ଆଡିଲେଡ୍ ଟେଷ୍ଟ ଖେଳିବାକୁ ଅଷ୍ଟ୍ରେଲିଆ ପ୍ରସ୍ତୁତ, ଦଳରେ କଲା ଗୋଟିଏ ବଡ଼ ପରିବର୍ତ୍ତନ

ଶୁକ୍ରବାରଠାରୁ ଆଡିଲେଡ୍‌ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି ଅଷ୍ଟ୍ରେଲିଆ।

ଆଡିଲେଡ୍ ଟେଷ୍ଟ ଖେଳିବାକୁ ଅଷ୍ଟ୍ରେଲିଆ ପ୍ରସ୍ତୁତ, ଦଳରେ କଲା ଗୋଟିଏ ବଡ଼ ପରିବର୍ତ୍ତନ

ଚଳିତ ବର୍ଡର-ଗାଭାସ୍କର ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ଆଡିଲେଡ୍‌ରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଖେଳାଳିଙ୍କ ନାଁ ଘୋଷଣା କରିଛି। ଏଥିରେ ଦଳ ଗୋଟିଏ ବଡ଼ ପରିବର୍ତ୍ତନ କରିଛନ୍ତି। ଜୋଶ ହାଜେଲଉଡ୍‌ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି। ତାଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି ପେସ୍‌ ବୋଲର ସ୍କଟ ବୋଲାଣ୍ଡ।

ଗତ ୧୮ ମାସରେ ଆଡିଲେଡ୍‌ ଟେଷ୍ଟ ହେବ ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡଙ୍କ ପ୍ରଥମ ମ୍ୟାଚ୍‌। ଶେଷ ଥର ପାଇଁ ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ସମ୍ମାନଜନକ ଆଶେସ ସିରିଜ୍ ଖେଳିଥିଲେ ୩୫ ବର୍ଷୀୟ ବୋଲାଣ୍ଡ। ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଜୋଶ ହାଜେଲଉଡ୍‌ ଆହତ ହୋଇଥିଲେ। ଅଧିନାୟକ ପାଟ କମିନ୍ସ କହିଛନ୍ତି ଯେ ବୋଲାଣ୍ଡଙ୍କୁ ଦଳରେ ପାଇ ସେମାନେ ଖୁସି ଅଛନ୍ତି।

ଅନ୍ୟପକ୍ଷରେ ପର୍ଥ ଟେଷ୍ଟ ବେଳେ ପିଠି ମାଂସପେଶୀରେ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ମିଚେଲ ମାର୍ଶଙ୍କୁ ଦଳ ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଛି। ସେ ଆଡିଲେଡ୍ ଟେଷ୍ଟରେ ବୋଲିଂ କରିବାକୁ ଫିଟ୍ ଅଛନ୍ତି ବୋଲି କହିଛନ୍ତି ଅଧିନାୟକ ପାଟ୍ କମିନ୍ସ।

ଭାରତ ବିପକ୍ଷ ଆଡିଲେଡ୍‌ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଟିମ୍‌ରେ ଉସମାନ ଖୱାଜା, ନାଥନ ମ୍ୟାକସ୍ୱିନୀ, ମାର୍ନସ ଲାବୁଶେନ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ୍‌, ମିଚେଲ ମାର୍ଶ, ଆଲେକ୍ସ କେରୀ (ୱିକେଟ କିପର), ପାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲିୟନ ଓ ସ୍କଟ ବୋଲାଣ୍ଡ।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ପର୍ଥରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଟିମ୍ ଇଣ୍ଡିଆ ୨୯୫ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।