ଆଉ ଏକ ଅକସ୍ମାତ ମୃତ୍ୟୁ, ଜିମରେ ବ୍ୟାୟାମ ବେଳେ ଚାଲିଗଲା ଜୀବନ

ଜିମରେ ହାଲୁକା ବ୍ୟାୟାମ କଲାବେଳେ ଜଣେ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି।

ଆଉ ଏକ ଅକସ୍ମାତ ମୃତ୍ୟୁ, ଜିମରେ ବ୍ୟାୟାମ ବେଳେ ଚାଲିଗଲା ଜୀବନ

ଦେଶରେ ଏବେ ଅକସ୍ମାତ ମୃତ୍ୟୁ ବା ହୃଦଘାତଜନିତ ମୃତ୍ୟୁ ବଢ଼ିବାରେ ଲାଗିଛି। କିଏ ଅଫିସରେ ପ୍ରାଣ ହରାଉଛି ତ ଆଉ କିଏ ରାସ୍ତାରେ ଯିବା ବେଳେ ଆଖି ବୁଜୁଛନ୍ତି। ମୃତ୍ୟୁ କେତେବେଳେ କାହାକୁ ପରପାରିକୁ ନେଇ ଯାଉଛି, ତା’ହା କେହି ଜାଣି ପାରୁ ନାହାନ୍ତି।

ଏହିକ୍ରମରେ ଜିମରେ ହାଲୁକା ବ୍ୟାୟାମ କଲାବେଳେ ଜଣେ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରର ଛତ୍ରପତି ଶିମ୍ବାଜୀ ମହାରାଜରେ ଥିବା ଗୋଟିଏ ଜିମରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ କନୱଲଜିତ ସିଂହ ବାଗା। ସେ ଜିମର ମହିଳା ଟ୍ରେନରଙ୍କ ସମେତ ଅନ୍ୟ ୪ ଜଣଙ୍କ ସହ ମିଶି ୱାର୍ଣ୍ଣଅପ ବ୍ୟାୟାମ କରୁଥିଲେ। ସେମାନେ ହାଲୁକା ରନିଂ କରିଥିଲେ ଓ ଆଉ କିଛି ବ୍ୟାୟାମ କରିଥିଲେ। 

ତେବେ ବ୍ୟାୟାମ କଲା ବେଳେ ବାଗା ଅସହଜ ଅନୁଭବ କରିଥିଲେ। ସେ ଗୋଟିଏ କାନ୍ଥର ଆଶ୍ରୟ ନେଉଥିବା ବେଳେ ଅନ୍ୟମାନେ ପୂର୍ବଭଳି ବ୍ୟାୟାମ କରି ଚାଲିଥିଲେ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ବାଗା ସେହି ଠାରେ ହିଁ ଟଳି ପଡ଼ିଥିଲେ।

ଏହା ଦେଖି ସେଠାରେ ଉପସ୍ଥିତ ତାଙ୍କ ସହଯୋଗୀମାନେ ଦୌଡ଼ି ଆସି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।