ଆଜି ବିଶ୍ୱ ହସ ଦିବସ
ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ ଯାଏ। ସତେଯେମିତି ବୟସ ବଢ଼ିଲେ ଅବସାଦପୂର୍ଣ୍ଣ ହୋଇପଡୁଛି ଜୀବନ। ବ୍ୟସ୍ତତାପୂର୍ଣ୍ଣ ଜୀବନ ଭିତରେ କାହା ମୁହଁରୁ ହୃଦୟର ହସ ଟିକେ ଦେଖିବା କଷ୍ଟକର ହୋଇପଡୁଛି। ମାନସିକ ଚାପ ଏତେ ବଢ଼ି ଯାଉଛି ଯେ ସବୁ ବର୍ଗର ମଣିଷ ଆଜି ଦୁଃଖ, କଷ୍ଟ, ଯନ୍ତ୍ରଣାର ଶିକାର। ପାଠପଢ଼ାଠୁ ନେଇ ଚାକିରି, ପାରିବାରିକ […] The post ଆଜି ବିଶ୍ୱ ହସ ଦିବସ appeared first on Dharitri Odia News.
ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ ଯାଏ। ସତେଯେମିତି ବୟସ ବଢ଼ିଲେ ଅବସାଦପୂର୍ଣ୍ଣ ହୋଇପଡୁଛି ଜୀବନ। ବ୍ୟସ୍ତତାପୂର୍ଣ୍ଣ ଜୀବନ ଭିତରେ କାହା ମୁହଁରୁ ହୃଦୟର ହସ ଟିକେ ଦେଖିବା କଷ୍ଟକର ହୋଇପଡୁଛି। ମାନସିକ ଚାପ ଏତେ ବଢ଼ି ଯାଉଛି ଯେ ସବୁ ବର୍ଗର ମଣିଷ ଆଜି ଦୁଃଖ, କଷ୍ଟ, ଯନ୍ତ୍ରଣାର ଶିକାର। ପାଠପଢ଼ାଠୁ ନେଇ ଚାକିରି, ପାରିବାରିକ ଅଶାନ୍ତି ଭଳି ଅନେକ ସମସ୍ୟାର ଆଜି ସମସ୍ତେ ଛନ୍ଦି ହୋଇପଡ଼ିଛନ୍ତି। ବିଶେଷକରି ଆଜିର ସୋସିଆଲ ମିଡିଆ ଯୁଗରେ ପରସ୍ପର ହସିବା, ସମୟ ବିତାଇବା ବହୁତ କମିଯାଇଛି। ମଣିଷ ମେଳରେ ଥାଇ ବି ହସ ଖୋଜୁଛି ମଣିଷ। ରବିବାର ହେଉଛି ବିଶ୍ୱ ହାସ୍ୟ ଦିବସ। ଏହିପରିପ୍ରେକ୍ଷୀରେ ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ସମୟ କାଢ଼ି କିଭଳି ଖୁସିରେ ରହିବା ଓ ଅନ୍ୟ କାହା ମୁହଁରେ ଖୁସି ଭରିଦେବା ତାହାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।
ଏକକ ପରିବାର ଯୋଗୁ ହସ କମିଯାଉଛି
ଆଗରୁ ଯୌଥ ପରିବାର ଥିଲା। ସମସ୍ତେ ଗୋଟିଏ ଗହଳଚହଳ ପରିବେଶ ଭିତରେ ବଡ଼ ହେଉଥିଲେ। ପିଲାଟିଏ ମଧ୍ୟ ସମସ୍ତଙ୍କ ସହ ମିଶିବାର ସୁଯୋଗ ପାଉଥିଲା। ମାତ୍ର ଏବେ ମା’ବାପାଙ୍କର ଗୋଟିଏ ଛୁଆକୁ ନେଇ ପରିବାର। ମା’ବାପା ସହଜେ ପିଲାଙ୍କୁ ଆଜିକାଲି ସମୟ ଦେଇପାରୁ ନାହାନ୍ତି। ପୁଣି ପିଲା ଟିକେ ବଡ଼ ହେଉ ହେଉ ପାଠପଢ଼ାର ଚାପ। ପରେ ଚାକିରି। ଏଭଳି ଭାବେ ପିଲାଟିଏ ଆଜିର ଦିନରେ ହସିବା ଭୁଲିଗଲାଣି। ତେଣୁ ଯୌଥ ପରିବାର କମିବା ମୁହଁରୁ ହସ ଛଡ଼ାଇ ନେବାର ମୁଖ୍ୟ କାରଣ। ୨୪ ଘଣ୍ଟାରେ ୧ଘଣ୍ଟା ମଧ୍ୟ ନିଜ ପାଇଁ ସମୟ କାଢ଼ିପାରୁନେ କି ହସି ପାରୁନେ।
-ମିହିର ରଞ୍ଜନ ନାୟକ, ପ୍ରାଧ୍ୟାପକ, ଏସ୍ସିବି ମେଡିକାଲ କଲେଜ
