ଆଖିବୁଜି ଅତିଥି ଶିକ୍ଷକ ନିଯୁକ୍ତି

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତି ବରଗଡ଼ ଜିଲାରେ ହଇଚଇ ସୃଷ୍ଟି କରିଛି। ପ୍ରସଙ୍ଗ ନୂଆ ନ ହେଲେ ମଧ୍ୟ ଏହାକୁ ନେଇ ଜିଲା ଶିକ୍ଷା ବିଭାଗ ଉଠୁଛି ଓ ପଡ଼ୁଛି। ଜିଲାସାରା ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଡ଼ନ ସୃଷ୍ଟି କରିଛି। ନକଲି ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷଧ୍‌ୟତ ଲଦି ଦେବାକୁ ଅଭିଭାବକମାନେ ମଧ୍ୟ ଚାହୁଁ ନାହାନ୍ତି। ଏ ନେଇ ଜିଲା ଅଭିଭାବକ ସଂଘ ଜିଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ ହୋଇ ସ୍ମାରକପତ୍ର ମଧ୍ୟ ପ୍ରଦାନ […] The post ଆଖିବୁଜି ଅତିଥି ଶିକ୍ଷକ ନିଯୁକ୍ତି appeared first on Dharitri Odia News.

ଆଖିବୁଜି ଅତିଥି ଶିକ୍ଷକ ନିଯୁକ୍ତି

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତି ବରଗଡ଼ ଜିଲାରେ ହଇଚଇ ସୃଷ୍ଟି କରିଛି। ପ୍ରସଙ୍ଗ ନୂଆ ନ ହେଲେ ମଧ୍ୟ ଏହାକୁ ନେଇ ଜିଲା ଶିକ୍ଷା ବିଭାଗ ଉଠୁଛି ଓ ପଡ଼ୁଛି। ଜିଲାସାରା ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଡ଼ନ ସୃଷ୍ଟି କରିଛି। ନକଲି ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷଧ୍‌ୟତ ଲଦି ଦେବାକୁ ଅଭିଭାବକମାନେ ମଧ୍ୟ ଚାହୁଁ ନାହାନ୍ତି। ଏ ନେଇ ଜିଲା ଅଭିଭାବକ ସଂଘ ଜିଲା ଶିକ୍ଷା ଅଧିକାରୀଙ୍କୁ ଫେରାଦ ହୋଇ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛି। ଅଭିଯୋଗ ପାଇବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଜିଲାର କେତେକ ନିର୍ଦ୍ଦିଷ୍ଟ ବ୍ଲକରେ କାର୍ଯ୍ୟରତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିଭିନ୍ନ ପ୍ରମାଣପତ୍ର ଆଦି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟ କେତେକ ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବ୍ଲକର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ପ୍ରଧାନ ଶିକ୍ଷକମାନଙ୍କୁ ଯାଞ୍ଚ ନେଇ ଏକ ଚିଠି ଇସୁ କରି ହାତବାନ୍ଧି ବସିଛନ୍ତି। ସେହିପରି କେତେକ ବ୍ଲକ ଶିକ୍ଷା ଅଧିକାରୀ ପ୍ରମାଣପତ୍ର ଯାଞ୍ଚ ପାଇଁ ଏପର୍ଯ୍ୟନ୍ତ ଏଥିରୁ ସେମାନଙ୍କ କାର୍ଯ୍ୟଦକ୍ଷତା ପଦାରେ ପଡ଼ିଥିବାବେଳେ ସେମାନଙ୍କ ଭୂମିକାକୁ ନେଇ ମଧ୍ୟ ନାନା ସନ୍ଦେହ ଉପୁଜିଛି। ତେବେ ଜିଲାରେ ଏଭଳି ନକଲି ଶିକ୍ଷକ ନିଯୁକ୍ତି ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଚଳିତ ମାସରେ ଜିଲାର ବିଭିନ୍ନ ବିଦ୍ୟାଳୟରେ ଅତିଥି ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ନେଇ ଜିଲା ଶିକ୍ଷା ବିଭାଗ ପୁଣି ପ୍ରଶ୍ନଘେରକୁ ଆସିଛି।
ଅତିଥି ଶିକ୍ଷକ ନିଯୁକ୍ତିରେ ଅବସରପ୍ରାପ୍ତ ଶିକ୍ଷକ(ବୟସ ୬୫ବର୍ଷ ମଧ୍ୟରେ ସୀମିତ)ଙ୍କୁ ନିଯୁକ୍ତି ଦେବାର ପ୍ରାବଧାନ ରହିଛି। କିନ୍ତୁ ନକଲି ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ନେଇ ଜିଲା ଉଠୁଥିବା, ପଡ଼ୁଥିବାବେଳେ ୨ଯୁବତୀ, ଯୁବକଙ୍କୁ ଅତିଥି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ ନିଯୁକ୍ତି ଦେବା ଏବଂ ଅଭିଯୋଗ ହେବା ପରେ ସେମାନଙ୍କ ନିଯୁକ୍ତି ବାତିଲ କରାଯିବା ଘଟଣାରୁ ଜିଲା ଶିକ୍ଷା ବିଭାଗର ଅସଲି ମୁଖା ଖୋଲି ଯାଇଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ପଚାରିବାରୁ ସେ କହିଥଲେ, ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ସେଭଳି କିଛି ଅନିୟମିତତା ହୋଇନାହିଁ। ଭୁଲକ୍ରମେ ସେଭଳି ୨ଜଣ ଯୁବତୀ, ଯୁବକଙ୍କୁ ନିଯୁକ୍ତି ଦିଆଯାଇଥିଲା, ଜାଣିବା ପରେ ତତ୍କାଳ ସେମାନଙ୍କ ନିଯୁକ୍ତିକୁ ବାତିଲ କରି ଦିଆଯାଇଛି ବୋଲି ସେ କହିଥିଲେ। ଏଥିରୁ ଅତିଥି ନିଯୁକ୍ତି ପ୍ରକ୍ରିୟାରେ ବିଭାଗୀୟ କର୍ତ୍ତୃପକ୍ଷ କିଭଳି ଖାମଖିଆଲି ଭାବେ ଆବେଦନକାରୀଙ୍କ ଉର୍ଦ୍ଦିଷ୍ଟ ପ୍ରମାଣପତ୍ର ଯାଞ୍ଚ କରିଥିବେ ନା ଏହାପଛରେ ଅନ୍ୟ ରହସ୍ୟ ରହିଛି, ତାହା ସହଜରେ ଅନୁମେୟ। ଅତିଥି ଶିକ୍ଷକ ନିଯୁକ୍ତି ସମୟରେ ଯଦି ଜିଲା ଶିକ୍ଷା ବିଭାଗ ଏଭଳି ଭୁଲ କରୁଛି, ତେବେ ନକଲି ଶିକ୍ଷକ ନିଯୁକ୍ତି ଯାଞ୍ଚ ପ୍ରକ୍ରିୟାରେ ଏହି ବିଭାଗର କାର୍ଯ୍ୟକଳାପରେ କେତେ ସ୍ବଚ୍ଛତା ରହିବ, ତାହା ଯାଞ୍ଚ ପ୍ରକ୍ରିୟା ସରିବା ପରେ ଜଣାପଡ଼ିବ। ତେବେ ଏ ନେଇ ଜିଲା ଶିକ୍ଷା ଅଧିକାରୀ ଛତ୍ରୀ କହିଛନ୍ତି, ଏହି ଯାଞ୍ଚ ପ୍ରକ୍ରିୟା ଦୀର୍ଘମିଆଦୀ। ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଡିଗ୍ରୀ ପ୍ରମାଣପତ୍ରର ଯାଞ୍ଚ ରିପୋର୍ଟ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ମଗାଯିବ ଏବଂ ସେହି ଯାଞ୍ଚ ରିପୋର୍ଟକୁ ଆଧାର କରି କାର୍ଯାନୁଷ୍ଠାନ ନିଆଯିବ। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ବିଭିନ୍ନ ବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ, ଜିଲାରେ ୧୧୪ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଥିଲା। ତେବେ ଅତିଥି ଶିକ୍ଷକ ନିଯୁକ୍ତି ଗାଇଡ୍‌ଲାଇନ ଅନୁଯାୟୀ, କେବଳ ଅବସରପ୍ରାପ୍ତ ଶିକ୍ଷକ, ଯାହାଙ୍କ ବୟସ ୬୫ବର୍ଷ ଅତିକ୍ରାନ୍ତ କରି ନ ଥିବ, ସେମାନେ ଏହି ପଦବୀ ପାଇଁ ଯୋଗ୍ୟ ଅଟନ୍ତି ଏବଂ ସେମାନଙ୍କ ନିଯୁକ୍ତି ସ୍ଥାୟୀ ମଧ୍ୟ ନୁହେଁ। ନିଯୁକ୍ତ ଅତିଥି ଶିକ୍ଷକଙ୍କ ମାସିକ ଦରମା ୧୨ହଜାର ଟଙ୍କା ରହିଥିବାବେଳେ ମାସିକ ସେମାନଙ୍କ କାର୍ଯ୍ୟ ଦିବସ ଅତିକମ୍‌ରେ ୨୦ଦିନ(ଛୁଟିଦିନ ବ୍ୟତୀତ) ଧାର୍ଯ୍ୟ କରାଯାଇଛି। ଏହାକୁ ଭିତ୍ତି କରି ଜିଲା ଶିକ୍ଷା ବିଭାଗ ଗତ ୧୮ତାରିଖ ୧୦୯ଜଣଙ୍କୁ ଅତିଥି ଭାବେ ନିଯୁକ୍ତି ଦେଇଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଗତ ୧୮ତାରିଖ ଜିଲା ଶିକ୍ଷା ନିଯୁକ୍ତି ଆଦେଶ ଜାରି କରିଥିବାବେଳେ ଉକ୍ତ ଦିନ ହିଁ ନିର୍ଦ୍ଧାରିତ ବିଦ୍ୟାଳୟରେ ଯୋଗଦାନ ପାଇଁ ସମ୍ପୃକ୍ତ ଅତିଥି ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲା। ସେହିପରି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ହିଁ କେବଳ ଅତିଥି ଶିକ୍ଷୟିତ୍ରୀ, ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ହୋଇଥିବାବେଳେ ସରକାରୀ ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ କେବେ କୌଣସି ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରି ନ ଥିବା ୨ଯୁବତୀ, ଯୁବକଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ମିଳିଥିଲା। ତେବେ ସମ୍ପୃକ୍ତ ଯୁବତୀ, ଯୁବକ ସେମାନଙ୍କ ପାଇଁ ନିର୍ଦ୍ଦାରିତ ବିଦ୍ୟାଳୟକୁ ଯୋଗଦାନ କରିବାକୁ ଯିବାବେଳେ ସେମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକଙ୍କ ହାତରେ ଧରାପଡ଼ିଥିଲେ ଏବଂ ଏ ନେଇ ଅଭିଯୋଗ ହେବା ପରେ ଜିଲା ଶିକ୍ଷା ଅଧିକାରୀ ଉଭୟଙ୍କ ନିଯୁକ୍ତିକୁ ବାତିଲ କରିଥିଲେ। ଅନ୍ୟପଟେ ଏପର୍ଯ୍ୟନ୍ତ ୧୦୫ ଅତିଥି ଶିକ୍ଷୟିତ୍ରୀ, ଶିକ୍ଷକ ଯୋଗଦାନ କରିଥିବା ସୂଚନା ମିଳିଛି।

The post ଆଖିବୁଜି ଅତିଥି ଶିକ୍ଷକ ନିଯୁକ୍ତି appeared first on Dharitri Odia News.