‘ଅସ୍ଥି-ଉପଦ୍ରବ’ ଉପାଖ୍ୟାନ
ଦୀର୍ଘଦିନ ତଳୁ ମର୍ତ୍ତ୍ୟଲୋକରେ ମାଟି ଶରୀରଟିକୁ ଛାଡ଼ି ଦେଇ ଆସି ସାରିଲାଣି ସେ। କିନ୍ତୁ ଏ ପର୍ଯ୍ୟନ୍ତ ସେ ମୁକ୍ତି ପାଇନି ପାର୍ଥବିକ ମୋହାଗ୍ନିରୁ। କେମିତି ବା ତା’ର ମୁକ୍ତି ହେବ! ତାଙ୍କ ତଥାକଥିତ ପାଖଲୋକ ଜଣକ କାହିଁକି କେଜାଣି କେଉଁ ଉଦ୍ଦେଶ୍ୟରେ ଏବେ ବି ତା’ ପାଖରେ ରଖିଛି ତାଙ୍କର ଅସ୍ଥିକଳସ ସେ ହିଁ ଜାଣେ। ମର ଶରୀରଟିର ଦାହସଂସ୍କାର ପରେ ତା’ର ଛୋଟିଆ ଅସ୍ଥିଟିଏ ସେ ନେଇ ଆସିଥିଲା। ଲୋକଙ୍କୁ କହିଥିଲା ସେଇଟିକୁ ସେ […]

ଦୀର୍ଘଦିନ ତଳୁ ମର୍ତ୍ତ୍ୟଲୋକରେ ମାଟି ଶରୀରଟିକୁ ଛାଡ଼ି ଦେଇ ଆସି ସାରିଲାଣି ସେ। କିନ୍ତୁ ଏ ପର୍ଯ୍ୟନ୍ତ ସେ ମୁକ୍ତି ପାଇନି ପାର୍ଥବିକ ମୋହାଗ୍ନିରୁ। କେମିତି ବା ତା’ର ମୁକ୍ତି ହେବ! ତାଙ୍କ ତଥାକଥିତ ପାଖଲୋକ ଜଣକ କାହିଁକି କେଜାଣି କେଉଁ ଉଦ୍ଦେଶ୍ୟରେ ଏବେ ବି ତା’ ପାଖରେ ରଖିଛି ତାଙ୍କର ଅସ୍ଥିକଳସ ସେ ହିଁ ଜାଣେ। ମର ଶରୀରଟିର ଦାହସଂସ୍କାର ପରେ ତା’ର ଛୋଟିଆ ଅସ୍ଥିଟିଏ ସେ ନେଇ ଆସିଥିଲା। ଲୋକଙ୍କୁ କହିଥିଲା ସେଇଟିକୁ ସେ ନେଇ ପ୍ରୟାଗରାଜର ଗଙ୍ଗାନଦୀର ତ୍ରିବେଣୀ ସଙ୍ଗମରେ ବିସର୍ଜନ କରିଦେବ। ମୃତ ମଣିଷଟିର ତୁରନ୍ତ ମୋକ୍ଷ ପାଇଁ ସେ ସକଳ ଆନୁସଙ୍ଗିକ ହିନ୍ଦୁଶାସ୍ତ୍ରମତ ବିଧିବ୍ୟବସ୍ଥା ଯଥାବିଧି ସମାପନ କରିଦେବ। କିନ୍ତୁ ଏବେ ବି ସେ ଅସ୍ଥିକଳସ ରହିଛି ତା’ଘରେ। ତମ୍ବାପାତ୍ରରେ ମୁଦ ହେଇ ରହିଛି ଛୋଟିଆ ଅସ୍ଥିଟି। ଏଣେ ପରଲୋକରେ ମୃତ ମଣିଷର ଆତ୍ମା ଭୋଗିଚାଲିଛି ଦାରୁଣ କଷ୍ଟ। ତା’ସହିତ ମର୍ତ୍ତ୍ୟଲୋକରୁ ବିଦାୟ ନେଇ ଚାଲିଆସିଥିବା ଶହେ ଖଣ୍ଡେ ସରିକି ‘ଆତ୍ମା’ ମୋକ୍ଷଲୋକକୁ ଯାତ୍ରା କରିବା ପାଇଁ ଆବଶ୍ୟକ ଅନୁମତିପତ୍ର ପାଇ ସାରିଲେଣି। ସେ କିନ୍ତୁ ଅପେକ୍ଷା କରିଛି କେବେ ତା’ର ସେ ସୌଭାଗ୍ୟ ହେବ।
ସହସ୍ର ଆଲୋକବର୍ଷ କିମ୍ବା ତା’ଠାରୁ କେତେ ଗୁଣ ଅଧିକ ଦୂରତାରେ ଥିବା ଏ ମୃତଲୋକରୁ କିପରି ବା ବାର୍ତ୍ତାଟିଏ ପଠାଇଦେବ ତା’ ଅସ୍ଥିକୁ ପ୍ରୟାଗରାଜରେ ବିସର୍ଜନ କରିବାକୁ ଭୁଲି ଯାଇଥିବା ତା’ର ସେ ଆତ୍ମଘୋଷିତ ପାଖଲୋକ ଜଣକୁ? ସହଜେ ତ ଆଜିକାଲି ସବୁଠି ଇଣ୍ଟରନେଟ୍ରେ ଭାରି ଭିଡ଼। ସେ ମର୍ତ୍ତ୍ୟଲୋକରେ ଲୀଳା ଖେଳା କରୁଥିବା ବେଳେ ଯୋଉ ଟେଲିଗ୍ରାମ୍ ବ୍ୟବସ୍ଥାଟି ଥିଲା ସେଇଟି ତ କେବେଠାରୁ ଅକାମୀ ହୋଇସାରିଲାଣି। ତେଣୁ ଅଗତ୍ୟା ସେ ତମ୍ବାପାତ୍ରରେ ଥିବା ସେଇ ଛୋଟିଆ ଅସ୍ଥିଟିକୁ ବାର୍ତ୍ତାପ୍ରେରଣର ମାଧ୍ୟମ କରିବାକୁ ନିଷ୍ପତ୍ତି ନେଲା। ସେଇଟିକୁ ନିର୍ଦ୍ଦେଶ ଦେଲା ସେ ପାଖଲୋକର ଘରେ କିଛି କିଛି ଉତ୍ପାତ ରଚିବାକୁ। ବଶମ୍ବଦ ଅସ୍ଥି ଖଣ୍ଡକ ବି ଅକ୍ଷରେ ଅକ୍ଷରେ ସେ ନିର୍ଦ୍ଦେଶ ପାଳନ କରିଚାଲିଲା। ରାତିଅଧରେ ବା ବେଳଅବେଳରେ କେଉଁ ଝଟକରେ ଅସ୍ଥିଟି ବାହାରି ପଡ଼ିଲା ତମ୍ବା ପାତ୍ରରୁ। କେତେବେଳେ ସେ ଦାଣ୍ଡଦୁଆର ହେଉ ବା ଅନ୍ୟ କେଉଁ ଦୁଆର କି ଝରକା ହେଉ -ସବୁଠି ଦେଇ ଚାଲିଲା ମୃଦୁ ଧକ୍କାମାନ। ବେଳେବେଳେ ବି ଅକୁହା କ୍ରୋଧ କି ଅଭିମାନରେ ସେ ଦେଉଥିବା ଧକ୍କାଗୁଡ଼ିକର ଶବ୍ଦ ବେଶ୍ ହାଡ଼ଥରା ହେବା ସେ ପାଖଲୋକ ଜଣକ ଏବଂ ତା’ଘରର ଅନ୍ୟ ସଦସ୍ୟ / ସଦସ୍ୟା ଶୁଣି କାକୁସ୍ଥ, ତଟସ୍ଥ ହୋଇପଡ଼ିଲେ। ଅତର୍ଚ୍ଛାରେ ବାବୁଜଣକ ଦୈାଡ଼ିଲେ ପଣ୍ଡିତ ଓ ଗୁଣିଆମାନଙ୍କ ପାଖକୁ। ସନାତନୀ ବିଦ୍ୟାରେ ଧୂରୀଣ ଓ ମହାନ୍ ତାନ୍ତ୍ରିକ ଭାବରେ ଖଣ୍ଡମଣ୍ଡଳରେ ଭାରି ନାଁ କରିଥିବା ଜଣେ କେହି କହିଲେ- ‘ଯାଅ, ଯାଅ, ତୁରନ୍ତ ସେ ଅସ୍ଥିଖଣ୍ଡକ ନେଇ ତ୍ରିବେଣୀରେ ବିସର୍ଜନ କରି ଦେଇ ଆସ।’ ତଥାକଥିତ ପାଖଲୋକ ଜଣକ ସେଇଆ ହିଁ କଲେ ଏବଂ ଅସ୍ଥି -ଉପଦ୍ରବରୁ ରକ୍ଷା ପାଇଗଲେ।
ଏକବିଂଶ ଶତାବ୍ଦୀର ଏ ଦୁନିଆରେ ବିଜ୍ଞାନ ଯେତେବେଳେ ଅଭୂତପୂର୍ବ ଚମତ୍କାରିତା ଦେଖାଇ ଅନେକ ଦୃଷ୍ଟିବାଧିତମାନଙ୍କୁ ଚକ୍ଷୁସ୍ମାନ କରି ସାରିଲାଣି, ସେତେବେଳେ ଆମର ଏ ପବିତ୍ରତମ ଜଗନ୍ନାଥ ଦେଶର ଜଣେ ତଥାକଥିତ ସବ୍ଜାନ୍ତା ମଣିଷ ତା’ଘରେ ଥିବା ଗୋଟିଏ ଅସ୍ଥି ଏମିତି ସବୁ କାରନାମା କରିଥିବା କଥା ମହାଉତ୍ସାହରେ ସର୍ବସାଧାରଣରେ କହିବାକୁ ତିଳେ ବି କୁଣ୍ଠାପ୍ରକାଶ କଲାନାହିଁ। ଟିକେ ଭାବନ୍ତୁ ତ! ଯଦି ମୃତଲୋକମାନଙ୍କର ଅସ୍ଥି ସବୁ ଏମିତି ଉପଦ୍ରବ କରିବା ସବୁଠି ଆରମ୍ଭ କରିଦେବେ, କେଡ଼େ ବିଭ୍ରାଟ ନ ଘଟିବ! ସବୁଠାରୁ ମାରାତ୍ମକ ବିଭ୍ରାଟ ସୃଷ୍ଟିହେବ ମୃତ୍ୟୁ ପରେ ଆପଣା ଶରୀରଦାନ କରିଥିବା ସାଧୁ ମଣିଷମାନଙ୍କ ଅସ୍ଥି ସବୁ ରହିଥିବା ମେଡିକାଲ୍ମାନଙ୍କରେ। ଅସ୍ଥି ତ ନୁହେଁ, ସମଗ୍ର କଙ୍କାଳଗୁଡ଼ିକ ସଜ୍ଜା ହୋଇ ରହିଥାଏ ସେଠାରେ। ବେଳଅବେଳରେ ଯଦି ସେ କଙ୍କାଳସବୁ କିଳିକିଳିରାବ ଆରମ୍ଭ କରିଦେବେ ଆମକୁ ‘ପ୍ରୟାଗରାଜ ନେଇ ଚାଲ’ ଲେଖାଥିବା ପ୍ଲାକାର୍ଡମାନ ଧରି, କି ଅବସ୍ଥା ନହେବ ଆମ ଡାକ୍ତରୀ ପିଲାମାନଙ୍କର ଏବଂ ଆମ ରୋଗୀ ଓ ସେମାନଙ୍କ ପାଖରେ ରହୁଥିବା ଜ୍ଞାତି ପରିଜନମାନଙ୍କର।
