ଆଜି ଭାରତ-ବାଂଲାଦେଶ ପ୍ରଥମ ଟି-୨୦ : ନବନିର୍ମିତ ଷ୍ଟାଡିୟମ୍ର ନୂଆ ପିଚ୍ରେ ଉଭୟ ଦଳ କରିବେ ଭାଗ୍ୟ ପରୀକ୍ଷା
ଗ୍ୱାଲିୟର : ଆୟୋଜକ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜିଠାରୁ ଆରମ୍ଭ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଗ୍ୱାଲିୟରର ନବନିର୍ମିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍ରେ ଖେଳାଯିବ। ନୂଆକରି ନିର୍ମିତ ହୋଇଥିବା ଷ୍ଟାଡିୟମ୍ରେ ମଧ୍ୟ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍। ଏଣୁ ଏକ ଅଜଣା ପିଚ୍ରେ ଉଭୟ ଦଳ ସେମାନଙ୍କ ପ୍ରଥମ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ନିକଟରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ୨ […]

ଗ୍ୱାଲିୟର : ଆୟୋଜକ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜିଠାରୁ ଆରମ୍ଭ ହେବ। ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଗ୍ୱାଲିୟରର ନବନିର୍ମିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍ରେ ଖେଳାଯିବ। ନୂଆକରି ନିର୍ମିତ ହୋଇଥିବା ଷ୍ଟାଡିୟମ୍ରେ ମଧ୍ୟ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍। ଏଣୁ ଏକ ଅଜଣା ପିଚ୍ରେ ଉଭୟ ଦଳ ସେମାନଙ୍କ ପ୍ରଥମ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ନିକଟରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ କ୍ଲିନ୍ ସୁଇପ୍ କରିଥିଲା। କିନ୍ତୁ ଏହି ସିରିଜ୍ରେ ଖେଳିଥିବା ସର୍ବାଧିକ ଖେଳାଳି ଟି-୨୦ ସିରିଜ୍ରେ ଖେଳୁ ନାହାନ୍ତି। ଏଣୁ ଏହା ଦୁଇଟି ନୂଆ ଦଳ ମଧ୍ୟରେ ଖେଳାଯିବ ବୋଲି ବିବେଚନା କରାଯାଉଛି।
ଶିବମ୍ଙ୍କ ସ୍ଥାନରେ ତିଳକ
ଘରୋଇ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ପ୍ରସ୍ତୁତ ହେଉଥିବାରୁ ଟି-୨୦ରେ ନିୟମିତ ଖେଳୁଥିବା ଖେଳାଳିଙ୍କୁ ଏହି ସିରିଜ୍ରୁ ବାଦ୍ ଦେଇଛି। ଏହା ଫଳରେ ଶୁବମାନ ଗିଲ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ୍, ମହମ୍ମଦ୍ ସିରାଜ ଓ ଅକ୍ଷର ପଟେଲଙ୍କୁ ବିଶ୍ରାମ ମିଳିଛି। ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ଦଳର ପ୍ରମୁଖ ସଦସ୍ୟ ଭାରତୀୟ ଦଳକୁ ଫେରିଛନ୍ତି। ସେମାନେ ହେଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂ। କିନ୍ତୁ ଶିବମ ଦୁବେ ଆହତ ହେବାରୁ ତାଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ସାମିଲ କରାଯାଇଛି। ଏହା ଫଳରେ ଅନେକ ନବାଗତ ଓ ଆଇପିଏଲ୍ରେ ସଫଳ ହୋଇଥିବା ଯୁବ ଖେଳାଳିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିଛି।
ଆଇପିଏଲ୍ରେ କ୍ରମାଗତ ଘଣ୍ଟା ପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରୁଥିବା ମୟଙ୍କ ଯାଦବ, ଦିଲ୍ଲୀର ସଫଳ ମିଡିୟମ୍ ପେସର ହର୍ଷିତ ରାଣା, ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ, ଓପନର ଅଭିଷେକ ଶର୍ମା, ରିଷ୍ଟ ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଅଲରାଉଣ୍ଡର ରିୟାନ ପରାଗ, ସ୍ପିନର ରବି ବିଷ୍ଣୋଇ ଆଦି ଏହି ସିରିଜ୍ରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିଷ୍ଠା ଲାଭ କରିବାକୁ ସୁଯୋଗ ପାଇଛନ୍ତି। ମୟଙ୍କଙ୍କୁ ଏହି ସିରିଜ୍ରେ ଫିଟ୍ନେସ ଓ ଟେମ୍ପରାମେଣ୍ଟର ପରୀକ୍ଷା ଦେବାକୁ ହେବ। ଅଭିଜ୍ଞ ୱିକେଟରକ୍ଷକ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିବା ଅର୍ଥ ସେ ଅଭିଷେକଙ୍କ ସହ ପାଳି ଆରମ୍ଭ କରିବେ। ଏବେ ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କଲେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପରେ ଦକ୍ଷିଣ ଆଫ୍ରିକା ସହ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ଲାଗି ଦଳରେ ସାମିଲ ହେବା ସକାଶେ ଦାବି ଉପସ୍ଥାପନ କରିପାରିବେ।
ଅନ୍ୟପକ୍ଷରେ ବାଂଲାଦେଶ ତାହାର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ହରାଇଛି। ତାଙ୍କ ଅନୁପସ୍ଥିତିରେ ଦଳ କିପରି ଆଗକୁ ବଢ଼଼ିବ ତାହା ଏବେ ନୂଆ ଖେଳାଳିମାନେ ସ୍ଥିର କରିବେ। ଟେଷ୍ଟ ତାରକା ନାଜମୋଲ ହୋସେନ ସାଣ୍ଟୋଙ୍କ ନେତୃତ୍ୱରେ ଗଠିତ ବାଂଲା ଦଳରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି। ଭାରତର ଆଇପିଏଲ୍ ତାରକାଙ୍କୁ ସେମାନେ ଉପଯୁକ୍ତ ଜବାବ ଦେବେ ବୋଲି ଆଶା କରାଯାଉଛି।
ଖେଳାଳି ଦଳ
ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ ଓ ଜିତେଶ ଶର୍ମା (ଉଭୟ ୱିକେଟ ରକ୍ଷକ), ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତୀଶ କୁମାର ରେଡ୍ଡୀ, ତିଳକ ବର୍ମା, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ହର୍ଷିତ ରାଣା ଓ ମୟଙ୍କ ଯାଦବ।
ବାଂଲାଦେଶ: ନାଜମୋଲ ହୋସେନ ସାଣ୍ଟୋ (ଅଧିନାୟକ), ତାନଜିଦ୍ ହାସନ ତମିମ୍, ପରଭେଜ ହୋସେନ ଏମନ, ତାହିଦ୍ ହୃଦୟ, ମହମ୍ମଦ୍ ଉଲା, ଲିଟନ ଦାସ (ୱିକେଟ ରକ୍ଷକ), ଜାକର ଅଲି ଅନିକ୍, ମେହଦୀ ହାସନ ମିରାଜ, ଶାକ୍ ମେହଦୀ ହାସନ, ରିଶାଦ ହୋସେନ, ମୁସ୍ତାଫିଜୁର ରହମନ, ତାସ୍କିନ ଅହମ୍ମଦ୍, ଶୋରିଫୁଲ ଇସ୍ଲାମ୍, ତାଞ୍ଜିମ ହସନ ସାକିବ୍ ଓ ରାକିବୁଲ ହାସନ।