ଆଜି ସ୍ଥଳସେନା ପ୍ରତିଷ୍ଠା ଦିବସ

ଖରା, ବର୍ଷା, ଶୀତକୁ ଖାତିର ନ କରି ସେମାନେ ଦିନରାତି ସୀମାରେ ପଇଁତରା ମାରନ୍ତି। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। କୌଣସି ମୁହୂର୍ତ୍ତରେ ମଧ୍ୟ ଶତ୍ରୁପକ୍ଷର ଗୁଳିରେ ସେମାନଙ୍କ ଜୀବନ ଚାଲିଯାଇପାରେ। ତଥାପି ନିଜ ଜୀବନକୁ ବାଜି ଲଗାଇ ସେମାନେ ଦେଶର ସୁରକ୍ଷା କବଚ ସାଜିଛନ୍ତି। ସେନା ଦିବସ ଅବସରରେ ଏହି ବୀର ଯବାନମାନଙ୍କୁ ‘ସକାଳ’ ପରିବାର ପକ୍ଷରୁ ସଲାମ। ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା ବା ପଦାତିକ ବାହିନୀ। ଭାରତୀୟ […]

ଆଜି ସ୍ଥଳସେନା ପ୍ରତିଷ୍ଠା ଦିବସ
Indian Army Day 2025

ଖରା, ବର୍ଷା, ଶୀତକୁ ଖାତିର ନ କରି ସେମାନେ ଦିନରାତି ସୀମାରେ ପଇଁତରା ମାରନ୍ତି। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। କୌଣସି ମୁହୂର୍ତ୍ତରେ ମଧ୍ୟ ଶତ୍ରୁପକ୍ଷର ଗୁଳିରେ ସେମାନଙ୍କ ଜୀବନ ଚାଲିଯାଇପାରେ। ତଥାପି ନିଜ ଜୀବନକୁ ବାଜି ଲଗାଇ ସେମାନେ ଦେଶର ସୁରକ୍ଷା କବଚ ସାଜିଛନ୍ତି। ସେନା ଦିବସ ଅବସରରେ ଏହି ବୀର ଯବାନମାନଙ୍କୁ ‘ସକାଳ’ ପରିବାର ପକ୍ଷରୁ ସଲାମ।

ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା ବା ପଦାତିକ ବାହିନୀ। ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ। ସେ ଯୁଦ୍ଧ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ପରର ଉଦ୍ଧାର କାର୍ଯ୍ୟ ଅଥବା ଜରୁରିକାଳୀନ ପରିସ୍ଥିତି, ସବୁକ୍ଷେତ୍ରରେ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଆଗଭର ଭାରତୀୟ ସେନା। ଦେଶପାଇଁ ବଳିଦାନ ଦେବାକୁ ଭାରତୀୟ ଯବାନମାନେ ସର୍ବଦା ପ୍ରସ୍ତୁତ। ଆତଙ୍କବାଦୀ ମୁକାବିଲା ପାଇଁ ସୈନିକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ଭୟ କରନ୍ତି ନାହିଁ । ଭାରତୀୟ ସେନାର ପରାକାଷ୍ଠା ଏବଂ ପରାକ୍ରମକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଏ।

୧୯୪୯ ମସିହା ଆଜିର ଦିନରେ ଭାରତର ଶେଷ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ସାର୍ ଫ୍ରାନସିସ ବୁଚର୍‌ଙ୍କଠାରୁ ଭାରତର ଫିଲ୍ଡ ମାର୍ଶଲ କେ. ଏମ୍. କରିୟପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ । କରିୟପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ୍ । କରିୟପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧ ଯୁଦ୍ଧରେ ତାଙ୍କର ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା। ସ୍ଥଳ ସେନା ଦିବସରେ ଦେଶ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଇଥାଏ।  ଏହି ଦିନ ରାଜଧାନୀ ଦିଲ୍ଲୀ ଏବଂ ସମସ୍ତ ସେନା ମୁଖ୍ୟାଳୟରେ ସାମରିକ ପରେଡ, ସାମରିକ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ ।