ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ

ସୂର୍ଯ୍ୟମ୍‌ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।

ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ

ଆତ୍ମ ସମର୍ପଣ ପରେ କେମିତି ଅଛ? କ’ଣ କରୁଛ? ଚଳୁଛ କେମିତି? ନକ୍ସଲଙ୍କ ସହିତ ସମ୍ପର୍କ ଅଛି କି? ଆତ୍ମସମର୍ପଣ କରିବାର ୧୬ ବର୍ଷ ପରେ ଏମିତି ଗୋଡାଏ ପ୍ରଶ୍ନ ଧରି ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ରା ପୁଲିସ। ଦୀର୍ଘ ସମୟ ସୂର୍ଯ୍ୟମ୍‌ ଓ ତାଙ୍କ ପତ୍ନୀଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ପୂରା ରିପୋର୍ଟ ଧରି ପୁଲିସ୍‌ ଫେରିଥିବା ଜଣାପଡ଼ିଛି।

ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ଗାଁରେ ଏବେ ରହୁଛନ୍ତି ଆରିକା ସୂର୍ଯ୍ୟମ୍‌। ପୂର୍ବରୁ ସେ ଆନ୍ଧ୍ରା-ଓଡ଼ିଶା ନକ୍ସଲ ସଂଗଠନରେ ସକ୍ରିୟ ରହିଥିଲେ। ବହୁ ବଡ଼ବଡ଼ ବିସ୍ଫୋରଣରେ ସାମିଲ୍‌ ଥିଲେ। ଆନ୍ଧ୍ର ଓ ଓଡ଼ିଶା ପୁଲିସ୍‌ର ନିଦ ହଜାଇ ଦେଇଥିଲେ। ତାଙ୍କୁ ଧରିବା ପାଇଁ ଆନ୍ଧ୍ରା ସରକାର ବହୁବାର ଉଦ୍ୟମ କରିଥିଲା। ମାତ୍ର ଫେଲ୍‌ ମାରିଥିଲେ। ଶେଷରେ ତାଙ୍କ ନାମରେ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ତଥାପି ତାଙ୍କୁ ପୁଲିସ୍‌ ଧରିବାରେ ସଫଳ ହୋଇନଥିଲା ପୁଲିସ୍‌।

ସୂର୍ଯ୍ୟମ୍‌ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ। ଦେହ ସେଥ୍‌ ଦେଇନଥିଲା। ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସୂର୍ଯ୍ୟମ୍‌ ଓ ତାଙ୍କ ପତ୍ନୀ ସଙ୍ଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୭ ମସିହାରେ ଗଜପତି ଏସ୍‌ପିଙ୍କ ପାଖରେ ଉଭୟ ଆତ୍ମ ସମର୍ପଣ କରିଥିଲେ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ।

ଆତ୍ମ ସମର୍ପଣ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିରିକୋଟରେ ସୂର୍ଯ୍ୟମ୍‌ଙ୍କୁ ଥଇଥାନ କରିବା ପାଉଁ ଜମି ଦିଆଯାଇଥିଲା। ସେ ସେଠାରେ ଘର କରି ରହୁଛନ୍ତି। ଆଉ ତାଙ୍କ ପତ୍ନୀ ପବିତ୍ରା ନାୟଜଙ୍କୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦେଇଥିଲା ପ୍ରଶାସନ। ବର୍ତ୍ତମାନ ସେଠାରେ ପରିବାର ଲୋକଙ୍କ ସହ ରହୁଛନ୍ତି ସୂର୍ଯ୍ୟମ୍‌। ବେଶ ହସଖୁସିରେ ବିତୁଛି ପରିବାର।

ସୂର୍ଯ୍ୟମ୍‌ ଆତ୍ମସମର୍ପଣ କରିବାର ୧୬ ବର୍ଷ ପରେ ଆନ୍ଧ୍ର ପୁଲିସ୍‌ର ମନେ ପଡ଼ିଲା। ସୂର୍ଯ୍ୟମ୍‌ କେମିତି ଅଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଆନ୍ଧ୍ରପ୍ରଦେଶ ପର୍ବତୀପୁରମ୍‌ ଜିଲ୍ଲାର ଦୁଇ ଜଣିଆ ପୁଲିସ ଟିମ୍‌ ସୋମବାର ବିରିକୋଟ ଗାଁରେ ପହଞ୍ଚିଥିଲେ। କିଭଳି ଜୀବନ କାଟୁଛନ୍ତି? କେମିତି ଚଳୁଛନ୍ତି? କୌଣସି ନକ୍ସଲଙ୍କ ସହିତ ସମ୍ପର୍କ ଅଛି କି ବୋଲି ପୁଲିସ୍‌ କର୍ମଚାରୀମାନେ ପଚାରିଥିବା ଜଣାପଡ଼ିଛି।

ରିପୋର୍ଟ- ମୋହନାରୁ ମିହିର ଜତି