ଆତ୍ମାହୁତି ଉଦ୍ୟମ କରିଥିବା ଏଫ୍‌ଏମ୍ କଲେଜ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କ ଶରୀରର ୯୫%ରୁ ଅଧିକ ପୋଡ଼ି ଯାଇଥିଲା। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା।

ଆତ୍ମାହୁତି ଉଦ୍ୟମ କରିଥିବା ଏଫ୍‌ଏମ୍ କଲେଜ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଅଧ୍ୟାପକଙ୍କ ବିରୋଧରେ ମାନସିକ ନିର୍ଯାତନା ଆଣି ଗତ ଶନିବାର ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଯାଇଛି। ତାଙ୍କ ନାମ ସୈାମ୍ୟଶ୍ରୀ (୨୦)। ତାଙ୍କ ଘର ଭୋଗରାଇର ପଳାସିଆ। ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ତାଙ୍କ ଗାଁ ପଳାସିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସୈାମ୍ୟାଶ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କ ଶରୀରର ୯୫%ରୁ ଅଧିକ ପୋଡ଼ି ଯାଇଥିଲା। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଇଣ୍ଟରନାଲ୍‌ ଆଘାତ ହୋଇଥିଲା। କିଡ୍‌ନୀ ପ୍ରଭାବିତ ହୋଇଥିବାରୁ ଡାଏଲିସିସ କରାଯାଉଥିଲା। ତାଙ୍କ ଚିକିତ୍ସା ପାଇଁ AIIMS ପକ୍ଷରୁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ୮ ଜଣ ଅଭିଜ୍ଞ ଡାକ୍ତରଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା।

ଏହି ଘଟଣାରେ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଏଜୁକେଶନ ବିଭାଗର ମୁଖ୍ୟ ତଥା ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁଙ୍କୁ ଗିରଫ କରାଯିବା ସହିତ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ ପାଇଁ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, କଲେଜ ଅଧ୍ୟକ୍ଷଙ୍କର ଗୁରୁତର ତ୍ରୁଟି ରହିଛି। ଆଭ୍ୟନ୍ତରୀଣ କମିଟିର ତଦନ୍ତକୁ ସେ ତଦାରଖ କରିନଥିଲେ। କାଲି ତଦନ୍ତ ରିପୋର୍ଟ ଆସିବା ପରେ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। କିଛି ପିଲା ଝିଅଟିକୁ ଆତ୍ମାହୁତି କରିବାକୁ ଉସୁକାଇ ଥିଲେ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ସୈାମ୍ୟାଶ୍ରୀଙ୍କୁ ନିଶ୍ଚିତ ନ୍ୟାୟ ମିଳିବ।

ସୈାମ୍ୟାଶ୍ରୀଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

୧୭ରେ ଓଡ଼ିଶା ବନ୍ଦ:

ଏହି ଘଟଣାକୁ ନେଇ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ଏହାକୁ ବାମ ଦଳ ସମେତ ୭ଟି ଦଳ ସମର୍ଥନ କରିଛନ୍ତି। ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ଡାକରା ଦିଆଯାଇଛି।

ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ଏ ସରକାର ଶାସନକଳକୁ ଚଳାଇବାରେ ଅସମର୍ଥ। ତେଣୁ ସେମାନେ ଓହରି ଯାଆନ୍ତୁ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ।

କ’ଣ ଅଭିଯୋଗ କରିଥିଲେ ଛାତ୍ରୀ ଜଣଙ୍କ:

ବାଲେଶ୍ୱରର ଏଫଏମ ସ୍ୱୟଂଶାସିତ କଲେଜର ଦ୍ୱିତୀୟ ବର୍ଷର ଏହି ଇଣ୍ଟିଗ୍ରେଟେଡ୍ ବିଏଡ୍‌ର ଛାତ୍ରୀ ଜଣଙ୍କ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଗତ ୧ ତାରିଖରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଥିଲେ,ଏଚ୍‌ଓଡି ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁ ମୋତେ ମାନସିକ ନିର୍ଯାତନା ଦେବା ସହିତ ଅପମାନିତ କରି ଚାଲିଛନ୍ତି। ଶ୍ରେଣୀ ଗୃହରେ ବ୍ୟାକ୍ ଲଗାଇ ଦେବାକୁ ଧମକ ଦେଉଛନ୍ତି। ୬ ବର୍ଷ ବସେଇ ଦେବା ପାଇଁ ସିଧା ଧମକ ଦେଉଛନ୍ତି। ତା’ ସହିତ ଅସଦାଚରଣ କରୁଛନ୍ତି। ମୋ ବ୍ୟକ୍ତିଗତ କଥାକୁ ମୋ ଘରକୁ ଜଣାଉଛନ୍ତି। ସବୁଠୁ ବଡ଼ କଥା ହେଉଛି ସେ ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ମୁଁ ମନା କରିଥିଲି। ତା’ପରେ ସେ ମୋ ସହିତ ଦୁର୍ବ୍ୟବହାର କରି ଚାଲିଛନ୍ତି। ତେଣୁ ମୁଁ ମାନସିକ ଚାପଗ୍ରସ୍ତ ହୋଇ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି। ଯଦି ଘଟଣାର ତର୍ଜମା/ତଦନ୍ତ କଲେଜ କର୍ତ୍ତୃପକ୍ଷ ନ କରିବେ ଓ ମୋତେ ନ୍ୟାୟ ନ ଦେବେ, ତା’ହେଲେ ମୁଁ ଆତ୍ମହତ୍ୟା କରିବି। ଆଉ ଏସବୁ ପାଇଁ ଏଚ୍‌ଓଡି ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ।