ଅଲଗା ହେବାକୁ ନାରାଜ
ସୁନାବେଡ଼ା,୩୧ା୩(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)ଝିଅମାନଙ୍କୁ ସ୍ବତନ୍ତ୍ର ଭାବରେ ଶିକ୍ଷିତ କରିବାକୁ ୧୯୯୫ରେ ସୁନାବେଡ଼ାଠାରେ ମହିଳା ମହାବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ପ୍ରଥମେ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଝିଅମାନଙ୍କ ନାମ ଲେଖାଇ ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ୨୦୦୦ରେ ଏଠାରେ ଯୁକ୍ତ ୩ ପାଠ୍ୟକ୍ରମ ଖୋଲିବାକୁ ସରକାର ସମ୍ମତି ଦେଇଥିଲେ। ସେହିବର୍ଷ ଯୁକ୍ତ ୩ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରେଣୀଗୃହ ଅଭାବ ଯୋଗୁ ଯୁକ୍ତ ୨ ଓ ଯୁକ୍ତ ୩ ଉଭୟ ପାଠପଢ଼ା ମହାବିଦ୍ୟାଳୟର […] The post ଅଲଗା ହେବାକୁ ନାରାଜ appeared first on Dharitri Odia News.
ସୁନାବେଡ଼ା,୩୧ା୩(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)ଝିଅମାନଙ୍କୁ ସ୍ବତନ୍ତ୍ର ଭାବରେ ଶିକ୍ଷିତ କରିବାକୁ ୧୯୯୫ରେ ସୁନାବେଡ଼ାଠାରେ ମହିଳା ମହାବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ପ୍ରଥମେ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଝିଅମାନଙ୍କ ନାମ ଲେଖାଇ ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ୨୦୦୦ରେ ଏଠାରେ ଯୁକ୍ତ ୩ ପାଠ୍ୟକ୍ରମ ଖୋଲିବାକୁ ସରକାର ସମ୍ମତି ଦେଇଥିଲେ। ସେହିବର୍ଷ ଯୁକ୍ତ ୩ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରେଣୀଗୃହ ଅଭାବ ଯୋଗୁ ଯୁକ୍ତ ୨ ଓ ଯୁକ୍ତ ୩ ଉଭୟ ପାଠପଢ଼ା ମହାବିଦ୍ୟାଳୟର ଗୋଟିଏ ପରିସରରେ ହେଲା। ସୁନାବେଡ଼ା,ସେମିଳିଗୁଡ଼ା, ଦାମନଯୋଡ଼ି, ନନ୍ଦପୁର, ପଟ୍ଟାଙ୍ଗି ଅଞ୍ଚଳରେ ଏହା ଏକମାତ୍ର ମହିଳା ମହାବିଦ୍ୟାଳୟ ହୋଇଥିବାରୁ ଛାତ୍ରୀମାନେ ଏହା ଉପରେ ନିର୍ଭର କରୁଥିଲେ। ଯୁକ୍ତ ୩ରେ ପାଖାପାଖି ୧ହଜାର ପିଲା ପଢୁଥିବା ଏହି ଉଚ୍ଚ ବିଦ୍ୟାଳୟର ଜମିକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।
ତଥ୍ୟ ଅନୁସାରେ ତହସିଲ ପକ୍ଷରୁ ଚିଠି ସଂଖ୍ୟା ୩୫୪୯୧ରେ ୨୫ା୧୧ା୨୦୨୧ରେ ଏକ ସରକାରୀ ଗେଜେଟ୍ ନୋଟିଫିକେଶନ ଦ୍ୱାରା ଯୁକ୍ତ୨କୁ ଯୁକ୍ତ୩ଠାରୁ ଅଲଗା କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ପରେ ପୁଣି ଏକ ଚିଠି ୧୨୭୦/୨୦୭-୨୩୨/୨୦୨୨ରେ ତତ୍କାଳୀନ ଜିଲାପାଳ ୯ା୩ା୨୦୨୨ରେ ସେମିଳିଗୁଡ଼ା ତହସିଲଦାରଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କାଗଜପତ୍ରରେ ଦୁଇଟି ଶିକ୍ଷା ଅନୁଷ୍ଠାନ ଅଲଗା ହୋଇଗଲା। ମାତ୍ର ଦୁଇଟିଯାକ ଶିକ୍ଷାନୁଷ୍ଠାନର ପାଠପଢ଼ା ଗୋଟିଏ ଜାଗାରେ ହୋଇ ଆସୁଥିଲା। ପ୍ରଶାସନ ଉଭୟ ମହାବିଦ୍ୟାଳୟକୁ ଅଲଗା କରିଦେଇଥିଲା ସତ୍ୟ, କିନ୍ତୁ ମହିଳା ମହାବିଦ୍ୟାଳୟ ନାଁରେ ଥିବା ୨.