡ଼ିଆ ଭାଷାର ସ୍ଥିତି ଓ ସ୍ୱରୂପ କେମିତି ହେବ ତାହା କେବଳ ଏଇ ଗୋଟିଏ ଦୁଇଟି କଥାରୁ ଜଣାପଡିଯିବ : ଆମର ପରବର୍ତ୍ତୀ ପ୍ରଥମ ପିଢ଼ିରେ କେତେଜଣ ଓଡ଼ିଆରେ ଲେଖିପଢି ପାରନ୍ତି? ଆଉ ଦ୍ୱିତୀୟ ପିଢ଼ିଟି ବିଷୟ ନକହିଲେ ଭଲ।
ଷାଠିଏ ବୟସ ଛୁଇଁଥିବା, ସମସାମୟିକ ଆମେ ସମସ୍ତେ ଓଡ଼ିଆ ଲେଖି ପଢ଼ି ପାରୁଥିଲେ ମଧ୍ୟ ଏହାର ବ୍ୟବହାରରେ ଆଜି ଆମର ଆନ୍ତରିକତା କେତେ? ଏବେ ଆମେ ବ୍ୟବହାର କରୁ କି ଆମର ମାତୃଭାଷାକୁ ପଦେ କିଛି ଲେଖିଲା ବେଳକୁ, କାଗଜରେ ହେଉ ବା ମୋବାଇଲ୍ ରେ? ଆଉ ତିରିଶ ବର୍ଷ ପରେ ପିଲାମାନଙ୍କର ଆନ୍ତରିକତା ଯେଉଁ ସ୍ତରରେ ପହଞ୍ଚିଥିବ ସେଇଥିରୁ ହିଁ ଆମ ମାତୃଭାଷାର ଭବିଷ୍ୟତ ଜଳଜଳ ଦିଶୁଛି!
ଏବର ବଡ଼ବଡ଼ ଲୋକମାନେ, ବିଲାତି ନୁହଁନ୍ତି ,ଦେଶୀ ଓଡ଼ିଆ ସାହେବ ସାହେବାଣୀମାନେ, ତାଙ୍କ ଘରର କୁକୁର ସହିତ ବାଟ ଘାଟରେ ବି ଇଂରାଜୀରେ କଥାବାର୍ତ୍ତା କରନ୍ତି : ହା..ଇ.. ଟାଇଗର୍ , କମ୍ ହିଅର! ଗୁଡ଼୍ ବୟ! ସିଟ୍ ଡାଉନ୍ ....! ତେଣୁ, ସେମାନେ ପିଲାମାନଙ୍କ ସହିତ ଘରେ ଓଡ଼ିଆରେ କଥାବାର୍ତ୍ତା କରିବା ପ୍ରଶ୍ନ ଉଠାଇବା ନାହିଁ।
ଏବେକାର ପିଲାମାନଙ୍କ ଭିତରୁ ତପସ୍ୱିନୀ, ଚିଲିକା, ନୀଳଶୈଳ, ଛଅ ମାଣ ଆଠଗୁଣ୍ଠ କେତେଜଣ ପଢିଥିବେ ପଚାରିବି ନାହିଁ, କେବଳ ପଚାରିବି, ସେମାନଙ୍କ ଭିତରୁ କେତେଜଣ ଗୋଟିଏ ଲେଖାଏଁ ଧାଡ଼ି ମାତ୍ର କହି ପାରିବେ ସାରଳା ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ, ଗଙ୍ଗାଧର ମେହେର କି ଗୋଦାବରୀଶ ମହାପାତ୍ରଙ୍କ ଉପରେ!
ଆମ ପିଲାମାନେ କେବେ ବି ଥରେ ସଂଯୁକ୍ତା ପାଣିଗ୍ରାହୀ, ସୁନନ୍ଦା ପଟ୍ଟନାୟକ, ବାଳକୃଷ୍ଣ ଦାଶ, ରଘୁନାଥ ପାଣିଗ୍ରାହୀ, ଗୁରୁ କେଳୁଚରଣଙ୍କ ବିଷୟରେ ଶୁଣିବାର ଅବସର ପାଉଛନ୍ତି କି?