ହସାଇବାଠାରୁ କଷ୍ଟ କାମ ଆଉ କିଛି ନାହିଁ
ହସେଇଲେ ପୁଣ୍ୟ ମିଳେ। ଆଉ ଯିଏ ହସେ, ତା’ର ତ୍ୱଚା ସୁନ୍ଦର ଦିଶେ ଓ ରୋଗ ବି ଭଲ ହୁଏ। ଆଉ ହାପି ହରମୋନ ମଧ୍ୟ କ୍ଷରଣ ହୁଏ। ଏହା ତ ବୈଜ୍ଞାନିକ କାରଣ। କିନ୍ତୁ ହସାଇବାଠାରୁ କଷ୍ଟ କାମ କିଛି ନାହିଁ। ଗୋଟିଏ ଗୋଟିଏ କଣ୍ଟେଣ୍ଟ ବନାଇବାକୁ ସପ୍ତାହେ ଚିନ୍ତା କରିବାକୁ ପଡ଼େ। କ’ଣ କହିଲେ ଲୋକେ ହସିବେ। ଲୋକ ହସିବା ପାଇଁ କଳାକାର କିଛି ବି କରିବାକୁ ପ୍ରସ୍ତୁତ ହୁଏ। ମାତ୍ର ଏହା ଭଲ ଦିଗରେ ହେବା ଦରକାର।
-ଟୁକୁନା, କମେଡିଆନ
କିଛିବା କାରଣ ଖୋଜନ୍ତୁ, ଆଉ ହସନ୍ତୁ
ହସିବା ଜୀବନରେ ବହୁତ ଆବଶ୍ୟକ। କିଛି କାରଣ ନ ମିଳିଲେ ବି କିଛି ଗୋଟେ ଭାବି ନିହାତି ହସିବା ଦରକାର। ନ ହେଲେ ଏ ଯେଉଁ ଚିନ୍ତା ରହୁଛି, ରୋଗରେ ପଡ଼ିଯିବ। ମୋତେ ଲାଗେ ବିଶେଷ କରି ଆମ ଭଳି ଛାତ୍ରାବସ୍ଥାରେ ଥିବା ପିଲାଙ୍କର ଅଧିକ ଚିନ୍ତା। ପାଠପଢ଼ା ଚିନ୍ତାକୁ ଚାକିରି ଚିନ୍ତା ପ୍ରତି ମୁହୂର୍ତ୍ତରେ ରହୁଛି। କାହା ଛୁଆ ଚାକିରି ପାଇଲା, କିଏ ଭଲ ମାର୍କ ରଖିଲା, କିଏ ୧୨ଘଣ୍ଟା ପଢ଼ିଲା – ଏହି ସବୁ ଶୁଣି ଶୁଣି ଦିନ ପଳେଇଯାଉଛି। ମାନସିକ ଅବସାଦ ଆଜିର ଦିନରେ ବଡ଼ ସମସ୍ୟା। ତେଣୁ ସମସ୍ତେ କିଛି ନା କିଛି କାରଣ ଖୋଜନ୍ତୁ ହସିବା ପାଇଁ। ହସନ୍ତୁ ଓ ସମସ୍ତଙ୍କୁ ହସାନ୍ତୁ।
-ଭକ୍ତିସୁଧା ସାହୁ, ଛାତ୍ରୀ
ଲୋକପ୍ରିୟ ହେଉଛି ଷ୍ଟାଣ୍ଡ୍ଅପ୍ କମେଡି ଶୋ’
ସମସ୍ତେ ଚାହାନ୍ତି ହସିବା ପାଇଁ। ଆଜି ଯେତେବେଳେ ହସିବା କମି ଯାଉଛି, ଲୋକଙ୍କୁ ହସାଇବା ପାଇଁ ବିଭିନ୍ନ କମେଡି ପ୍ଲାଟ୍ଫର୍ମ ଦିନକୁ ଦିନ ବୃଦ୍ଧି ପାଉଛି। ୟୁଟ୍ୟୁବ୍ରେ ମଧ୍ୟ ଅନେକ ଯୁବ କମେଡ଼ିଆନ ବିଭିନ୍ନ ହାସ୍ୟାତ୍ମକ ବିଷୟବସ୍ତୁ ପୋଷ୍ଟ କରୁଛନ୍ତି। ଏହି ସମୟରେ ଷ୍ଟାଣ୍ଡ ଅପ୍ କମେଡି ଶୋ’ର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ରାଜଧାନୀରେ ଅନେକ ସମୟରେ ଷ୍ଟାଣ୍ଡ୍ଅପ୍ କମେଡି ଶୋ’ ହେଉଛି, ଯାହାକୁ ଦେଖିବାକୁ ଯୁବପିଢ଼ିଙ୍କର ପ୍ରବଳ ଆଗ୍ରହ ବଢ଼ୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ସମସ୍ତେ ଯୋଡ଼ି ହୋଇପାରୁଛନ୍ତି। ସାଙ୍ଗସାଥୀଙ୍କ ସହ ହସିବା ଓ ହସି ହସି ସମୟକୁ ଉପଭୋଗ ମଧ୍ୟ କରିପାରୁଛନ୍ତି।
The post ଆଜି ବିଶ୍ୱ ହସ ଦିବସ appeared first on Dharitri Odia News.