ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ : ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜ ସୋମବାର ରାତିରୁ ଖାଡ଼ା ଉପାସ। ଆଜିକୁ ଲଗାଇ ୩ଦିନ ହେଲାଣି ଖାଡା ଉପାସରେ ରହିଛନ୍ତି ମହାପ୍ରଭୁ। ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି। ପ୍ରଶାସନ ବିବାଦ ସମାଧାନ କରିବାରେ ବିଫଳ ହୋଇଥିଲା ଯୋଗୁଁ ସୋମବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ହୋଇନି ମହାପ୍ରଭୁ ଲିଙ୍ଗରାଜଙ୍କ କୌଣସି ନୀତିକାନ୍ତି। ଗତକାଲି ପବିତ୍ର ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ବି ମହାପ୍ରଭୁଙ୍କର କୌଣସି ନୀତିକାନ୍ତି ହୋଇନାହିଁ। ଗତକାଲି […]

ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ : ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି
Lingaraj temple controversy: Rituals remain suspended

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜ ସୋମବାର ରାତିରୁ ଖାଡ଼ା ଉପାସ। ଆଜିକୁ ଲଗାଇ ୩ଦିନ ହେଲାଣି ଖାଡା ଉପାସରେ ରହିଛନ୍ତି ମହାପ୍ରଭୁ। ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି। ପ୍ରଶାସନ ବିବାଦ ସମାଧାନ କରିବାରେ ବିଫଳ ହୋଇଥିଲା ଯୋଗୁଁ ସୋମବାର ସନ୍ଧ୍ୟାରୁ ଏପର୍ଯ୍ୟନ୍ତ ହୋଇନି ମହାପ୍ରଭୁ ଲିଙ୍ଗରାଜଙ୍କ କୌଣସି ନୀତିକାନ୍ତି।

ଗତକାଲି ପବିତ୍ର ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ବି ମହାପ୍ରଭୁଙ୍କର କୌଣସି ନୀତିକାନ୍ତି ହୋଇନାହିଁ। ଗତକାଲି ପବିତ୍ର ପୁଷ୍ୟାଭିଷେକରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହୋଇଥିଲେ। ଏହାପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥା’ନ୍ତା। ମକର ସଂକ୍ରାନ୍ତି ପାଇଁ ଠାକୁରଙ୍କଠାରେ ଘୃତ କମଳ ଲାଗି ହୋଇଥା’ନ୍ତା। କିନ୍ତୁ, ବଡୁ ସେବାୟତ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଏହାକୁ ନେଇ ମହାସୁଆର ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଗତକାଲିଠୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି।

ଗତକାଲି ସନ୍ଧ୍ୟାରୁ ଶ୍ରୀଲିଙ୍ଗରାଜ ମକରମଣ୍ଡପ ବେଢ଼ାରେ ବସି ରହିଛନ୍ତି। ମଙ୍ଗଳବାର ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିରରେ ଏଭଳି ବିଭ୍ରାଟ ଦେଖି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାରମ୍ବାର ଲିଙ୍ଗରାଜ ମନ୍ଦିରରେ ଏଭଳି ବିଭ୍ରାଟ ଉପୁଜୁଥିବାରୁ ଶ୍ରଦ୍ଧାଳୁ ମନ୍ଦିର ପ୍ରଶାସନ ଓ ସରକାରଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରିଛନ୍ତି। ତୁରନ୍ତ ସରକାର ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବା ସହ ଆଗାମୀ ଦିନରେ ଏଭଳି ସ୍ଥିତି ଯେଭଳି ନ ଉପୁଯେ ସେଥିପ୍ରତି ଯତ୍ନବାନ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ଏହି ବିଭ୍ରାଟ ପରେ ଗତକାଲି ପୂର୍ବାହ୍ନରେ ମହାସୁଆର, ବଡ଼ୁ ଓ ପୂଜାପଣ୍ଡା ନିଯୋଗକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ହୋଇଥିଲା। ବୈଠକରେ ତିନି ନିଯୋଗର ସମ୍ପାଦକଙ୍କ ସମେତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ। ହେଲେ ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ବାରମ୍ବାର ବଡ଼ୁନିଯୋଗ ବିଭିନ୍ନ ସେବାକୁ ବିବାଦ ସୃଷ୍ଟି କରୁଥିବା ଦର୍ଶାଇ ବ୍ରାହ୍ମଣ ନିଯୋଗ ଏହାର ଘୋର ପ୍ରତିବାଦ କରିଥିଲା। ଏହି ନୀତିକୁ ବାଦ୍‌‌ ଦେଇ ଠାକୁରଙ୍କ ଅନ୍ୟ ନୀତି କରିବାକୁ ବୈଠକରେ ବ୍ରାହ୍ମଣ ନିଯୋଗକୁ ବୁଝାସୁଝା କରାଯାଇଥିଲେ ହେଁ ଏହାକୁ ବ୍ରାହ୍ମଣ ନିଯୋଗ ମାନିବାକୁ ରାଜି ହୋଇନଥିଲା। କାରଣ ପ୍ରତ୍ୟେକଥର ଟ୍ରଷ୍ଟ ବୋର୍ଡ ଏହିଭଳି ତାଳିପକା କାମ କରୁଛି। ମନ୍ଦିରରେ ନିଯୋଗ ନିଯୋଗ ମଧ୍ୟରେ ସେବାପୂଜାକୁ ନେଇ ଉପୁଜୁଥିବା ସମସ୍ୟାର ସ୍ଥାୟୀ ସମାଧାନ ହେଉନି। ତେଣୁ ମନ୍ଦିର ନୀତିକାନ୍ତିରେ ସମ୍ପୂର୍ଣ୍ଣ ଅସହଯୋଗ କରିବା ନେଇ ରୋକଠୋକ୍‌‌ ଶୁଣାଇ ଦେଇଥିଲା।

ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କହିଛନ୍ତି, ଲିଙ୍ଗରାଜ ମନ୍ଦିରକୁ ସରକାର ମ୍ୟୁଜିୟମ୍‌‌(ସଂଗ୍ରହାଳୟ) କରିଦିଅନ୍ତୁ। କାରଣ ମନ୍ଦିରରେ ବାରମ୍ବାର ଏଭଳି ସମସ୍ୟା ଉପୁଜୁଛି। ଠାକୁର ଉପାସରେ ରହୁଛନ୍ତି। ହେଲେ ମନ୍ଦିର ପ୍ରଶାସନ କିଛି କରିପାରୁନି। ତେଣୁ ଏଭଳି ଚରମବାଣୀ ଶୁଣାଇବାକୁ ଆମେ ବାଧ୍ୟ ହେଉଛୁ। ସେହିଭଳି ଆମେ ବର୍ଷବର୍ଷ ଧରି ଠାକୁରଙ୍କର କ୍ଷୀର ଆଉଟି ସେଥିରୁ ଘୃତ ଆଉଟା କାମ କରି ଆସୁଛୁ। ହଠାତ୍‌‌ ସେହି ସେବା ବଡ଼ୁ ନିଯୋଗ କରିବ ବୋଲି କହୁଛି, ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହି କଥାର ବିଚାର ପ୍ରଥମେ ସରୁ। ତା’ପରେ ଯାଇ ଠାକୁରଙ୍କ ନୀତିକାନ୍ତି ହେବ ବୋଲି ସେ କହିଛନ୍ତି।

ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ କହିଛନ୍ତି, ୧୮୬୩ ମସିହାରେ କେଉଁ ପୂଜା କିଏ କରିବ, ତା’ର ନୀତି ନିର୍ଦ୍ଧାରଣ ହୋଇଥିଲା। ସେହି ଦସ୍ତାବିଜ୍‌‌ ଆଧାରରେ ଆମେ ଏହି ସେବା କରିବା ପାଇଁ ଦାବି କରୁଛୁ। ହେଲେ ବ୍ରାହ୍ମଣ ନିଯୋଗ ଏହାକୁ କରିବା ପାଇଁ ବାରଣ କରୁଛି। ତାଙ୍କ ପାଖରେ କୌଣସି କାଗଜପତ୍ର ନାହିଁ। ସେ କିନ୍ତୁ ସେବାରେ ଅସହଯୋଗ କରୁଛନ୍ତି ବୋଲି ସେ ପାଲଟା ଅଭିଯୋଗ ଆଣିଛନ୍ତି। ଏନେଇ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି, ଠାକୁରଙ୍କ ପ୍ରତ୍ୟେକ ସେବା ପୂଜାରେ ବଡ଼ୁ ନିଯୋଗ ବିଭ୍ରାଟ ସୃଷ୍ଟି କରୁଛି। ଏଭଳି କରିବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆନଗଲେ, ଆମେ ସମ୍ପୂର୍ଣ୍ଣ ସେବାପୂଜାରେ ଆଦୌ ସହଯୋଗ କରିବୁ ନାହିଁ। ଦୀର୍ଘ ୪୦ ବର୍ଷ ହେଲା ଆମେ ଦେଖି ଆସୁଛୁ, ଏହି ସେବା ବ୍ରାହ୍ମଣ ନିଯୋଗ କରୁଛି। ହେଲେ ସେ ହଠାତ୍‌‌ ଏଥିରେ ପ୍ରତିବାଦ କରୁଛନ୍ତି। ଏହାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।

ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, ଠାକୁରଙ୍କ ନୀତିକାନ୍ତି ସ୍ୱାଭାବିକ ହେବା ନେଇ ଆମେ ସେବାୟତଙ୍କୁ ବୁଝାସୁଝା କରୁଛୁ। ହେଲେ ସେମାନେ ତାଙ୍କ ଜିଦ୍‌‌ରେ ଅଟଳ ଅଛନ୍ତି। ତୁରନ୍ତ ଏହାର ସମାଧାନ କରିବାକୁ ଆମେ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, କିଛି ଦିନ ତଳେ ପଇତାଲାଗି ନୀତିକୁ ନେଇ ବଡ଼ୁ ଓ ପୂଜାପଣ୍ଡା ସେବାୟତ ଭିତରେ ବିବାଦ ଉପୁଜିଥିଲା। ସେତେବେଳେ ମଧ୍ୟ ଠାକୁରଙ୍କ ନୀତିକାନ୍ତି ହୋଇପାରିନଥିଲା। ଏହାକୁ ନେଇ ପରବର୍ତ୍ତୀ ସମୟରେ କୌଣସି ଆଲୋଚନା ହୋଇନଥିଲା। ତେଣୁ ଠାକୁରଙ୍କ ଏଭଳି ଅବସ୍ଥା ପାଇଁ ମନ୍ଦିର ପ୍ରଶାସନକୁ ଶ୍ରଦ୍ଧାଳୁ ଦାୟୀ କରିଛନ୍ତି।