ଅସ୍ପଷ୍ଟ କୂଟନୀତି

ସାମ୍ପ୍ରତିକ ପରିସ୍ଥିତିରେ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ଯୁଦ୍ଧ ଲାଗିରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ ଆମେରିକା ଗସ୍ତ ଉପରେ ରାଜନୈତିକ ବିଶେଷଜ୍ଞମାନଙ୍କର ନଜର ରହିଥିଲା। ସେପ୍ଟେମ୍ବର ୨୧ରେ ଡେଲାଓ୍ବେର୍‌ର ଓ୍ବିଲ୍‌ମିଂଟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ କ୍ୱାଡ୍‌ ନେତାଙ୍କ ସମ୍ମିଳନୀରେ ମୋଦିଙ୍କ ସମେତ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନସ୍‌ ଯୋଗଦେଇଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏହି ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା […] The post ଅସ୍ପଷ୍ଟ କୂଟନୀତି appeared first on Dharitri Odia News.

ଅସ୍ପଷ୍ଟ କୂଟନୀତି

ସାମ୍ପ୍ରତିକ ପରିସ୍ଥିତିରେ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ଯୁଦ୍ଧ ଲାଗିରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ ଆମେରିକା ଗସ୍ତ ଉପରେ ରାଜନୈତିକ ବିଶେଷଜ୍ଞମାନଙ୍କର ନଜର ରହିଥିଲା। ସେପ୍ଟେମ୍ବର ୨୧ରେ ଡେଲାଓ୍ବେର୍‌ର ଓ୍ବିଲ୍‌ମିଂଟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ କ୍ୱାଡ୍‌ ନେତାଙ୍କ ସମ୍ମିଳନୀରେ ମୋଦିଙ୍କ ସମେତ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନସ୍‌ ଯୋଗଦେଇଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏହି ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ। ସେ ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜାତିସଂଘ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। କ୍ୱାଡ୍‌ ସମ୍ମିଳନୀରେ ଇଣ୍ଡୋ-ପାସିଫିକ୍‌ ବା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭାଇକଲ କ୍ୟାନ୍‌ସରର ମୁକାବିଲା କରିବା ସକାଶେ କ୍ୱାଡ୍‌ କ୍ୟାନ୍‌ସର ମୁନ୍‌ସୁଟ୍‌ ଘୋଷଣା କରାଯାଇଥିଲା। ଉଲ୍ଲେଖନୀୟ ଯେ, ଏକ ଆନ୍ତଃ ସରକାରୀ ସୁରକ୍ଷା ମଞ୍ଚ ଭାବେ ୨୦୦୭ରେ କ୍ୱାଡ୍‌ ଗଠନ ହେବା ପରେ ୨୦୦୮ରେ ବନ୍ଦ ହୋଇଯାଇଥିଲା। ୨୦୧୭ରେ ଏହାକୁ ପୁନର୍ଗଠନ କରାଯିବା ପରେ ଏହା ସକ୍ରିୟ ଭାବେ କାର୍ଯ୍ୟ କରିଆସୁଛି। ଆମେରିକାରେ ଅନୁଷ୍ଠିତ କ୍ୱାଡ୍‌ ସମ୍ମିଳନୀରେ ୪ଟି ଦେଶର ନେତାମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ପ୍ରତିିଶ୍ରୁତିବଦ୍ଧ ହୋଇଥିଲେ। ଏହା ସହ ସେଠାରେ ବଳ ପ୍ରୟୋଗକରି ସ୍ଥିତାବସ୍ଥା ବଦଳାଇବାକୁ ଚାହଁୁଥିବା କିମ୍ବା ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ କ୍ୱାଡ୍‌ ତୀବ୍ର ବିରୋଧ କରିଆସୁଛି ବୋଲି ଏକ ମିଳିତ ବିବୃତିରେ କୁହାଯାଇଥିଲା। ଏହା ପରୋକ୍ଷରେ ଚାଇନାକୁ ସ୍ପଷ୍ଟ ଇଙ୍ଗିତକରେ। କାରଣ ଚାଇନା ଏବେ ସୁଦ୍ଧା ଦକ୍ଷିଣ ଚାଇନା ସାଗର ଓ ପୂର୍ବ ଚାଇନା ସାଗରରେ ତାହାର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ଏହାକୁ ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ, ଭିଏଟ୍‌ନାମ ଓ ତାଇଓ୍ବାନ୍‌ ବିରୋଧ କରିଆସୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏହା ମଧ୍ୟ ଭାରତ ପାଇଁ ବିପଦ। ନିକଟରେ ଚାଇନା ଏହି ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ସେଠାକାର ସ୍ଥିତିର ଗମ୍ଭୀରତାକୁ ପ୍ରକାଶକରେ। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ କହିଲେ ଭାରତ ମହାସାଗର, ପଶ୍ଚିମ ଓ କେନ୍ଦ୍ର ପ୍ରଶାନ୍ତ ମହାସାଗର ତଥା ଏହି ଦୁଇଟିକୁ ସଂଯୋଗ କରୁଥିବା ଅନ୍ୟ ସାଗରକୁ ବୁଝାଏ। ଏହି ସମୁଦ୍ର ପଥରେ ଏସିଆ, ୟୁରୋପ ଏବଂ ଆଫ୍ରିକା ମଧ୍ୟରେ ବାଣିଜ୍ୟ ସୁଗମ ହୋଇଥାଏ। ତେବେ ଚାଇନାର ଏକତରଫା ଆଧିପତ୍ୟ ରହିଲେ ବାଣିଜ୍ୟରେ ବାଧା ସୃଷ୍ଟିହେବା ସହ ପାଶ୍ଚାତ୍ୟ ଏପରିକି ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବା ସମ୍ଭାବନା ଅଧିକ। ଚାଇନା ଏବେ ତାଇଓ୍ବାନ୍‌କୁ ଦଖଲ କରିବାକୁ ଚେଷ୍ଟା କରୁଥିବାରୁ ଏହି ଅଞ୍ଚଳ ଆହୁରି ଅଶାନ୍ତ ହୋଇପଡ଼ିଛି।
କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ କରାଯିବା ନୂଆ ନୁହେଁ। ପୂର୍ବ ସମ୍ମିଳନୀଗୁଡ଼ିକରେ ମଧ୍ୟ ଚାଇନାକୁ ରୋକିବାକୁ ଚେଷ୍ଟା କରାଯାଇଆସୁଛି। ଏଥିପାଇଁ କ୍ୱାଡ୍‌ର ମିଳିତ ସମରାଭ୍ୟାସ ସମୟାନ୍ତରେ କରାଯାଉଛି। ସୁରକ୍ଷା ଦିଗକୁ ବିଚାରକଲେ ଚାଇନାର ପଡ଼ୋଶୀ ଭାବେ ଭାରତକୁ ଏବେଠାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଜି୭ ଦେଶ ସହ ବନ୍ଧୁତା ସ୍ଥାପନକୁ ଗୁରୁତ୍ୱ ଦେଉଥିବା ତଥା କ୍ୱାଡ୍‌ ସଦସ୍ୟ ରାଷ୍ଟ୍ର ଭାବେ ନିଜର ଅର୍ଥ ଓ ସାମରିକ ବ୍ୟବସ୍ଥାକୁ ମଜଭୁତ କରିବା ଦରକାର। କାରଣ ଚାଇନା କ୍ରମାଗତ ଭାବେ ଏଲ୍‌ଏସିରେ ତାହାର ଉପସ୍ଥିତି ଜାହିରକରି ଉତ୍ତେଜନା ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ଚିନ୍ତାର ବିଷୟ ହେଲା, କୂଟନୀତିରେ ଭାରତ ଏକ ସ୍ପଷ୍ଟ ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ରଖିପାରି ନାହିଁ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭରୁ ଭାରତ କେବେହେଲେ ଖୋଲାଖୋଲି ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିନାହିଁ। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଯୁଦ୍ଧ ଆରମ୍ଭ ବେଳେ ଜାତିସଂଘ ସାଧାରଣ ସଭାରେ ରୁଷିଆର ଆକ୍ରମଣକୁ ନେଇ ଆଗତ ନିନ୍ଦା ପ୍ରସ୍ତାବ ଉପରେ ଭୋଟିଂରୁ ଭାରତ ନିବୃତ୍ତ ରହିଥିଲା। ଯୁଦ୍ଧର ମୋଡ଼ ବଦଳିବା ବେଳକୁ ପ୍ରଥମେ ୮ଜୁଲାଇ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କୁ ସାକ୍ଷାତକରିବା ପରେ ଅଗଷ୍ଟ ୨୩ରେ ୟୁକ୍ରେନ୍‌ ଯାଇ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟକରି ଆସିଥିଲେ। ନୂଆଦିଲ୍ଲୀ ଏଭଳି ଅସ୍ପଷ୍ଟ କୂଟନୀତି ଆପଣାଇ ଆସୁଥିବାବେଳେ ଭାରତ -ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ଉତ୍ତେଜନାମୂଳକ ପଦକ୍ଷେପକୁ ଆଗକୁ ସାମ୍ନା କରିବାକୁ ଯଦି କୌଣସି ସମୟରେ ଭାରତକୁ କ୍ୱାଡ୍‌ର ଟାଣୁଆ ସଦସ୍ୟ ଆମେରିକାର ସହାୟତା ଦରକାର ପଡ଼େ, ତେବେ ଚିନ୍ତା କରିବାକୁ ହେବ ଯେ, ସେହି ଦେଶର ସକ୍ରିୟ ସହଯୋଗ ସଙ୍ଗେ ସଙ୍ଗେ ମିଳିବ ନା ନୂଆଦିଲ୍ଲୀର ନୀତି ଭଳି ତାହା ଅସ୍ପଷ୍ଟ ରହିବ।

The post ଅସ୍ପଷ୍ଟ କୂଟନୀତି appeared first on Dharitri Odia News.