ଆଗକୁ ଡାଲି ସଙ୍କଟ; ମହଙ୍ଗା ହେବ ବଜାର ଦର
ନୂଆଦିଲ୍ଲୀ : ଦେଶରେ ଡାଲି ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଅପେକ୍ଷା ଖୋଲା ବଜାରରେ ଡାଲି ମୂଲ୍ୟ ଅଧିକ ଥିବାରୁ ସରକାରୀ କ୍ରୟ ପ୍ରଭାବିତ ହୋଇଛି। ଏହି କାରଣରୁ ସରକାରୀ ଗୋଦାମରେ ଡାଲିର ବଫର ଷ୍ଟକ୍ ଏହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ପରିସ୍ଥିତିରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ଡାଲି ଦର ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ବଡ଼ କଷ୍ଟକର ହୋଇଯିବ। ତଥାପି, ସରକାର ମଟର ଡାଲି ଆମଦାନୀ […]

ନୂଆଦିଲ୍ଲୀ : ଦେଶରେ ଡାଲି ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଅପେକ୍ଷା ଖୋଲା ବଜାରରେ ଡାଲି ମୂଲ୍ୟ ଅଧିକ ଥିବାରୁ ସରକାରୀ କ୍ରୟ ପ୍ରଭାବିତ ହୋଇଛି। ଏହି କାରଣରୁ ସରକାରୀ ଗୋଦାମରେ ଡାଲିର ବଫର ଷ୍ଟକ୍ ଏହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ପରିସ୍ଥିତିରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ଡାଲି ଦର ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ବଡ଼ କଷ୍ଟକର ହୋଇଯିବ। ତଥାପି, ସରକାର ମଟର ଡାଲି ଆମଦାନୀ କରି ଅଭାବ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି।
କେନ୍ଦ୍ର ସରକାର ଚାଷୀଙ୍କଠାରୁ ୧୦୦% ହରଡ, ମୁଗ ଏବଂ ମସୁର ଡାଲି କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ଖୋଲା ବଜାରରେ ଏହାର ଦର ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ଅଧିକ ରହିଥିବା ମୂଲ୍ୟ ହେତୁ ଆବଶ୍ୟକତା ଅନୁଯାୟୀ ସରକାରଙ୍କ ଦ୍ବାରା ଡାଲି କ୍ରୟ କରାଯାଇପାରୁନାହିଁ। ଏହାର ସିଧାସଳଖ ପ୍ରଭାବ ବଫର ଷ୍ଟକ ଉପରେ ପଡ଼ିବା ଆରମ୍ଭ ହୋଇଛି। ଯାହରାର ଫଳସ୍ବରୂପ ଡାଲିର ଷ୍ଟକ୍ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ସ୍ଥିତି ଆଗାମୀ ଦିନରେ ଘରୋଇ ବଜାରରେ ବଡ଼ ଡାଲି ସଙ୍କଟ ସୃଷ୍ଟି କରିବ। ବର୍ତ୍ତମାନ ଘରୋଇ ବଜାରରେ ବିଭିନ୍ନ କିସମର ହରଡ ଡାଲି କିଲୋ ପିଛା ୧୫୦ରୁ ୧୬୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିପରି ମୁଗ ଡାଲି କିେଲା ପିଛା ୧୧୦ ଟଙ୍କା ରହିଥିବାବେଳେ ମସୁର ଡାଲି କିଲୋ ପିଛା ୧୦୦-୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏଥିସହ ବୁଟ ଡାଲି କିଲୋ ପିଛା ୧୨୦ ଟଙ୍କା ରହିଛି। ସାମ୍ପ୍ରତିକ ବଫର ଷ୍ଟକର ଅବସ୍ଥା ଦେଖିବା ପରେ ଡାଲି ମୂଲ୍ୟ ବୃଦ୍ଧି ସମ୍ଭାବନାକୁ ବିଚାରକୁ ନେଇ କେନ୍ଦ୍ର ସରକାର ହଳଦିଆ ମଟର ଡାଲି ଆମଦାନୀ କରି କ୍ଷତି ଭରିବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ବର୍ଷରେ ୬୭ ଲକ୍ଷ ଟନ୍ରୁ ଅଧିକ ଡାଲି ଆମଦାନୀ ହୋଇଛି, ଯେଉଁଥିରୁ ୩୧ ଲକ୍ଷ ଟନ୍ କେବଳ ହଳଦିଆ ମଟର। ଏହାର ଶୁଳ୍କ ଫ୍ରି ଅବଧି ମଧ୍ୟ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ ଯେ, ଯେତେବେଳେ ଯୋଗାଣ ଚାହିଦା ତୁଳନାରେ କମ୍ ଥାଏ କିମ୍ବା ମୂଲ୍ୟ ବୃଦ୍ଧିର ସମ୍ଭାବନା ଥାଏ, ସେତେବେଳେ ବଫର ଷ୍ଟକରୁ ଏକ ଜିନିଷକୁ ବାହାର କରିଦିଆଯାଏ। ଦେଶରେ ପ୍ରତିବର୍ଷ ପ୍ରାୟ ତିନିଶହ ଲକ୍ଷ ଟନ୍ ଡାଲିର ବ୍ୟବହାର ହୁଏ, କିନ୍ତୁ ଏତେ ପରିମାଣରେ ଉତ୍ପାଦନ ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ, ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ଏବଂ ଆମଦାନୀ କରି ଷ୍ଟକ୍କୁ ସୁଦୃଢ଼ କରାଯାଏ। ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ, ସରକାରୀ ବଫର ଷ୍ଟକରେ ଅତି କମରେ ୩୫ ଲକ୍ଷ ଟନ୍ ଡାଲି ରହିବା ଉଚିତ। ୨୦୨୧-୨୨ ବର୍ଷରେ ଏହା ୩୦ ଲକ୍ଷ ଟନ୍ ଏବଂ ୨୦୨୨-୨୩ ରେ ୨୮ ଲକ୍ଷ ଟନ୍ ଥିଲା। ହେଲେ ଚଳିତବର୍ଷ ବର୍ତ୍ତମାନ ବଫର ଷ୍ଟକରେ ଅଧାରୁ କମ୍ ଡାଲି ଉପଲବ୍ଧ। ସୂତ୍ର ଅନୁଯାୟୀ, ସରକାରୀ ଏଜେନ୍ସି ନାଫେଡ୍ ଏବଂ ଏନ୍ସିସିସିର ଷ୍ଟକରେ କେବଳ ୧୪.୫ ଲକ୍ଷ ଟନ୍ ଡାଲି ବାକି ରହିଛି।
ଦେଶରେ ହରଡ ଡାଲିର ସର୍ବାଧିକ ଚାହିଦା ରହିଛି, କିନ୍ତୁ ବଫର ଷ୍ଟକ୍ରେ ଏହାର ପରିମାଣ ମାତ୍ର ୩୫ ହଜାର ଟନ୍। ଏପରି ପରିସ୍ଥିତିରେ ସରକାରଙ୍କ ଚିନ୍ତା ବଢ଼ିବା ନିଶ୍ଚିତ। କ୍ରୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଆଡୁ ୧୩.୨୦ ଲକ୍ଷ ଟନ୍ ହରଡ ଡାଲି କ୍ରୟ ଯୋଜନା ରହିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ସରକାରୀ ଏଜେନ୍ସିଗୁଡ଼ିକ ଡାଲି କିଣିବା ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନ ସରକାରୀ ସ୍ତରରେ ମୁଗ, ମସୁର ଏବଂ ବୁଟ ଡାଲିର ଷ୍ଟକ୍ ହ୍ରାସ ପାଇଛି। ଏମଏସପିରେ ଡାଲି କ୍ରୟ ବନ୍ଦ ହେବା ଯୋଗୁଁ, ବଫର ଷ୍ଟକ୍ ପ୍ରଭାବିତ ହୋଇଛି। ସରକାର ୨୦୨୪-୨୫ ଋତୁ ପାଇଁ ହରଡ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୭,୫୫୦ ଟଙ୍କା ସ୍ଥିର କରିଛନ୍ତି। ପୂର୍ବ ବର୍ଷଗୁଡ଼ିକରେ ବଜାରରେ ଏହାର ମୂଲ୍ୟ କ୍ୱିଣ୍ଟାଲ ପିଛା ୯୦୦୦ ରୁ ୧୦,୦୦୦ ଟଙ୍କା ଥିଲା। ତେଣୁ, ଚାଷୀମାନେ ସରକାରୀ କ୍ରୟ ଏଜେନ୍ସିଗୁଡ଼ିକୁ ଡାଲି ବିକ୍ରି କରିବାକୁ ମନା କରିଦେଲେ।