‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ବୈକୁଣ୍ଠନାଥ ସାହୁ। ଜନ୍ମ ୧୨ା୫ା ୧୯୪୮ରେ। ମା’ ସୀତା ଦେବୀ ଓ ପିତା ନାରାୟଣ ଚନ୍ଦ୍ର ସାହୁ । ଘର କଟକ ଜିଲାର ଆଳି ବ୍ଲକ ଅନ୍ତର୍ଗତ ମାନପୁରରେ। ସେ କୁହନ୍ତି, ‘ସେତେବେଳେ ମୋ ବାପା କଲିକତାରେ […] The post ‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’ appeared first on Dharitri Odia News.

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ବୈକୁଣ୍ଠନାଥ ସାହୁ। ଜନ୍ମ ୧୨ା୫ା ୧୯୪୮ରେ। ମା’ ସୀତା ଦେବୀ ଓ ପିତା ନାରାୟଣ ଚନ୍ଦ୍ର ସାହୁ । ଘର କଟକ ଜିଲାର ଆଳି ବ୍ଲକ ଅନ୍ତର୍ଗତ ମାନପୁରରେ। ସେ କୁହନ୍ତି, ‘ସେତେବେଳେ ମୋ ବାପା କଲିକତାରେ ବ୍ୟବସାୟ କରୁଥିଲେ। ଆମେ ୫ ଭାଇ ଓ ୫ ଭଉଣୀ। ଗୋବିନ୍ଦପୁର ଗୋଦାବରୀଶ ବିଦ୍ୟାଭବନରେ ମୋର ପାଠପଢ଼ା ଆରମ୍ଭ। ସେହି ସମୟରେ ସ୍କୁଲ ପାଠପଢ଼ା ସହିତ ବିଭିନ୍ନ ଗପ ବହି ପଢ଼ିବାକୁ ମୁଁ ଭଲ ପାଉଥିଲି। ଆଖପାଖ ଗାଁରେ ଯେଉଁଠି ସଭାସମିତି ହେଉଥିଲା ସେଠାକୁ ଯାଉଥିଲି। ସଭାସମିତିରେ ଯୋଗ ଦେଉଥିବା ଜଣାଶୁଣା ବ୍ୟକ୍ତିମାନଙ୍କ ଭାଷଣ ମତେ ଖଉବ୍‌ ପ୍ରଭାବିତ କରୁଥିଲା। ସେମାନଙ୍କ କଥା ଏବଂ ବିଭିନ୍ନ ଘଟଣାର ପ୍ରସଙ୍ଗକୁ ନେଇ ମୁଁ ଅନେକ ସମୟରେ ଗପ ଲେଖି ଦେଉଥିଲି। ମୋ ଗାଁର କଜଳ ଲୋଚନା ନଈ ଓ ଗଛଲତାର ପତ୍ରଗହଳ ଆଢୁଆଳରେ ମୁହଁ ଲୁଚାଇଲା ପରି ଦୂରଦିଗନ୍ତରୁ ଦିଶୁଥିବା ମୋ ପଲ୍ଲୀଗାଁ ଏବଂ ତା’ର ସାଧାରଣ ଲୋକଙ୍କ ସରଳ ମୁହଁ ମତେ ସର୍ବଦା ମନ୍ତ୍ରମୁଗ୍ଧ କରୁଥିଲା। ଯାହା ମତେଗଳ୍ପ ଲେଖିବାର ଖୋରାକ ଦେଉଥିଲା। ଏ ଭିତରେ ମୋର କେତୋଟି କବିତା ‘ଝଙ୍କାର’ରେ ପ୍ରକାଶିତ ହୋଇଥିଲା। ଯାହା ମତେ ଖୁସିରେ ଆତ୍ମହରା କରି ଦେଇଥିଲା।

୧୯୬୫ ମସିହାରେ ଉଚ୍ଚଶିକ୍ଷା ପାଇଁ କଟକ ଆସିଲି, ରେଭେନ୍‌ସା କଲେଜରେ ଅର୍ଥନୀତି ପଢ଼ିଲି । ସମୟକ୍ରମେ ଏମ୍‌.ଏ. ସାରିଲି। କଟକରେ ରହୁଥିବା ବେଳେ ଅନ୍ନପୂର୍ଣ୍ଣା ଥିଏଟର ଓ ଜନତା ରଙ୍ଗମଞ୍ଚ ଏବଂ କଳାବିକାଶ କେନ୍ଦ୍ର ଆଦିକୁ ବୁଲି ଯାଉଥିଲି। ବିଭିନ୍ନ ନାଟକ ଦେଖୁଥିଲି। ନାଟକ ଦେଖିବାର ନିଶା ମୋ ମନରେ କ୍ଷୁଦ୍ରନାଟକ ଲେଖିବା ପାଇଁ ଆଗ୍ରହ ସୃଷ୍ଟି କରିଥିଲା। ଆକାଶବାଣୀରେ ବେତାର ନାଟକ ଭାବେ ‘ଉର୍ମୀ’, ‘ପାଷାଣଜ୍ୟୋତ୍ସ୍ନା’, ‘ସାବରମତିରୁ ରାଜଘାଟଯାଏ’, ‘ସହର ସୁନ୍ଦରୀ’, ‘କନ୍ୟାଦାନ’, ‘ଅନେକପଥ’, ‘ଦୁଃଖସରେନାହିଁ’ ଆଦି ପ୍ରସାରଣ କରାଯିବାରୁ ମୋର ଏକ ଭିନ୍ନ ପରିଚୟ ସୃଷ୍ଟିହେଲା। କିନ୍ତୁ ଅର୍ଥନୀତିରେ ପାଠପଢ଼ି ଥିବାରୁ ଭବିଷ୍ୟତରେ ଜଣେ ବ୍ୟାଙ୍କ ଅଫିସର ହେବି ବୋଲି ଆଶା ଥିଲା । ହେଲେ ୧୯୭୫ରେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଲି। ପ୍ରଥମେ ବୌଦ୍ଧ ଜିଲାରେ ମୋର ଚାକିରି ଜୀବନ ଆରମ୍ଭ ହୋଇଥିଲା ଜଣେ ସବ୍‌ଡିଭିଜନାଲ ଅଫିସର ଭାବେ। ପରେ କୋରାପୁଟ ଜିଲାର ଖଇରପୁଟ ବ୍ଲକ ବିଡିଓ ହେଲି। ତା’ପରେ ଜଗତ୍‌ସିଂହପୁର ବାଲିକୁଦା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କଲି। ଏମିତିରେ ପ୍ରାୟ ୨୦ଟି ଜିଲାର କେତେକ ଅଞ୍ଚଳରେ ସରକାରୀ ଅଧିକାରୀଭାବେ କାର୍ଯ୍ୟ କରିଥିଲି। ଚାକିରି ଜୀବନରେ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଉଥିବାରୁ ବିଭିନ୍ନ ଅଞ୍ଚଳର ଭାଷା, ସାହିତ୍ୟ ଓ ଲୋକସଂସ୍କୃତିକୁ ଜାଣିବାର ସୌଭାଗ୍ୟ ଅର୍ଜନ କଲି। ବିଭିନ୍ନ ଘଟଣା ସମ୍ପର୍କରେ ଅବଗତ ହେଲି। ଅନେକ ଅନୁଭୂତି ମୋ ଭିତରେ ଠୁଳ ହେଲା। ଲେଖିବାକୁ ଇଚ୍ଛା ହେଉଥିବାରୁ ଲେଖିଚାଲିଛି। ବିଶେଷକରି ଆଦିବାସୀଙ୍କ ଜନଜୀବନର ଘଟଣାକୁ ନେଇ ଏକାଧିକ ଗଳ୍ପ, କବିତା ଓ ନାଟକ ଲେଖିସାରିଛି। ଗୋଟିଏ କଥା ମନେପଡ଼ୁଛି। ଚାକିରି ସମୟରେ ବୌଦ୍ଧଜିଲାରେ ରହିଥିବା ବେଳେ ଥରେ ଏକ ନିର୍ବାଚନ ବେଳେ କଂସାଗରା ଏକ ଆଦିବାସୀ ଗାଁକୁ ଯାଇଥିଲି।

ଏଠାରେ ପହଞ୍ଚିଲା ପରେ, ଜଣେ ବ୍ୟକ୍ତି ହଠାତ୍‌ ମୋ ପାଖକୁ ଆସି ମତେ ପଚାରିଥିଲେ, ସାର୍‌ ଯାହାକୁ ଆମେ ନେତା ବାଛିବୁ, ସିଏ ଆମ ପରିବାରର ଉନ୍ନତି କରିବ ତ? ତାଙ୍କ ଅସହାୟତା ମତେ ବ୍ୟତିବ୍ୟସ୍ତ କରିପକାଇଲା। ତାକୁ ନେଇ ଗୋଟିଏ କବିତା ଓ ଗୋଟିଏ ଗପଟିଏ ଲେଖିଥିଲି। ଏହିକଥା ଏବେବି ମୋ ମନକୁ ଆନ୍ଦୋଳିତ କରେ। ମୁଁ ଲେଖିଥିବା ୮ଟି କବିତା ସଙ୍କଳନ ମଧ୍ୟରେ ‘ସତ୍ୟପାଠ’, ‘ସମୟର ଛବିଦେଖା’, ‘ପାଣିରେ ଘର ଓ ଗାଁ’, ‘କୁତବମୀନାର କାନ୍ଦି ପାରେନା’, ‘ବାଟବଣା ନଦୀ’, ‘ମୁଁ ଖଣ୍ଡେ ଭାସମାନ ମେଘ’, ‘ହୃଦୟ କୁଞ୍ଜ’, ‘ତାରିଖ ବଦଳି ଯାଏ’ ଆଦି ପୁସ୍ତକ ପ୍ରକାଶିତ ହୋଇସାରିଛି। ୪୦ବର୍ଷ ଧରି ଲେଖାଲେଖି ଅଭ୍ୟାସ ଜାରି ରହିଛି। ଏଥିରେ ଆନନ୍ଦ ପାଉଛି। ରଚନା କରିଥିବା ବିଭିନ୍ନ ନାଟକଗୁଡିକ ଓଡ଼ିଶାର କେତୋଟି ସୌଖୀନ ରଙ୍ଗମଞ୍ଚର କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇସାରିଛି। ପୁଣି କେତେକ ନାଟକ କଟକ ଆକାଶବାଣୀ ଏବଂ ଦୂରଦର୍ଶନରେ ପ୍ରସାରିତ ହୋଇଛି। ଅନ୍ୟପକ୍ଷେ ‘ରାଜପୁତ୍ରର ଲୁହ’, ‘ହେ ରାମ’, ‘ଇତିହାସର ପ୍ରଥମ ପୃଷ୍ଠା’ ଆଦି ଗଳ୍ପ ଏବଂ ‘ଲକ୍ଷ୍ମଣ ନାୟକ’, ‘ବିର୍ସାମୁଣ୍ଡା’, ‘ହେ ଗାନ୍ଧୀ ବିଦାୟ’ ଆଦି ବିଭିନ୍ନ ପ୍ରସଙ୍ଗରେ ମୁଁ ଲେଖିଛି। ଏହାଛଡ଼ା ଏକ ତ୍ରୈମାସିକ ସାହିତ୍ୟ ପତ୍ରିକା ମନୀଷାକୁ ଦୀର୍ଘ ୧୨ବର୍ଷ ଧରି ସମ୍ପାଦନା କରିଆସୁଛି। ପୁରସ୍କାର ଭାବେ ଗୋକର୍ଣ୍ଣିକା ସାହିତ୍ୟ ସମ୍ମାନ, ବେଦବ୍ୟାସ ସାହିତ୍ୟ ସମ୍ମାନ, ପରାଗ ପୁରସ୍କାର, ବୈଶାଖୀ ସାହିତ୍ୟ ଆଦି ଏକାଧିକ ସମ୍ମାନ ଓ ପୁରସ୍କାର ମିଳିସାରିଛି। ପରିବାର କହିଲେ ମୋର ଗୋଟିଏ ପୁଅ, ଏକମାତ୍ର ଝିଅ ଏବଂ ପତ୍ନୀଙ୍କୁ ନେଇ ଭୁବନେଶ୍ୱରରେ ରହୁଛି। ମୋର ଗୋଟିଏ ଇଛା ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି। -ବନବିହାରୀ

The post ‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’ appeared first on Dharitri Odia News.