ପୁଣି ଏମିତି ବି ହୋଇପାରେ – ମୃତ ମଣିଷମାନଙ୍କ ପ୍ରିୟଚିଜ ବା ଆସବାବପତ୍ର, ଯାହାକିଛି ସେମାନଙ୍କ ପୁତ୍ରକନ୍ୟାମାନଙ୍କ ପାଖରେ ରହିଯାଇଥିବ, ସେ ସବୁ ବି ଅଜବ କାଣ୍ଡ କାରଖାନା ଭିଆଇ ପାରନ୍ତି। ମୃତ ଜେଜେବାପାଙ୍କ ଜୋତା ହଳକ ଯଦି ତାଙ୍କ ଦାହସଂସ୍କାର ବେଳେ ଯଥାବିଧି ଅଗ୍ନିରେ ବା ଶ୍ମଶାନଘାଟରେ ବିସର୍ଜିତ ହୋଇନଥିବ, ସେ ଜୋତା, ସେ ବୁଟ୍ ଠକ୍ଠକ୍ ଶବ୍ଦ କରି ରାତିସାରା ଘରେ ଚାଲିପରେ। ମୃତ ପରିଜନଙ୍କ ପୋଷା ବିଲେଇ କି କୁକୁରମାନେ ବି ହଠାତ୍ ଜଳାତଙ୍କରେ ପୀଡ଼ିତ ହୋଇ ଗୋଡ଼ାଇ ଗୋଡ଼ାଇ କାମୁଡ଼ି ପାରନ୍ତି ସ୍ପଷ୍ଟ ଦିବାଲୋକରେ। ମୃତ ଜେଜୀମା’ଙ୍କ ବଙ୍କୁଲି ବାଡ଼ି ଯଦି ଗୋଡ଼ାଇ ଗୋଡ଼ାଇ ଗୋଗଛ ପିଟିଚାଲିବ, କି ଅନର୍ଥ ନ ହେବ ଭାବନ୍ତୁ ତ! ପ୍ରଥମେ ତ ଦୋରସ୍ତ ପିଟା ଖାଇବ ବୋହୂ ସାଆନ୍ତାଣୀ ଜଣକ। ବୁଢ଼ୀ ଆରପାରିକୁ ଚାଲିଯାଇଥିଲେ ବି ତଥାପି କ’ଣ ଭୁଲି ପାରିଥିବ ତା’ ଜୀବଦ୍ଦଶାରେ କି ଅନଭୋଗ ତାକୁ ନ ଦେଇଛି ସେ ବୋହୂ। ଏକଦା ଆପଣାର ପ୍ରତାପରେ ସସାଗରା ଧରା ଥରାଇ ଦେଉଥିବା ମହାନ୍ ପରାକ୍ରମୀ ରାଜନେତା ଜଣକ ପରଲୋକକୁ ତା’ର ଅନିଚ୍ଛାସତ୍ତ୍ବେ ଘୋଷରା ହୋଇ ଗଲା ପରେ ଯଦି ତା’ର କୁର୍ତ୍ତା, ପାଇଜାମା କି ତା’ର ଦୁର୍ଗନ୍ଧଯୁକ୍ତ ରୁମାଲ ହଠାତ୍ ସଭିଙ୍କ ଚକ୍ଷୁ ସମ୍ମୁଖରେ ଦୋଳି ଖେଳି ଚାଲିବେ ଏବଂ ସେଗୁଡ଼ିକୁ ତୁରନ୍ତ ଡ୍ରାଇୱାସ୍ କରି କାହିଁକି ରଖାଯାଇନି ବୋଲି ଇଙ୍ଗିତ ଦେଇଚାଲିବେ, କି ହୀନସ୍ତା ନ ହେବ ତା’ର ଅଲିଅଳ ବିଶିକେସନ ପୁତ୍ରଜଣକ! ଏପରି ସ୍ଥଳେ ବୋଧହୁଏ ଅନତି ବିଳମ୍ବେ ଗୋଟିଏ ଦେଶ ବା ରାଜ୍ୟର ମନ୍ତ୍ରିମଣ୍ଡଳରେ ସ୍ୱତନ୍ତ୍ର ବିଭାଗଟିଏ ଖୋଲାଯାଇପାରେ – ଯା’ର ଏକମାତ୍ର କାମ ହେବ ମୃତ ଲୋକମାନଙ୍କ ଅସ୍ଥି ଠାରୁ ଆରମ୍ଭ କରି ଅନ୍ୟ ପ୍ରତ୍ୟେକ ଦେହଲଗା ଚିଜମାନଙ୍କର ବିହିତ ଶାସ୍ତ୍ରାନୁମୋଦିତ ବ୍ୟବସ୍ଥା ସବୁର ତ୍ୱରିତ କାର୍ଯ୍ୟାନ୍ୱୟନ କରିବା।
ଏ ଲେଖକ ଅବଶ୍ୟ ମାନିବ ଯେ ଉପରୋକ୍ତ କଥାଗୁଡ଼ିକ ଭାରି ଲଘୁ କିମ୍ବା ତୁଚ୍ଛା ଅତିଶୟୋକ୍ତି ମନେ ହୋଇପାରେ ଅନେକଙ୍କୁ। କିନ୍ତୁ ବନ୍ଧୁ! ଆମମାନଙ୍କ ସାମୂହିକ ଚେତନା ତ ଘୋର ପ୍ରଦୂଷିତ ହୋଇସାରିଲାଣି କେବେଠାରୁ – ଏହା କଣ ଏକ ଧ୍ରୁବ ସତ୍ୟ ନୁହେଁ କି? ଯାବତୀୟ ଅନ୍ଧବିଶ୍ୱାସ ଓ କୁସଂସ୍କାରଗୁଡ଼ିକୁ ଆଜି ଆମ ନେତୃବୃନ୍ଦ ପୂରାପୂରି ଧର୍ମୀୟ, ଆମ ମହାନ୍ ସଂସ୍କୃତିର ଅନୁକୂଳ ବୋଲି ରଟି ଚାଲିଛନ୍ତି ଏକ ବିଚିତ୍ର ଉନ୍ମାଦନାରେ। ସହଜେ ତ ଆମ ଦେଶର ଶତକଡ଼ା ଅନେଶୋତ ସବୁକାଳେ ଧର୍ମଭୀରୁ; ଭାଗ୍ୟ, ଭଗବାନ, ଭୂତ, ପ୍ରେତ, ପିଶାଚ ଆଦିରେ ଆଜନ୍ମ ବିଶ୍ୱାସୀ। ତେଣୁ ଯେତେବେଳେ ଆମ ଦେଶ ବା ଆମ ରାଜ୍ୟର ତଥାକଥିତ ମହାଜନମାନେ ‘ଅସ୍ଥି-ଉପଦ୍ରବ’ ଉପାଖ୍ୟାନକୁ ନେଇ ପାରାୟଣ କରିବେ, ସେଇମାନଙ୍କ କଥାକୁ ଶିରୋଧାର୍ଯ୍ୟ କରିବେ ସେମାନଙ୍କ ବୋଲକରା ଭକ୍ତମାନେ। କାରଣ ଆମ ଶାସ୍ତ୍ର ତ ଆମକୁ କହିଛି – ‘ମହାଜନୋ ଯେନା ଗତଃ ସ ପନ୍ଥା’।
ଦୁର୍ଗାପ୍ରସାଦ ଆଚାର୍ଯ୍ୟ
(ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ)
କୋତିଆଁ ବାରଙ୍ଗ(ଜଗତ୍ସିଂହପୁର),
ମୋ: ୯୮୫୩୩୫୫୧୦୭