ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ ମ୍ୟାଲେରିଆ ଅନ୍ୟତମ। ପ୍ରଥମ ଥର ପାଇଁ ସାରା ପୃଥିବୀରେ ଓ ଆମ ଦେଶରେ ତଥା ଓଡ଼ିଶାରେ ‘ଦମନ’ (ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ) କାର୍ଯ୍ୟକ୍ରମ ଆରମ୍ଭ କରି ସରକାର ଅତ୍ୟନ୍ତ ସଫଳତା ହାସଲ କରିଛନ୍ତି। ଏଥିପାଇଁ ନିଷ୍ଠାପର ସ୍ବାସ୍ଥ୍ୟକର୍ମୀ ଓ ନିରନ୍ତର ଗବେଷଣା କରୁଥିବା ବରିଷ୍ଠ ଡାକ୍ତରମାନଙ୍କର ଭୂମିକା ଅତ୍ୟନ୍ତ […] The post ଆଜି ବିଶ୍ୱ ମ୍ୟାଲେରିଆ ଦିବସ appeared first on Dharitri Odia News.

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ ମ୍ୟାଲେରିଆ ଅନ୍ୟତମ। ପ୍ରଥମ ଥର ପାଇଁ ସାରା ପୃଥିବୀରେ ଓ ଆମ ଦେଶରେ ତଥା ଓଡ଼ିଶାରେ ‘ଦମନ’ (ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ) କାର୍ଯ୍ୟକ୍ରମ ଆରମ୍ଭ କରି ସରକାର ଅତ୍ୟନ୍ତ ସଫଳତା ହାସଲ କରିଛନ୍ତି। ଏଥିପାଇଁ ନିଷ୍ଠାପର ସ୍ବାସ୍ଥ୍ୟକର୍ମୀ ଓ ନିରନ୍ତର ଗବେଷଣା କରୁଥିବା ବରିଷ୍ଠ ଡାକ୍ତରମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ରାଜ୍ୟକୁ ‘ସ୍କଚ୍‌ ପୁରସ୍କାର’ ମିଳିଛି। ମ୍ୟାଲେରିଆ ସାରା ପୃଥିବୀରେ ଏକ ଚିନ୍ତାଜନକ ସ୍ବାସ୍ଥ୍ୟ ସମସ୍ୟା। ଏ ନେଇ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏଥିନେଇ ଚଳିତ ବର୍ଷର ସ୍ଲୋଗାନ ରହିଛି-‘ଲିଙ୍ଗଗତ ମାନବିକତା ଆଧାରରେ ସମାନ ସ୍ବାସ୍ଥ୍ୟ ସୁବିଧା’। ଅର୍ଥାତ୍‌ ମ୍ୟାଲେରିଆପ୍ରବଣ ଅଞ୍ଚଳ ଓ ଶିଶୁ ତଥା ମା’ମାନଙ୍କଠାରେ ବିଶେଷଭାବରେ ଗର୍ଭବତୀଙ୍କଠାରେ ଦେଖାଯାଉଥିବା ମ୍ୟାଲେରିଆର ନିରାକରଣ ଓ ଯଥାଯଥଃ ଚିକିତ୍ସା ପ୍ରଦାନ। ମ୍ୟାଲେରିଆ ଯୋଗୁ ବିଶ୍ୱରେ ଦୁଇ ବର୍ଷ ପୂର୍ବେ ୬,୦୮,୦୦୦ଙ୍କର ମୃତ୍ୟୁ ଘଟିଥିଲା। ସେହି ବର୍ଷ ପାଖାପାଖି ୨୫ କୋଟି ମ୍ୟାଲେରିଆ କେସ୍‌ ଚିହ୍ନଟ କରାଯାଇଥିଲା। ପୁଣି ଏଥିରୁ ୯୪ ପ୍ରତିଶତ କେସ୍‌ କେବଳ ଆଫ୍ରିକା ମହାଦେଶ ଅଞ୍ଚଳରେ ହିଁ ହୋଇଥିଲା।

ସାଧାରଣତଃ ମାଈଏନୋଫିଲିସ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଡେଙ୍ଗୁ ପାଇଁ ଦାୟୀ ଏଡିସ୍‌ ମଶା ସକାଳ ଓ ସନ୍ଧ୍ୟା ସମୟରେ କାମୁଡ଼ିବା ବେଳେ ମ୍ୟାଲେରିଆ ମଶା ରାତିରେ ପୁଣି ଶୋଇବା ସମୟରେ କାମୁଡ଼ିଥାଏ। ମ୍ୟାଲେରିଆ ପରଜୀବୀ ସାଧାରଣତଃ ଚାରି ପ୍ରକାରର। ଉଭୟ ମଶା ଓ ମଣିଷ ଦେହରେ ତାହାର ଜୀବନ ଚକ୍ର ସମ୍ପୂର୍ଣ୍ଣ କରିଥାଏ। କେବଳ ରୋଗୀଠାରୁ ପରଜୀବୀ ଗ୍ରହଣ କରି ମଶା ତାହାକୁ ସୁସ୍ଥ ଲୋକର ଶରୀରରେ ଛାଡ଼ିଥାଏ। ଯେତେ ଅଧିକ ରୋଗୀ ରହିବେ, ମ୍ୟାଲେରିଆ ସେତିକି ଅଧିକ ବୃଦ୍ଧି ପାଇବ। ଯଦି ମ୍ୟାଲେରିଆ ରୋଗୀ କମିବେ ତାହାହେଲେ ମ୍ୟାଲେରିଆ କମି ପାରିବ। ଆମ ରାଜ୍ୟରେ ୨୦୨୦-୨୧ ମସିହାରେ ଏକ କୋଟି ଛଅ ଲକ୍ଷ କୀଟନାଶକଯୁକ୍ତ ଦୀର୍ଘସମୟ କାର୍ଯ୍ୟକାରୀ ମଶାରି ବଣ୍ଟନ କରାଯାଇଛି।