୮ ଏକର ଜମିକୁ ଡିଗ୍ରୀ କଲେଜକୁ ହସ୍ତାନ୍ତର କଲାନାହିଁ। ଫଳରେ ଏବେ ସେହି ଜମିକୁ ନେଇ ବିଭିନ୍ନ ବିବାଦ ସୃଷ୍ଟି ହେବାରେ ଲାଗିଛି। ସରକାରୀ ନୋଟିଫିକେଶନ ହିସାବରେ +୨ ଶ୍ରେଣୀଗୃହ ସେଠାରୁ ଅଲଗା ହେବା କଥା। ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏବେ ମହିଳା ମହାବିଦ୍ୟାଳୟକୁ ସେଠାରୁ ହଟାଇବାକୁ ଯୋଜନା କରୁଥିବା ଅଭିଯୋଗ ହେଉଛି। ବିବାଦ ଯୋଗୁ ଏହା ପରିସରରେ ଚାଲିଥିବା ମହିଳା ଡିଗ୍ରୀ ମହାବିଦ୍ୟାଳୟ ନିଜ ନାମଫଳକ ଲଗାଇପାରୁ ନ ଥିବା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା କହିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ପ୍ରଶାସନ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ତଥା ଉପଜିଲାପାଳ ବେଣୁଧର ଶବର, ତହସିଲଦାର ସମସ୍ତେ ଯୁକ୍ତ ୩ ମହିଳା ମହାବିଦ୍ୟାଳୟକୁ ଜମି ହସ୍ତାନ୍ତର ପାଇଁ ନୋଟିସ ଜାରି କରିଥିଲେ ସୁଦ୍ଧା ଏହାକୁ ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷ ମାନୁନାହାନ୍ତି। ଫଳରେ ଏନେଇ +୩ ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ବିବାଦ ଯୋଗୁ ଠିକ୍ ଭାବେ କ୍ଲାସ୍ ମଧ୍ୟ ହେଉ ନ ଥିବା କେତେଜଣ ଛାତ୍ରୀ କହିଛନ୍ତି। ପ୍ରଶାସନ ଶୀଘ୍ର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଛାତ୍ରୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ଉପଜିଲାପାଳ ବେଣୁଧର ଶବରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ବିବାଦ କେବଳ ଏଠାକାର ନୁହେଁ ଅନେକ ମହାବିଦ୍ୟାଳୟରେ ରହିଛି। ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ଚାହିଁବେ ପୂର୍ବରୁ ଥିବା ବିଲ୍ଡିଂ ଉପରେ ନିଜର ଶ୍ରେଣୀଗୃହ ନିର୍ମାଣ ପାଇଁ ଆବେଦନ କରିପାରିବେ। ନଚେତ୍ କଲେଜ ପରିସରରେ ଅନେକ ଜାଗା ରହିଛି ସେଠାରେ ମଧ୍ୟ ନୂଆ ବିଲ୍ଡିଂ ପାଇଁ ଆବେଦନ କରିପାରିବେ। ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ. ଉମାଶଙ୍କର ପ୍ରସାଦ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ବିବାଦ ସମାଧାନ ପାଇଁ ୨ ବର୍ଷ ହେବ ଚେଷ୍ଟା କରି ଆସିଛୁ। ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଏଠାରେ +୩ ରହିବ। ଯୁକ୍ତ୨କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଯଥାଶୀଘ୍ର ଏହାର ସମାଧାନ ହେବା ଉଚିତ ବୋଲି ସେ କହିଛନ୍ତି। ଜିଲା ଶିକ୍ଷାଧିକାରୀ ପ୍ରଶାନ୍ତ ମହାନ୍ତିଙ୍କୁ ଉପୁଜିଥିବା ସମସ୍ୟା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ୨ ଶିକ୍ଷା ଅନୁଷ୍ଠାନ ସରକାରୀ ସ୍ତରରେ ଅଲଗା ହୋଇସାରିଛି। ମାତ୍ର ପ୍ରତ୍ୟକ୍ଷରେ ଅଲଗା ହୋଇନାହିଁ। ଏହି ସମସ୍ୟା ସାରା ଓଡ଼ିଶାରେ ରହିଛି ତଥାପି ମୁଁ ନୂଆ ଆସିଛି। ଅଫିସ ଅର୍ଡର କ’ଣ ରହିଛି ଦେଖିବା ପରେ କହିପାରିବି ବୋଲି ପ୍ରକାଶ କରିଥିଲେ।
The post ଅଲଗା ହେବାକୁ ନାରାଜ appeared first on Dharitri Odia News.