ଆମେ କେବେ ସୁଯୋଗ ଦେଇଛେ ଆମର ପିଲାଙ୍କୁ, ଗଜପତି କୃଷ୍ଣଚନ୍ଦ୍ର ଦେବ, ବୀର ସୁରେନ୍ଦ୍ର ସାଏ, ମଧୁ ବାବୁ, ଉତ୍କଳମଣି କିମ୍ବା ପଠାଣି ସାମନ୍ତଙ୍କ ବିଷୟରେ ଜାଣିବା ପାଇଁ? ମାତ୍ର ଅଳ୍ପକିଛି ମହାପୁରୁଷଙ୍କ ନାମ ଉଲ୍ଲେଖ କରିଛି, ସେହିପରି ଶହଶହ ପ୍ରାତଃ ସ୍ମରଣୀୟଙ୍କୁ ଜନ୍ମ ଦେଇଛି ରତ୍ନଗର୍ଭା ଏଇ ମାଟି।
ସ୍ୱାଧୀନତା ପରେ, ପଚାଶ, ଷାଠିଏ ଓ ସତୁରୀ ଦଶକରେ ଜନ୍ମ ନେଇଥିବା ଆମ ଭିତରୁ ପ୍ରାୟ ସମସ୍ତଙ୍କର ଆତ୍ମ ସମୀକ୍ଷାର ସମୟ ହୁଏତ ଆସିଛି, ତାହାହେଲା : ବର୍ତ୍ତମାନର ଏ ବିକଟ ପରିସ୍ଥିତି ପାଇଁ ଆମର ଅବଦାନ କେତେ, ତା'ର ଆକଳନ କରିବା; ତାହା ପୁଣି ନିରପେକ୍ଷ ଭାବରେ। ଏଠି ସରକାର କିମ୍ବା ବ୍ୟବସ୍ଥା ଆଡ଼କୁ ଆଙ୍ଗୁଳି ଦେଖାଇବା ଚଳିବ ନାହିଁ!
ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ନିଜର ତନ ମନ ଧନ ସମର୍ପଣ କରିଥିବା ସେନାପତିମାନେ ସେତେବେଳେ ଏ ଜାତିର ଦୁର୍ଗତି ଦେଖି ଗାଇଥିଲେ ..‘ମାଆ ମାଆ ବୋଲି କେତେ ମୁଁ ଡାକିଲି ମାଆକୁ ପାଇଲି ନାହିଁ ...।’
କାରଣ ସେତେବେଳେ ଓଡ଼ିଆର ସ୍ୱତନ୍ତ୍ର ପରିଚୟ କିଛି ନଥିଲା। ସବୁକିଛି ହଜି ଯାଇଥିଲା। ସେହି ଯୋଦ୍ଧାମାନଙ୍କ ବଳିଦାନରୁ ଆମେ ଆମର ହୃତ ପରିଚୟ ଫେରି ପାଇଲେ, ଜୀବନଦାନ ପାଇଲା ସ୍ୱତନ୍ତ୍ର ଓଡ଼ିଶା। ହେଲେ, ଶହେଟି ବର୍ଷ ବି ନପୂରୁଣୁ ପୁଣି ଦେଖାଦେଲାଣି ସେଇ ଏକା ସମସ୍ୟା।
ଯଦି ଯତ୍ନ ନ ନିଆଯାଏ, ତେବେ ନିଜର ଭାଷା, ସାହିତ୍ୟ, ସଂସ୍କୃତି, ଇତିହାସ ଭିତରେ ନିହିତ ଅପାର ଐଶ୍ୱର୍ଯ୍ୟର ଜ୍ୟୋତିପିଣ୍ଡକୁ ଜାଣିନପାରି ଆମର ଦାୟାଦମାନେ ସ୍ୱପରିଚୟବିହୀନ ହୋଇ ସାମାନ୍ୟ ଜୁଳୁଜୁଳିଆ ପୋକଙ୍କ ଗହଣରେ ବି ଝାଉଁଳି ପଡ଼ି ମୁହଁ ଲୁଚେଇ ରହିବେ!
ସମୟ ଅତିକ୍ରାନ୍ତ ହୋଇଯାଉଥିଲେ ବି ପୂରାପୂରି ଅନ୍ଧକାର ହୋଇନାହିଁ। ଏବେ ବି ପ୍ରାୟଶ୍ଚିତ କରିବାର ଅବସର ରହିଛି।
ପ୍ଲଟ ନମ୍ବର ୧୨୧୫/୧୪୫୭, ଖଣ୍ଡଗିରିବାରୀ, ଘାଟିକିଆ, ଖଣ୍ଡଗିରି, ଭୁବନେଶ୍ୱର-୩୦, ମୋ-୮୯୭୧୭୦୬୭୯୦