ଆଗକୁ ଅଗ୍ନିପିଣ୍ଡୁଳା ପାଲଟିବ ଓଡ଼ିଶା ! ୫ ଦିନ ପାଇଁ ୧୦ ଜିଲ୍ଲାକୁ ସତର୍କବାଣୀ

ଗଜପତି, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି।

ଆଗକୁ ଅଗ୍ନିପିଣ୍ଡୁଳା ପାଲଟିବ ଓଡ଼ିଶା ! ୫ ଦିନ ପାଇଁ ୧୦ ଜିଲ୍ଲାକୁ ସତର୍କବାଣୀ

କଳାହାଣ୍ଡି ହେଉ କି ବାରିପଦା। ସବୁଠି ଖରାର ତାଉ। ଅସହ୍ୟ ଗୁଳୁଗୁଳି। ଘରୁ ବାହାରିବାକୁ ଡରିଲେଣି ଲୋକେ। ଏଭଳି ସ୍ଥିତିରେ ପାଣିପାଗ ବିଭାଗ ଆକଳନ କଲାଣି, ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ। ଜଳିବ ଓଡ଼ିଶା, ସିଝି ଯିବେ ଲୋକେ । ୭ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଟପିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି, ଗତ ୯ ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ଗତକାଲି ୧୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ହେଲେ ଆଗାମୀ ୫ ଦିନ ରାଜ୍ୟରେ ତାତି ଆହୁରି ବଢ଼ିବ। ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର ଭଳି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଦେଖିବାକୁ ମିଳିବ। ଖାଲି ସେତିକି ନୁହେଁ, ଏହି ସମୟରେ ଗଜପତି, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି।

ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟରେ ବଢ଼ିଚାଲିଛି ଅଂଶୁଘାତ ରୋଗୀଙ୍କ ସଂଖ୍ୟା । ଏମିତିକି ଅଂଶୁଘାତରେ ବିଭିନ୍ନ ଜିଲ୍ଲାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲାଣି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୮ ଜିଲ୍ଲାରେ ଅଂଶୁଘାତ ଓ ତାତିଜନିତ ସମସ୍ୟା ଯୋଗୁ ୧୨୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ, ଖୋର୍ଦ୍ଧାରୁ ୨୭, ମୟୂରଭଞ୍ଜରୁ ୨୧, ଝାରସୁଗୁଡ଼ାରୁ ୧୪ ଓ ଅନୁଗୁଳରୁ ୧୦ ଜଣ ଅଂଶୁଘାତ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଂଶୁଘାତ ଯୋଗୁ ଜଣଙ୍କର ମୃତ୍ୟୁକୁ ସରକାର ସ୍ୱୀକାର କରିଥିବା ବେଳେ ଅନ୍ୟ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

ଏସବୁ ଭିତରେ ଆଜି ଅପରାହ୍ଣରେ ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ସମେତ ଅନେକ ଉପକୂଳ ଜିଲ୍ଲାରେ କାଳବୈଶାଖୀ ଯୋଗୁ ଲୋକଙ୍କୁ ତାତିରୁ ସାମୟିକ ମୁକ୍ତି ମିଳିଛି।