ଆଜି ମହାବିଷୁବ ପଣା ସଂକ୍ରାନ୍ତି, ବିଭିନ୍ନ ହନୁମାନ ମନ୍ଦିରରେ ପ୍ରସ୍ତୁତି

ଭୁବନେଶ୍ୱର: ସୋମବାର ହେଉଛି ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ। ଓଡ଼ିଆ ପରମ୍ପରା ଅନୁସାରେ, ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହେବ ନୂଆବର୍ଷ। ଏହି ଦିନକୁ ସମସ୍ତେ ପାଳନ କରିବାକୁ ବେଶ୍‌ ଉତ୍ସାହିତ ଥାଆନ୍ତି। କାରଣ ଏହି ଦିନରେ ପବନପୁତ୍ର ହନୁମାନଙ୍କ ଜୟନ୍ତୀ। ଏଥିପାଇଁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜା ଯାଇଥିବାବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ‘ଜୟ ହନୁମାନ ଜ୍ଞାନ ଗୁନ୍‌ ସାଗର’ ଶ୍ଲୋକରେ ଗୁଞ୍ଜରିତ ହେବ ରାଜଧାନୀ। ମହାବୀରଙ୍କ ଜୟନ୍ତୀ ପାଇଁ […]

ଆଜି ମହାବିଷୁବ ପଣା ସଂକ୍ରାନ୍ତି, ବିଭିନ୍ନ ହନୁମାନ ମନ୍ଦିରରେ ପ୍ରସ୍ତୁତି
Today is Mahavishub Pana Sankranti preparations underway at various Hanuman temples

ଭୁବନେଶ୍ୱର: ସୋମବାର ହେଉଛି ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ। ଓଡ଼ିଆ ପରମ୍ପରା ଅନୁସାରେ, ପଣା ସଂକ୍ରାନ୍ତିଠାରୁ ଆରମ୍ଭ ହେବ ନୂଆବର୍ଷ। ଏହି ଦିନକୁ ସମସ୍ତେ ପାଳନ କରିବାକୁ ବେଶ୍‌ ଉତ୍ସାହିତ ଥାଆନ୍ତି। କାରଣ ଏହି ଦିନରେ ପବନପୁତ୍ର ହନୁମାନଙ୍କ ଜୟନ୍ତୀ। ଏଥିପାଇଁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜା ଯାଇଥିବାବେଳେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ‘ଜୟ ହନୁମାନ ଜ୍ଞାନ ଗୁନ୍‌ ସାଗର’ ଶ୍ଲୋକରେ ଗୁଞ୍ଜରିତ ହେବ ରାଜଧାନୀ। ମହାବୀରଙ୍କ ଜୟନ୍ତୀ ପାଇଁ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହେବ। ସକାଳୁ ଭକ୍ତମାନେ ଗଳିକନ୍ଦିରେ ରହିଥିବା ବିଭିନ୍ନ ହନୁମାନ ମନ୍ଦିରେ ଭିଡ଼ ଜମାଇବେ। ଏଥିପାଇଁ ରାଜଧାନୀର ବିଭିନ୍ନ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପଣା ସଂକ୍ରାନ୍ତି ଉପଲକ୍ଷେ ସହରରର ବିଭିନ୍ନ ମନ୍ଦିରକୁ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଭକ୍ତଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ଭକ୍ତଙ୍କୁ ପଣା ଓ ଭୋଗ ବଣ୍ଟନ କରାଯିବା ବ୍ୟବସ୍ଥା କରାଯାଇଛି। ସେହିପରି ନିଜ ଘରେ ଘରେ ମଧ୍ୟ ପଣା ସଂକ୍ରାନ୍ତି ପାଳନ କରାଯିବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି। ଘର ସମ୍ମୁଖରେ ଥିବା ବୃନ୍ଦାବତୀଙ୍କ ଉପରେ କଳସ ବସାଇ ସେଥିରେ ପଣା ଭୋଗ ଲଗାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ସ୍ଥାନରେ ଠେକି ବିକ୍ରି ମଧ୍ୟ ବେଶ୍‌ ଚାଲିଛି। ଭଳିକି ଭଳି ରଙ୍ଗୀନ ଠେକି ଆକର୍ଷଣୀୟ ଭାବେ ସଜ୍ଜା ଯାଇଛି। ଯାହାର ଦାମ୍‌ ୨୦ଟଙ୍କାରୁ ଆରମ୍ଭ ହୋଇ ୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ରତି ଓଡ଼ିଆ ଘର ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଠେକି ରଖାଯାଏ।

ଏହି ଠେକି ତଳେ ଏକ ଛୋଟ ଛିଦ୍ର କରାଯାଇ, ପାଣି ତୁଳସୀ ଗଛରେ ପଡ଼ିପାରିବ। ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ। ସେହିପରି ପଣା ପାଇଁ ଆବଶ୍ୟକୀୟ ବିଭିନ୍ନ ସାମଗ୍ରୀ କିଣିବାକୁ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି ଦିନରେ ଘରେ ଘରେ ପୂଜା କରାଯାଉଥିବାରୁ ପୂଜା ସାମଗ୍ରୀ ଓ ଫଳ ବଜାରରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଲାଗି ରହିଛି। ତେବେ ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମନସ୍କାମନା ପୂରଣ କରିବେ ଶ୍ରଦ୍ଧାଳୁ। ମହାବିଷୁବ ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତିରେ ମନୋବାଞ୍ଛା ପୂରଣ ପାଇଁ ଶ୍ରଦ୍ଧାଳୁମାନେ ମାନସିକ ରଖି ମା’ କାଳୀଙ୍କ ପାଖରେ ଅଧିଆ ପଡ଼ିବେ। ଏହି ଅବସରରେ ରାଜଧାନୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ଝାମୁଯାତ୍ରା ବା ଦଣ୍ଡଯାତ୍ରା। ନୂଆପଲ୍ଲୀ, ବରମୁଣ୍ଡା, ଘାଟିକିଆ, ଯାଁଳା, ରସୁଲଗଡ଼, ଲକ୍ଷ୍ମୀସାଗର, ପଟିଆ, ଡମଣା, ଗାଡ଼କଣ, କଳାରାହାଙ୍ଗା ଆଦି ସ୍ଥାନରେ ଝାମୁଯାତ୍ରା ଅନୁଷ୍ଠିତ ହେବ।