ଏହାପୂର୍ବରୁ ମଧ୍ୟ ମଶାରି ବଣ୍ଟନ ହୋଇଥିଲା। ଲୋକଙ୍କ ମଧ୍ୟରେ ଏହି ମଶାରି ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିଯୋଗୁ ଆମ ରାଜ୍ୟରେ ମ୍ୟାଲେରିଆ କେସ୍‌ ଆଶାତୀତ ହ୍ରାସ ପାଇଥିଲା। ମାତ୍ର ଏହି ମଶାରିଗୁଡ଼ିକର ଗୁଣବତ୍ତା କ୍ରମଶଃ ହ୍ରାସ ପାଇଥାଏ ଏବଂ ବ୍ୟବହାରର ତିନି ବର୍ଷ ପରେ ସେଭଳି ଫଳପ୍ରଦ ମଶାନିରୋଧୀ କାର୍ଯ୍ୟ କରିପାରେ ନାହିଁ। ବର୍ତ୍ତମାନ ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉ ଅବା ରାଜ୍ୟ ସରକାରଙ୍କ ତରଫରୁ ଏଭଳି ମଶାରିର ପୁନଃବଣ୍ଟନ ନ ହେବ, ତେବେ ଆଗାମୀ ଦିନରେ ମ୍ୟାଲେରିଆ ବୃଦ୍ଧି ପାଇବାର ଆଶଙ୍କା ରହିଛି। କ୍ରମଶଃ ପାର୍ଶ୍ୱ ପ୍ରତିକ୍ରିୟାଯୁକ୍ତ ଔଷଧ ଯଥା-କ୍ଲୋରୋକୁଇନ୍‌, କୁଇନାଇନ୍‌ ଇତ୍ୟାଦି ବଦଳରେ ନୂଆ ଔଷଧ ବାହାରିଛି ଏବଂ ଆର୍ଟିମିସିନିନ୍‌ ବା ‘ଏସିଟି’ ବ୍ୟବହାର ଦ୍ୱାରା ମ୍ୟାଲେରିଆରୁ ଆରୋଗ୍ୟ ମିଳୁଛି। ତା’ ସହ ମୃତ୍ୟୁହାରକୁ ଅନେକାଂଶରେ କମାଯାଇପାରିଛି। ମାତ୍ର ଏହି ଚିକିତ୍ସା ଉପଯୁକ୍ତ ରକ୍ତ ପରୀକ୍ଷା ସହିତ ମେଡିସିନ୍‌ ବିଶେଷଜ୍ଞଙ୍କ ଦ୍ୱାରା ହେବା ଉଚିତ।

ମଶା ବଂଶ ହ୍ରାସ ପାଇଁ ଡିଡିଟି ସିଞ୍ଚନ, ତୁରନ୍ତ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା, ମଶା ବଂଶ ବୃଦ୍ଧି ରୋକିବା ପାଇଁ କାର୍ଯ୍ୟକ୍ରମ ସହିତ ଜାତୀୟ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍‌ଏମ୍‌ସିପି ଆରମ୍ଭ ହୋଇଥିଲା। ଡିଡିଟି ବ୍ୟବହାର ବାରଣ ପରେ ୧୯୫୮ରେ ଏହାକୁ ଜାତୀୟ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ବା ଏମ୍‌ଏନ୍‌ଇପିରେ ପରିବର୍ତ୍ତନ କରାଯାଇଥିଲା। ଏହାପରେ ୨୦୦୩-୨୦୦୪ରେ ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ମ୍ୟାଲେରିଆ ସହିତ ଡେଙ୍ଗୁ, ଫାଇଲେରିଆ, ଚିକୁନଗୁନିଆକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାପରେ ଏହାକୁ ଜାତୀୟ ଫ୍ରେମଓ୍ବାର୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ବା ଏନ୍‌ଏଫ୍‌ଏମଇ ଭାବରେ ପରିବର୍ତ୍ତନ କରାଯାଇଛି। ଆମ ରାଜ୍ୟର ‘ଦମନ’ ସମସ୍ତ ବୈଜ୍ଞାନିକ ଓ ଡାକ୍ତରଙ୍କୁ ହୃଦୟଙ୍ଗମ କରାଇପାରିଛି ଯେ, ଯଦି ମଶାରି ବ୍ୟବହାର ବ୍ୟାପକ ଓ ପୂର୍ଣ୍ଣ ରୂପେ କରାଯାଇପାରିବ, ତାହାହେଲେ ମ୍ୟାଲେରିଆ ସହିତ ଆଉ ପାଞ୍ଚଗୋଟି ମଶାବାହିତ ରୋଗ ନିୟନ୍ତ୍ରଣ କରିହେବ। ମଶାଧୂପ, ତେଲ, ମ୍ୟାଟ୍‌ ଓ ବ୍ୟାଟ୍‌ ଇତ୍ୟାଦି ମଶାରି ସହ ତୁଳନୀୟ ନୁହେଁ। ଏହା କରିପାରିଲେ ମ୍ୟାଲେରିଆ ନିରାକରଣ ସମ୍ଭବ ହୋଇପାରିବ।
-ଡା. ରାମଚନ୍ଦ୍ର ରାଉତ,ବରିଷ୍ଠ ଚିକିତ୍ସକ ତଥା ଅବସରପ୍ରାପ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

The post ଆଜି ବିଶ୍ୱ ମ୍ୟାଲେରିଆ ଦିବସ appeared first on Dharitri Odia News.