ଆଗୁଆ ଆସିଲା, କାଁ ଭାଁ ଛିଞ୍ଚିଲା... ଆଉ ଏବେ ମୌସୁମୀ ନିଖୋଜ

ଭୁବନେଶ୍ୱର ୦୨।୦୬ : ଦି’ ସପ୍ତାହ ଆଗୁଆ ଆସିଲା । କାଁ ଭାଁ ଟିକେ ଟିକେ ଛିଞ୍ଚିଲା । ଲୋକଙ୍କ ମୁହଁରେ ଗ୍ରୀଷ୍ମରୁ ଆଶ୍ୱସ୍ତିର ହସ ଫୁଟାଇଲା। କିନ୍ତୁ ପୁଣି ଲୁଚିଗଲା । ଏ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କାହାଣୀ ।  ମୌସୁମୀ ଏବେ ନିଖୋଜ । ଓଡ଼ିଶାକୁ  ଛୁଇଁ ଦେଇ କୁଆଡ଼େ ଲୁଚିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେଉଁଠି ତା’ ଚିହ୍ନବର୍ଣ୍ଣ  ଦେଖାଯାଉନି। ଏପଟେ ବାଦଲକୁ ଚିରି ଖରା ତାଉ ଦେଖାଇଲାଣି । ଗରମ, ଗୁଳୁଗୁଳି ବଢ଼ିଛି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ  ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା  ହୋଇପାରେ। ଆସନ୍ତା ୪ ତାରିଖରୁ ଉପକୂଳ  ଅଞ୍ଚଳରେ ଗରମ ସହିତ ଗୁଳୁଗୁଳି ଆହୁରି ବଢ଼ିବ, ଜନଜୀବନକୁ ଛଟପଟ କରିପାରେ । ମୋଟାମୋଟି କହିବାକୁ ଗଲେ, ମୌସୁମୀ ହଜିବା ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ  ସେଲସିୟସ୍‌ ପାଖାପାଖି ପହଞ୍ଚିଛି। ରାଜ୍ୟର ୧୯ଟି ସହରରେ ତାପମାତ୍ରା ୩୭-୪୦ ଡିଗ୍ରୀ  ଭିତରେ ଥିଲା। ରବିବାର ପାରଳାଖେମୁଣ୍ଡି  ତାପମାତ୍ରା ୩୯.୪ ଡିଗ୍ରୀ ଥିବାବେଳେ ଖୋର୍ଦ୍ଧା  ୩୮.୫, ଭୁବନେଶ୍ୱର ୩୮, ନୟାଗଡ଼ ୩୮  ଡିଗ୍ରୀ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ  ନୟାନ୍ତ ହୋଇଥିଲା । ଉପକୂଳରେ ପ୍ରାୟତଃ  ପାରଦ ୩୭ ଡିଗ୍ରୀ ପାର୍‌ କରିଥିବାବେଳେ  ଆର୍ଦ୍ରତା ଦିନ ତମାମ ୫୦ରୁ ୭୦% ମଧ୍ୟରେ  ଥିଲା । ଆଭ୍ୟନ୍ତରୀଣ

ଆଗୁଆ ଆସିଲା, କାଁ ଭାଁ ଛିଞ୍ଚିଲା... ଆଉ ଏବେ ମୌସୁମୀ ନିଖୋଜ

ଭୁବନେଶ୍ୱର ୦୨।୦୬ : ଦି’ ସପ୍ତାହ ଆଗୁଆ ଆସିଲା । କାଁ ଭାଁ ଟିକେ ଟିକେ ଛିଞ୍ଚିଲା । ଲୋକଙ୍କ ମୁହଁରେ ଗ୍ରୀଷ୍ମରୁ ଆଶ୍ୱସ୍ତିର ହସ ଫୁଟାଇଲା। କିନ୍ତୁ ପୁଣି ଲୁଚିଗଲା । ଏ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କାହାଣୀ ।  ମୌସୁମୀ ଏବେ ନିଖୋଜ । ଓଡ଼ିଶାକୁ  ଛୁଇଁ ଦେଇ କୁଆଡ଼େ ଲୁଚିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେଉଁଠି ତା’ ଚିହ୍ନବର୍ଣ୍ଣ  ଦେଖାଯାଉନି। ଏପଟେ ବାଦଲକୁ ଚିରି ଖରା ତାଉ ଦେଖାଇଲାଣି । ଗରମ, ଗୁଳୁଗୁଳି ବଢ଼ିଛି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ  ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା  ହୋଇପାରେ। ଆସନ୍ତା ୪ ତାରିଖରୁ ଉପକୂଳ  ଅଞ୍ଚଳରେ ଗରମ ସହିତ ଗୁଳୁଗୁଳି ଆହୁରି ବଢ଼ିବ, ଜନଜୀବନକୁ ଛଟପଟ କରିପାରେ । ମୋଟାମୋଟି କହିବାକୁ ଗଲେ, ମୌସୁମୀ ହଜିବା ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ । 

ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ  ସେଲସିୟସ୍‌ ପାଖାପାଖି ପହଞ୍ଚିଛି। ରାଜ୍ୟର ୧୯ଟି ସହରରେ ତାପମାତ୍ରା ୩୭-୪୦ ଡିଗ୍ରୀ  ଭିତରେ ଥିଲା। ରବିବାର ପାରଳାଖେମୁଣ୍ଡି  ତାପମାତ୍ରା ୩୯.୪ ଡିଗ୍ରୀ ଥିବାବେଳେ ଖୋର୍ଦ୍ଧା  ୩୮.୫, ଭୁବନେଶ୍ୱର ୩୮, ନୟାଗଡ଼ ୩୮  ଡିଗ୍ରୀ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ  ନୟାନ୍ତ ହୋଇଥିଲା । ଉପକୂଳରେ ପ୍ରାୟତଃ  ପାରଦ ୩୭ ଡିଗ୍ରୀ ପାର୍‌ କରିଥିବାବେଳେ  ଆର୍ଦ୍ରତା ଦିନ ତମାମ ୫୦ରୁ ୭୦% ମଧ୍ୟରେ  ଥିଲା । ଆଭ୍ୟନ୍ତରୀଣ ଓ ପଶ୍ଚିମରେ ମଧ୍ୟ  ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିଲା । 

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର   ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶା ସମେତ ଦେଶର ଅଧିକାଂଶ ସ୍ଥାନରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବ। କେବଳ ପଶ୍ଚିମ ଉପକୂଳ ଏବଂ ଉତ୍ତର ପୂର୍ବ ଭାରତରେ ଯାହା ବର୍ଷା ହେବ। ଓଡ଼ିଶାକୁ ବର୍ତ୍ତମାନ  ପଶ୍ଚିମରୁ ପବନ ଆସୁଛି, ଯାହାକି ଗରମ ବଢ଼ାଉଛି। ମୌସୁମୀ ଟ୍ରଫ୍‌ ସୃଷ୍ଟି ହୋଇପାରୁନି । କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ନାହିଁ।  

ପ୍ରଫେସର ପଶୁପାଳକଙ୍କ ଅନୁସାରେ  ୧୦ ତାରିଖରୁ ବାୟୁର ଦିଗ ବଦଳିବ । ୧୧ କିମ୍ବା ୧୨ ତାରିଖବେଳକୁ ଉତ୍ତର-ପଶ୍ଚିମ  ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସହ ଓଡ଼ିଶା କିମ୍ବା ସଂଲଗ୍ନ ଉପକୂଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିପାରେ। ଏହା ପ୍ରଭାବରେ ୪ ଦିନ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଅଛି। ପ୍ରାଥମିକ ଆକଳନ ଅନୁସାରେ ବିସ୍ତୃତ ଭାରି ବର୍ଷାର ସମ୍ଭାବନା କମ୍‌ ।  

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ସେଲସିୟସ୍‌ ରହିପାରେ। ୬ରୁ ୯ ତାରିଖ ପର୍ଯନ୍ତ ତାତି ଆଉ ୧ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ତେଣୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳି ଜାରି ରହିବ ।  

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଗୁଳୁଗୁଳି ପ୍ରାୟ ଲାଗି ରହିବ ।୨-୩ ଦିନ ପରେ ତାପମାତ୍ରା ଓ  ଗୁଳୁଗୁଳି ସାମାନ୍ୟ ବଢ଼ିପାରେ । ୭ ଦିନ ପର୍ଯ୍ୟନ୍ତ  ବର୍ଷାର ବିଷେଷ ସମ୍ଭାବନା ନାହିଁ । ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ  ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।୪ ତାରିଖରୁ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ । 

ରାଜ୍ୟରେ ଏବେ ବର୍ଷା ହଜିଯାଇଛି । କାଁ ଭାଁ ବର୍ଷା ହେଉଛି । ରବିବାର ସକାଳରୁ ସନ୍ଧ୍ୟା ଭିତରେ ବାରିପଦାରେ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବାକି ଅଞ୍ଚଳ ପ୍ରାୟତଃ ଶୁଖିଲା ରହିଥିଲା । ଭୁବନେଶ୍ୱର  ସମେତ ଅନେକ ସ୍ଥାନରେ ଟାଏଁ ଟାଏଁ ଖରା ଯୋଗୁ  ଜନଜୀବନ ନାକେଦମ ହୋଇଛନ୍ତି ।